Latest Odisha News

ଶୁଭାରମ୍ଭ ହେଲା ‘ସ୍ୱକଳ୍ପ’ ଅଧୀନସ୍ଥ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”, ଜଗତସିଂହପୁରରୁ ବାହାରିଲା ସ୍ଵତନ୍ତ୍ର ରଥ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି । ଏହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ହେଉଛି ଏହି ଅଭିଯାନର ଲକ୍ଷ୍ୟ।

ଗତକାଲି ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯିବା ସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। “ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ୧୦୦ ଘଣ୍ଟାର ତାଲିମ ଦିଆଯିବ । ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଟି ପର୍ଯ୍ୟାୟରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି ।

ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ । ଅକ୍ଟୋବର ୩ ଓ ୪ରେ ଖୋର୍ଦ୍ଧା, ୫ ଓ ୬ ତାରିଖରେ ନୟାଗଡ଼ ଏବଂ ୭ ତାରିଖରେ କଟକ ଜିଲ୍ଲା ଗସ୍ତ କରିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା “ସ୍ୱକଳ୍ପ”ର ପରିଚାଳନା କରାଯାଉଛି । ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ଲର୍ଣ୍ଣେଟ୍ ସ୍କିଲ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ପରିଚାଳନା କରୁଛନ୍ତି । ଏହି ଅବସରରେ ଜଗତସିଂହପୁରର ଐତିହାସିକ ଅଳକା ଆଶ୍ରମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଫଳରେ ଆଗାମୀ ଦିନରେ ଅଳକା ଆଶ୍ରମ ପରିସରରେ “ସ୍ୱକଳ୍ପ” ଲାଗି ପ୍ରାର୍ଥୀମାନଙ୍କର ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯିବ।

Leave A Reply

Your email address will not be published.