Latest Odisha News

BREAKING NEWS

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

କଟକ: ଓଡ଼ିଶାରେ ଏବେ ଆଚ୍ଛା ଦିନ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଯୋଗ ଦେଇ କହିଛନ୍ତି ।

ଉଦଘାଟକ ଭାବେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଭକ୍ତିଭାବ ଆସେ । ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଗୁଜୁରାଟର ଅହମ୍ମଦବାଦରେ ଜଗନ୍ନାଥ ଅଛନ୍ତି ଓ ପୁରୀରେ ବି ଜଗନ୍ନାଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥ ହିଁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଭକ୍ତି ଓ ସଂସ୍କୃତିରେ ଯୋଡ଼ି ରଖିଛନ୍ତି ।

ସେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି । ଓଡ଼ିଶାର ଅଚ୍ଛେ ଦିନର କାରଣ ଆଜି ଓଡ଼ିଶାର ଗରିବ ପରିବାରରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ମହାମହିମ ହୋଇଛନ୍ତି । ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀମଣ୍ଡଳିରେ ସାମିଲ ଅଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ସ୍ୱାଧୀନତା ପରେ କେବେ ବି ମିଳି ନାହିଁ ।

ଉତ୍କଳ କେଶରୀ ମହାତାବ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶ ପାଇଁ ଲଢ଼େଇ କରିଥିଲେ । ଉତ୍କଳ ପ୍ରଜାଙ୍କୁ ସର୍ବଦା ନିଜ କାମ ଦ୍ୱାରା ସେ ଗୌରବାନ୍ୱିତ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନରେ ସ୍ୱର ଦେବାର କାମ କରିଛି ବୋଲି ଶ୍ରୀ ଶାହ କହିଛନ୍ତି ।

କାର୍ଯ୍ୟକ୍ରମରେ ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ଦେଇଛନ୍ତି।  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ପ୍ରଜାତନ୍ତ୍ର ପରିବାରକୁ ମୋର ଅଭିନନ୍ଦନ ଜଣାଉଛି। ଖୁସିର କଥା, ଏହି କାର୍ଯ୍ୟକ୍ରମରେ ଆଜି ଆମ ସହିତ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ମୁଁ ତାଙ୍କୁ ଓଡ଼ିଶାକୁ ସ୍ବାଗତ କରୁଛି ।
ସେ କହିଛନ୍ତି, ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ। ଗଣମାଧ୍ୟମ ଲୋକଙ୍କ ସ୍ବର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉ। ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ। ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ମୁଁ ଚିନ୍ତା କରେ ‘ପ୍ରଜାତନ୍ତ୍ର’ କେବଳ ସଠିକ୍ ରାଜନୈତିକ ଉଦ୍ଦେଶ୍ୟର ପ୍ରବର୍ତ୍ତକ କିମ୍ବା ମାର୍ଗଦର୍ଶକ ନ ଥିଲା ବରଂ ଓଡ଼ିଆ ଜନ ଆକାଂକ୍ଷା, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ  ତଥା ଓଡ଼ିଆ ଜନଜୀବନର ସଠିକ୍ ଦର୍ପଣ ଥିଲା । ଏଥିପାଇଁ ପ୍ରଜାତନ୍ତ୍ରକୁ ନେଇ ମୁଁ ମନ ଭିତରେ ଶ୍ରଦ୍ଧା କରେ । ଏହି ଅନୁଷ୍ଠାନ ଓଡ଼ିଆ ସ୍ୱାଭିମାନ ଓ ଅଭିବ୍ୟକ୍ତିର ନିଚ୍ଛକ ପ୍ରତୀକ ।

ଶ୍ରୀ ପ୍ରଧାନ ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଜାତନ୍ତ୍ର ଓ ଓଡ଼ିଆ ବୌଦ୍ଧିକ ସମ୍ପଦକୁ ନସ୍ତମସ୍ତକ ହୋଇ ପ୍ରଣାମ ଜଣାଇଛନ୍ତି । ସ୍ୱାଧୀନତା ପୂର୍ବ ଓଡ଼ିଶାର ଲଢେଇ ଓ ସ୍ୱାଧୀନତା ପରର ଓଡ଼ିଶାର ଦୃଷ୍ଟି, ଏ ସବୁ ବିଷୟକୁ ‘ପ୍ରଜାତ’ନ୍ତ୍ର ଓ ଡ଼. ମହତାବଙ୍କୁ ଛାଡ଼ି କଳ୍ପନା କରିବା ଅସମ୍ଭବ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଦେଶକୁ ଏକତ୍ରୀକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଦୈନିକ ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଗୃହ ମନ୍ତ୍ରୀ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିଥିଲେ । କଟକ ଗସ୍ତ କାଳରେ ଶ୍ରୀ ଶାହଙ୍କୁ କଟକର ନିଶାମଣୀ ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦଘାଟକ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଟ୍ରଷ୍ଟି ଲୋକରଂଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.