Latest Odisha News

ଶେଷ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି । ଏ ଦୁଇ ନେତା ଆଗାମୀ ଦିନରେ ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଥିବା ବେଳେ ଏଭଳି ଏକ ଖବର ଆସିଛି। ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ବେଳେ ଅଶ୍ବିନୀ ବୈଷ୍ନବ ଓଡ଼ିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପିର ୬୦ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ୫୭ ଜଣ ନେତାଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେବ।

ସବୁଠାରୁ ଅଧିକ ୧୦ଟି ପଦବୀ ଖାଲି ଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଏହା ପରେ ମହାରାଷ୍ଟ୍ର ଓ ବିହାରରେ ୬ଟି ଲେଖାଏଁ ପଦବୀ ଖାଲି ପଡ଼ିଛି। ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ, କର୍ଣ୍ଣାଟକ ଓ ଗୁଜରାଟରେ ୪ଟି ଲେଖାଏଁ ଏବଂ ଓଡ଼ିଶା, ତେଲେଙ୍ଗାନା, କେରଳ ଓ ଆନ୍ଧ୍ରପ୍ରଦେଶରେ ୩ଟି ଲେଖାଏଁ ପଦବୀ ଖାଲି ପଡ଼ିଛି।

ଝାଡ଼ଖଣ୍ଡ ଓ ରାଜସ୍ଥାନରେ ୨ଟି ଲେଖାଏଁ ପଦବୀ ଖାଲି ପଡ଼ିଥିବା ବେଳେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ପଦବୀ ଖାଲି ପଡ଼ିଛି। ଜୁଲାଇରେ ୪ ଜଣ ମନୋନୀତ ସଦସ୍ୟ ମଧ୍ୟ ଅବସର ନେବେ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶ ବାହାରେ ଏକ ଆସନ ଖୋଜିବାକୁ ପଡ଼ିବ, କାରଣ ସେଠାରେ ବର୍ତ୍ତମାନ କଂଗ୍ରେସ କ୍ଷମତାରେ ଅଛି।

କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଗତବର୍ଷ କ୍ଷମତାକୁ ଆସିଥିବା କଂଗ୍ରେସ ମଧ୍ୟ ରାଜ୍ୟସଭାକୁ ପ୍ରାର୍ଥୀ ପଠାଇପାରେ। ଦଳ ତେଲେଙ୍ଗାନାରୁ ଅତି କମରେ ଦୁଇ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆଶା ରଖିପାରେ ।

Comments are closed.