NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ: NEET-UG 2026 ପରୀକ୍ଷା ବାତିଲ ହେବା ପରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଦଳ କହିଛି ଯେ NEET ପେପର ଲିକ୍ ହେବାରୁ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଯାହା ଫଳରେ ପ୍ରାୟ ୨.୨ ନିୟୁତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ସେମାନଙ୍କ ପରିବାରର ଅର୍ଥ ନଷ୍ଟ ହୋଇଛି। ଏପଟେ NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଦିନ ସାମ୍ବାଦିକମାନେ ପଚାରିଥିଲେ ଯେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆଉ ଏକ ବଡ଼ ପେପର ଲିକ୍ ବିବାଦକୁ ରୋକିବାରେ ବିଫଳ ହୋଇଛି କି ନାହିଁ। ଯେଉଁ ପ୍ରଶ୍ନର ସିଧାସଳଖ ଉତ୍ତର ଦେବାକୁ ସେ ମନା କରିଦେଇଛନ୍ତି। ବିଭିନ୍ନ ସହରରେ ବିରୋଧ ତୀବ୍ର ହେବା ଏବଂ ଲକ୍ଷ ଲକ୍ଷ ଡାକ୍ତରୀ ଆଶାୟୀ ପୁନଃପରୀକ୍ଷା ସୂଚୀ ଉପରେ ସ୍ପଷ୍ଟତା ଦାବି କରିବା ପରେ ସରକାର ନୀରବ ରହିଛନ୍ତି।
ଏପଟେ କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ଏହା ପ୍ରଥମ ଥର ନୁହେଁ। ମୋଦି ସରକାରଙ୍କ ଗତ ୧୦ ବର୍ଷ ମଧ୍ୟରେ ୮୯ରୁ ଅଧିକ ପେପର ଲିକ୍ ହୋଇଛି। ପେପର ଲିକ୍ ଏବଂ ପରୀକ୍ଷା ହେରଫେର ଏବେ ବିଜେପି ସରକାରଙ୍କର ଚିହ୍ନ ପାଲଟିଛି ଆଉ ଯେଉଁଠାରେ ସରକାରୀ ପୃଷ୍ଠପୋଷକତାରେ ପେପର ଲିକ୍ ଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି।
କଂଗ୍ରେସ ଆହୁରି ମଧ୍ୟ କହିଛି ଯେ ପେପର ଲିକ୍ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଭାଙ୍ଗି ଦିଏ ଏବଂ ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରେ। ବିଜେପି ନେତାମାନେ ଛାତ୍ରଙ୍କ ଯନ୍ତ୍ରଣା ପ୍ରତି ଅନ୍ଧ କାରଣ ସେମାନଙ୍କ ପିଲାମାନେ ବିଦେଶରେ ପଢ଼ୁଛନ୍ତି। ତେବେ ସତ କଥା ହେଉଛି “ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି, ଯେଉଁଠାରେ ଯୁବପିଢ଼ିଙ୍କ ସ୍ୱପ୍ନକୁ ଚାପି ଦିଆଯାଉଛି ଏବଂ ଦେଶର ମୂଳଦୁଆକୁ ଦୁର୍ବଳ କରାଯାଉଛି।”