Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ୍ ଟାଇଗର’ ଚର୍ଚ୍ଚା ! ଉଦ୍ଧବଙ୍କ ବଡ଼ ସନ୍ଦେଶ

୨୦୨୨ ବିଦ୍ରୋହକୁ ମନେ ପକାଇଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବଡ଼ ଧରଣର ହଲଚଲ୍ ଦେଖିବାକୁ ମିଳିଛି। ‘ଅପରେସନ୍ ଟାଇଗର’କୁ ନେଇ ଚାଲିଥିବା ଜୋରଦାର ଚର୍ଚ୍ଚା ମଧ୍ୟରେ ଶିବସେନା (UBT) ପ୍ରମୁଖ ଉଦ୍ଧବ ଠାକରେ ଦଳର ସାଂସଦମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଉଦ୍ଧବ ନିଜ ସାଂସଦମାନଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କେହି ଦଳ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ସେମାନେ ସ୍ୱାଧୀନ। ଏଭଳି ବୟାନ ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ବିତର୍କ ଆରମ୍ଭ ହୋଇଯାଇଛି।

ମହାରାଷ୍ଟ୍ରରେ ଶିବସେନା (UBT)ର ସାଂସଦ ଓ ନେତାମାନଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ଉଦ୍ଧବ ଠାକରେ ନିଜ ସାଂସଦମାନଙ୍କୁ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ, ପାର୍ଟି ଯେକୌଣସି ରାଜନୈତିକ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଚର୍ଚ୍ଚା ହେଉଛି କି ଉଦ୍ଧବ କହିଛନ୍ତି ଯେ ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଯାଇପାରନ୍ତି, ସେ କାହା ଉପରେ ଚାପ ପକାଇବେ ନାହିଁ।

ବୈଠକରେ ଉଦ୍ଧବ ଠାକରେ ୨୦୨୨ର ସେହି ଐତିହାସିକ ବିଦ୍ରୋହ କଥା ମଧ୍ୟ ମନେ ପକାଇଥିଲେ, ଯାହା ଶିବସେନାକୁ ଦୁଇ ଭାଗରେ ବାଣ୍ଟି ଦେଇଥିଲା। ଉଦ୍ଧବ ଦାବି କରିଛନ୍ତି ଯେ, ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ସେ ସବୁ ଜାଣିଥିଲେ ଯେ କିଛି ବିଧାୟକ ଅଲଗା ରାସ୍ତା ଆପଣେଇବାକୁ ଯାଉଛନ୍ତି, କିନ୍ତୁ ସେ କାହାକୁ ବାଧ୍ୟ କରିନଥିଲେ। ରାଜନୀତିରେ ମଜବୁରି ନୁହେଁ, ବରଂ ବିଚାରଧାରା ଓ ନିଷ୍ଠାର ମହତ୍ତ୍ୱ ରହିଛି ବୋଲି ସେ ସାଂସଦମାନଙ୍କୁ ମନେ ପକାଇ ଦେଇଛନ୍ତି।

କର୍ମକର୍ତ୍ତା ଏବଂ ସାଂସଦମାନଙ୍କ ମନୋବଳ ବଢ଼ାଇ ଉଦ୍ଧବ କହିଛନ୍ତି ଯେ, ରାଜନୈତିକ ପରିସ୍ଥିତି ସବୁବେଳେ ସମାନ ରହେନାହିଁ। ଯେଉଁମାନେ ବାଲାସାହେବ ଠାକରେଙ୍କ ବିଚାରଧାରାକୁ ଛାଡ଼ି ଯାଇଛନ୍ତି, ସେମାନେ ଭବିଷ୍ୟତରେ ନିଶ୍ଚୟ ଅନୁତାପ କରିବେ। ସମୟ ବଦଳିବ ଏବଂ ଦଳ ପୁଣିଥରେ ଶକ୍ତିଶାଳୀ ହୋଇ ଠିଆ ହେବ ବୋଲି ଉଦ୍ଧବ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଶିବସେନା (UBT) ସାଂସଦ ସଞ୍ଜୟ ରାଉତ ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେ ବୈଠକରେ ଏଭଳି କୌଣସି କଥା କହିନାହାନ୍ତି। ମିଡିଆରେ ଚାଲିଥିବା ରିପୋର୍ଟ ସତ୍ୟ ନୁହେଁ।

ଉଦ୍ଧବ କେବେବି ନିଜ ସାଥୀମାନଙ୍କୁ ଦଳ ଛାଡ଼ିବାକୁ ପ୍ରୋତ୍ସାହିତ କରନ୍ତି ନାହିଁ। ଏସବୁ କେବଳ ରାଜନୈତିକ ଗୁଜବ। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଭଳି ନେତା ଆଉ କେହି ନାହାନ୍ତି, ଯିଏ ନିଜ କର୍ମକର୍ତ୍ତାଙ୍କ ସହ ଏତେ ନିବିଡ଼ ଭାବେ ଯୋଡ଼ି ହୋଇ ରହନ୍ତି ବୋଲି କହିଛନ୍ତି ସଞ୍ଜୟ ରାଉତ।

ଆଗାମୀ ଦିନରେ ମହାରାଷ୍ଟ୍ରରେ ପଞ୍ଚାୟତ ଏବଂ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସମୟରେ ଉଦ୍ଧବ ଠାକରେଙ୍କ ଏହି ସନ୍ଦେଶ ଦଳ ଭିତରେ ଅସନ୍ତୋଷକୁ ରୋକିବା ଏବଂ ସଙ୍ଗଠନକୁ ମଜବୁତ କରିବାର ଏକ ରଣନୀତି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ଏବେ ଅପେକ୍ଷା, ଏହି ‘ଅପରେସନ୍ ଟାଇଗର’ର ଚର୍ଚ୍ଚା କେବଳ ଗୁଜବ ହୋଇ ରହିଯାଉଛି ନା ମହାରାଷ୍ଟ୍ର ରାଜନୀତିରେ କୌଣସି ନୂଆ ଝଡ଼ ସୃଷ୍ଟି କରୁଛି।

Leave A Reply

Your email address will not be published.