Latest Odisha News

BREAKING NEWS

ଉଦଯାପିତ ହେଲା ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ 

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ନଭେମ୍ବର ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବାର୍ଷିକ ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଗୁରୁବାର ଦିନ ଉଦ୍‌ଯାପିତ ହୋଇଛି । ଏହି ସାତଦିନିଆ ପ୍ରଦର୍ଶନୀରେ ୧୧୧ଟି ଷ୍ଟଲରେ ୨୦ଟି ଜିଲ୍ଲାରୁ ୧୬୮ରୁ ଊଦ୍ଧ୍ୱର୍ ଟେରାକୋଟା ଶିଳ୍ପୀ ସେମାନଙ୍କର ଅନନ୍ୟ କଳାକୃତିକୁ ପ୍ରଦର୍ଶନ ତଥା ବିକ୍ରୟ କରିଛନ୍ତି ।

ଦୀପାବଳୀ ଉପଲକ୍ଷେ ଆୟୋଜିତ ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ରଙ୍ଗବେରଙ୍ଗର ଦୀପ, ମାଟିର ଘରକରଣା ଓ ଘର ସଜେଇବା ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକୃଷ୍ଟ କରି ପାରିଥିଲା । ପ୍ରଦର୍ଶନୀରେ ଏଥର ଅତି ସୁଦୃଶ୍ୟ ଟେରାକୋଟା ରଥ ଶୋଭା ପାଇଥିଲା ।

ମାଟି ସାମଗ୍ରୀ ପ୍ରସ୍ତୁତିର ସିଧାସଳଖ ପ୍ରଦର୍ଶନ ନିମନ୍ତେ ଦର୍ଶକମାନେ ସୁଯୋଗ ପାଇଥିଲେ । ପ୍ରଦର୍ଶନୀ ପରିସରରେ କରୋନା କଟକଣା ନିୟମକୁ ପାଳନ କରାଯାଇଥିଲା ।

ଏପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଏହି ପ୍ରଦର୍ଶନୀରେ ୧ କୋଟି ୨୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବିକ୍ରିବଟା ହୋଇଛି ବୋଲି ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ପ୍ରକାଶ କହିଛନ୍ତି ।

Leave A Reply

Your email address will not be published.