Latest Odisha News

BREAKING NEWS

ଜାଣିପାରିଲେନି କାମୁଡିଦେଲା ସାପ, ଚାଲିଗଲା କକା-ପୁତୁରାଙ୍କ ଜୀବନ

ନୂଆପଡ଼ା: ରାତିରେ ଖୋଲା କ୍ୟାମ୍ପରେ ଶୋଇଥିବା ବେଳେ ଅଜାଣତରେ ବିଷାକ୍ତ ସାପ କାମୁଡ଼ିଦେଲା। ସାପ କାମୁଡ଼ିଥିବା ଜାଣିପାରିଲେ ନାହିଁ କକା-ପୁତୁରା। ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରେ ସେଠାରେ ଜଣାପଡ଼ିଲା କକା-ପୁତୁରାଙ୍କୁ ମଧ୍ୟ ସାପ କାମୁଡ଼ିଛି। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ ଘଟିଛି। ମୃତକ ହେଲେ ସିନାପାଲି ଥାନା ଚଚରାଭଟା ଗାଁର ଦୈତାରୀ ତାଣ୍ଡି (୪୦) ଓ ତାଙ୍କ ପୁତୁରା ଭରତ ତାଣ୍ଡି (୩୦)। ସେହିପରି ସାପ କାମୁଡ଼ାରେ ଗୁରୁତର ହୋଇଥିବା ତୁଳସୀ ବଗର୍ତ୍ତୀ (୪୫)ଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବଲଧା ଠାରେ ପୋଲ ନିର୍ମାଣ କାମରେ ସିନାପାଲି ଥାନା ଅଞ୍ଚଳର ପ୍ରାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ। ରାତିରେ ଖାଇସାରି ସମସ୍ତେ ଖୋଲା କ୍ୟାମ୍ପରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ଦୈତାରୀ, ଭରତ ଓ ତୁଳସୀଙ୍କୁ କାମୁଡ଼ିଥିଲା। ତେବେ ଦୈତାରୀ ଓ ଭରତ ସାପ କାମୁଡ଼ା ବିଷୟରେ ଜାଣିପାରିନଥିଲେ। ବିଳମ୍ବିତ ରାତିରେ ତୁଳସୀଙ୍କ ଅବସ୍ଥା ଗୁରୁତର ହେବାରୁ ଦୈତାରୀ, ଭରତ ଓ ଅନ୍ୟ ଶ୍ରମିକମାନେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପରୀକ୍ଷା ପରେ ଦୈତାରୀ ଓ ଭରତଙ୍କୁ ମଧ୍ୟ ସାପ କାମୁଡ଼ିଥିବା ଜଣାପଡ଼ିଥିଲା।

ପରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଦୈତାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଭୋର ସମୟରେ ଭରତଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏବେ ତୁଳସୀ ବଗର୍ତ୍ତୀଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦୈତାରୀ ଓ ଭରତଙ୍କ ମୃତଦେହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ଚଚରାଭଟା ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗୋଟିଏ ପରିବାରର କକା-ପୁତୁରାଙ୍କୁ ହରାଇ ଅଞ୍ଚଳବାସୀ ମଧ୍ୟ ମର୍ମାହତ ହୋଇଛନ୍ତି।

Leave A Reply

Your email address will not be published.