Latest Odisha News

BREAKING NEWS

ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଘନେଇଲା ରହସ୍ୟ, ଓଏଏସ ପ୍ରେମିକ ଗିରଫ ପରେ ଏବେ ଡିଜିଟାଲ ପ୍ରମାଣ ଖୋଜୁଛି ପୋଲିସ

କଟକ: ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାକୁ ପ୍ରାୟ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଦିନକୁ ଦିନ ଏହି ସସପେନ୍ସ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରେମ ବ୍ୟାପାର କିମ୍ବା ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାକୁ ନେଇ ଚନ୍ଦ୍ରିକା ପ୍ରାଣ ହରାଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଏହି ମାମଲାରେ ଚନ୍ଦ୍ରିକାଙ୍କ ଓଏଏସ ଅଫିସର ପ୍ରେମିକ ଭୀମସେନଙ୍କୁ ପୋଲିସ ପୂର୍ବରୁ ଗିରଫ କରି ସାରିଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅନ୍ଧାର ମଧ୍ୟରେ ରହିଛି।

 

ଅନ୍ୟପଟେ ତଦନ୍ତର ମନ୍ଥର ଗତିକୁ ନେଇ ଚନ୍ଦ୍ରିକାଙ୍କ ପରିବାର ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚନ୍ଦ୍ରିକାଙ୍କ ମୃତ୍ୟୁ ହେଲା, ସେ ନେଇ ପୋଲିସ ସେମାନଙ୍କୁ କୌଣସି ସ୍ପଷ୍ଟ ସୂଚନା ଦେଉ ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତେବେ କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ଘଟଣାର ସମସ୍ତ ଦିଗକୁ ବେଶ୍ ଗୁରୁତ୍ୱର ସହ ଯାଞ୍ଚ କରାଯାଉଛି। କଲ୍ ଡିଟେଲ୍ସ, ଇଲେକ୍ଟ୍ରୋନିକ ଡିଭାଇସ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସୂତ୍ରକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢ଼ାଉଛି।

 

ମୃତ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଭୀମସେନଙ୍କ ଜୀବନରେ ଅନ୍ୟ ଜଣେ ମହିଳାଙ୍କ ଉପସ୍ଥିତିକୁ ନେଇ ଚନ୍ଦ୍ରିକା ମାନସିକ ଚାପରେ ଥିଲେ। ଚନ୍ଦ୍ରିକାଙ୍କ ମା’ଙ୍କ କହିବା ଅନୁସାରେ, ମୃତ୍ୟୁର ଠିକ୍ କିଛି ସମୟ ପୂର୍ବରୁ ତାଙ୍କ ଝିଅ ଏବଂ ସେହି ମହିଳାଙ୍କ ମଧ୍ୟରେ ଫୋନରେ ପ୍ରବଳ ଝଗଡ଼ା ଓ ଯୁକ୍ତିତର୍କ ହୋଇଥିଲା। କେବଳ ସେତିକି ନୁହେଁ, ଚନ୍ଦ୍ରିକାଙ୍କ ଆଖିରେ ଧୂଳି ଦେବା ପାଇଁ ଏବଂ ନିଜର ଏହି ଗୋପନ ସମ୍ପର୍କକୁ ଲୁଚାଇବା ପାଇଁ ଭୀମସେନ ତାଙ୍କର ସେହି ମହିଳା ବନ୍ଧୁଙ୍କ ନମ୍ବରକୁ ମୋବାଇଲ୍‌ରେ ଅନ୍ୟ ଏକ ଛଦ୍ମ ନାମରେ ସେଭ୍ କରି ରଖିଥିଲେ।

 

ଘଟଣାସ୍ଥଳରୁ ଜବତ ହୋଇଥିବା ଚନ୍ଦ୍ରିକାଙ୍କ ବ୍ୟକ୍ତିଗତ ଡାଏରୀ, ଲାପଟପ୍ ଏବଂ ମୋବାଇଲ୍ ଫୋନକୁ ପୋଲିସ ଏବେ ତଦନ୍ତର ମୁଖ୍ୟ ମାଧ୍ୟମ କରିଛି। ଡିଜିଟାଲ ଫୋରେନସିକ ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ସଂପୃକ୍ତ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ପୋଲିସ ଖୁବ୍‌ଶୀଘ୍ର ଜେରା କରିବାକୁ ଯାଉଛି। ସାକ୍ଷୀମାନଙ୍କ ବୟାନ ଏବଂ ଡିଜିଟାଲ୍ ତଥ୍ୟକୁ ମିଳାଇବା ପରେ ସେହି କାଳରାତ୍ରିରେ ପ୍ରକୃତରେ କଣ ଘଟିଥିଲା, ତାହା ସ୍ପଷ୍ଟ ହେବ।

Leave A Reply

Your email address will not be published.