ନୂଆଦିଲ୍ଲୀ: ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ସୀମିତ ଓଭର ମ୍ୟାଚରେ ଅନେକ ଅବିଶ୍ୱସନୀୟ ରେକର୍ଡ ସୃଷ୍ଟି ହୋଇଛି । ମର୍ସିୱିଗୋ ୫୦ ଓଭର ବିଶିଷ୍ଟ ମୁକାବିଲାରେ ସ୍କ୍ରପିୟନ କ୍ରିକେଟ କ୍ଲବ ଓ ମେଥେନ ଲୟନ୍ସ ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କ୍ରପିୟନ ୫୦ ଓଭରରେ ୮୨୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ମେଥେନ ଲାୟନ୍ସ ୨୮ ରନ କରିଥିଲା । ସ୍କ୍ରପିୟନ ୭୯୪ ରନ ବ୍ୟବଧାନରେ ଏହାକୁ ଜିତିଥିଲା । ଯଦି ଏହା ଅଫିସିଆଲ ଲିଷ୍ଟ ଏ କ୍ରିକେଟ ମ୍ୟାଚ ହୋଇଥାନ୍ତା ତେବେ ଏହି ସମସ୍ତ ରେକର୍ଡ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥାନ୍ତା ।
ୱିଲଫ୍ରେଡ ମାଟେଂଡ ୭୫ ବଲରେ ୨୩ ଚୌକା ଓ ୧୩ ଛକାରେ ୨୦୩ ରନ କରିଥିଲେ । ତାକୁଣ୍ଡା ମାଡେମ୍ବୋ ୧୪୩ ବଲରେ ୩୦୨ ରନ କରିଥିଲେ । ଏଥିରେ ୫୦ ଚୌକା ଓ ୭ଛକା ସାମିଲ । ସବୁଠାରୁ ମଜା କଥା ମେଥେନ ଲାୟନ୍ସ ୧୦୮ ଅତିରିକ୍ତ ରନ ଦେଇଥିଲେ । ମେଥେନ ମାତ୍ର ୭.୫ ଓଭରରେ ୭ ୱିକେଟ ବିନିମମୟରେ ୨୮ ରନ କରିଥିବା ବେଳେ ମ୍ୟାଚକୁ ରୋକା ଯାଇ ସ୍କ୍ରପିୟନ ଟିମକୁ ବିଜୟୀ ଘୋଷିତ କରାଯାଇଥିଲା । ଲିଷ୍ଟ ଏ କ୍ରିକେଟରେ ସର୍ବାଧିକ ଟିମ ସ୍କୋର ବିଜୟ ହଜାରେ ଟ୍ରଫିରେ ବିହାର ସଂଗ୍ରହ କରିଛି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିହାର ୫୭୪ ରନ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ୮୪ ବଲରେ ୧୯୦ ରନ କରିଥିଲେ ।