Latest Odisha News

BREAKING NEWS

ଉଜ୍ଜ୍ୱଳା ସାନିଟାରୀ ନାପକିନ୍ ଗ୍ରାମାଞ୍ଚଳରେ ମହିଳାଙ୍କ ଲାଗି ସ୍ୱଚ୍ଛତା ଏବଂ ନିଯୁକ୍ତି ସୃଷ୍ଟି କରିବ

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ଉଜ୍ଜ୍ୱଳା ଯୋଜନାରେ ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯୩ଟି ବ୍ଲକକୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବାର ରହିଥିବାବେଳେ ପାଖାପାଖି ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଏଥିପାଇଁ ୨.୯୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

“ଏହି ଅବସରରେ ମୁଁ ସମସ୍ତ କମ୍ପାନୀ ତଥା ସର୍ଭିସ ସେଣ୍ଟର ଗୁଡିକୁ ଶୁଭେଚ୍ଛା ଜ୍ଞାପନ କରୁଛି । ପ୍ରତିଟି କେନ୍ଦ୍ରରେ ୧୦ ଜଣ ମହିଳା ନିଯୁକ୍ତି ପାଇପାରିବେ । ସେମାନଙ୍କ ମଧ୍ୟାରୁ ଏହି କେନ୍ଦ୍ରଗୁଡିକରେ ୫ଜଣ ନାପକିନ୍ ତିଆରି ଏବଂ ବାକି ଅନ୍ୟମାନେ ଏହାର ବିକ୍ରିରେ ନିୟୋଜିତ ହେବେ” ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ ଉନ୍ନତ କରିବା ଏବଂ ମହିଳାଙ୍କୁ ରୋଜଗାରକ୍ଷମ ତଥା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଦୃଢ କରିବା ଏହି ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ।

ଏନଏଫଏଚଏସର ରିପୋର୍ଟ ଅନୁଯାୟୀ ମାସିକ ଋତୁସ୍ରାବ ସମୟରେ କେବଳ ମାତ୍ର ୩୩.୫ ପ୍ରତିଶତ ମହିଳା ନିଜ ସ୍ୱାସ୍ଥ୍ୟର ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ପାରିଥାନ୍ତି ।

ଅନ୍ୟପକ୍ଷରେ ୮ଟି ପ୍ୟାଡ୍ ଥିବା ପ୍ରତି ପ୍ୟାକେଟର ମୂଲ୍ୟ ୪୨ ଟଙ୍କା ରଖାଯାଇଛି । ପ୍ରତି କେନ୍ଦ୍ରରେ ଅନ୍ୟୁନ ୧୦ଟି ପରିବାର ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯିବାର ଉଦ୍ୟମ କରାଯାଇଛି ।

ଆହୁରି ମଧ୍ୟ ଦୈନିକ ୧୨୦୦ରୁ ୨୦୦୦ ପ୍ୟାଡ୍ ଉତ୍ପାଦନ ହେବ । ମହିଳାମାନଙ୍କୁ ନିଜର ରୋଜଗାର ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ ମଧ୍ୟ ଏହା ସୁଯୋଗ ପ୍ରଦାନ କରିବ ।

ଏହି ଅବସରରେ ଏଚପିସିଏଲ ଡିଜିଏମ୍ ଧର୍ମେନ୍ଦ୍ର ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗାଇନେକୋଲୋଜିଷ୍ଟ ଡଃ ସଂଯୁକ୍ତା ମହାପାତ୍ର, ନାଲକୋ ଅଧ୍ୟକ୍ଷ ଡାକ୍ତର ତପନ ଚାନ୍ଦ, ଅଭିନେତ୍ରୀ ଅପରାଜିତା ମହାନ୍ତି, ମହେଶ୍ୱତା ରାୟ ଏବଂ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.