Latest Odisha News

ମୁହଁ ଖୋଲିଲେ ହସିନା: ସିଧା କହିଲେ ଭୁଲ୍ କରୁଛନ୍ତି ସରକାର, ଜଣେ ସାଧୁଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ପରେ ପାଖାପାଖି ୩ ମାସ ହେବ ଭାରତରେ ଲୁଚି ବସିଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାମନ୍ତ୍ରୀ ଶେଖ୍ ହସିନା । ସେବେଠୁ ତାଙ୍କର କିଛି ବି ଟେର୍ ନାହିଁ । ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବେଳେ ଏବେ ବୟୁଦିନ ପରେ ବାଂଲାଦେଶ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ହସିନା । ସିଧା ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ହିନ୍ଦୁ ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କୁ ସମର୍ଥନ କରି ସରକାର ଭୁଲ୍ କରୁଛନ୍ତି ବୋଲି ବିବୃତ୍ତି ରଖିଛନ୍ତି ।

ତେବେ ଭାରତରେ ଲୁକାୟିତ ଭାବେ ରହିବା ପରେ ଯେମିତି ପୂରା ଥମି ଯାଇଥିଲା ହସିନାଙ୍କ ସ୍ବର । ଅନ୍ତରୀଣ ୟୁନୁସ ସରକାର ବାଂଲାଦେଶର ହିଂସା ପାଇଁ ପୂର୍ବ ହସିନା ସରକାରଙ୍କୁ ଦାୟୀ କରି ତାଙ୍କ ବିରୁଦ୍ଧରେ ଅଧିକ ଜନଆକ୍ରୋଶ ସୃଷ୍ଟି କରୁଥିବା ବେଳେ ଏଥିରେ ପଦଟିଏ ବି କହିନଥିଲେ ହସିନା । ହେଲେ ଏବେ ୩ ମାସ ପରେ ନିରବତା ଭାଙ୍ଗିଛନ୍ତି । ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ।

ତେବେ ଏହାକୁ ନେଇ ହସିନା ଜରି କରିଥିବା ବିବୃତ୍ତିରେ କୁହାଯାଇଛି ଯେ, ସନାତନ ଧର୍ମ ସମ୍ପ୍ରଦାୟର ଜଣେ ଶୀର୍ଷ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି । ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ଅତୀତରେ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ଦରଗା, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ, ଭଙ୍ଗାରୁଜା, ଲୁଟ୍ ଓ ନିଆଁ ଲଗାଇ ଦିଆଯାଇଥିଲା । ସରକାର ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । ଚିଟଗୋଙ୍ଗରେ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି, ଏହି ହତ୍ୟାକାଣ୍ଡକୁ ତୀବ୍ର ବିରୋଧ କରାଯାଉଛି।  ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରି ତୁରନ୍ତ ଦଣ୍ଡ ମିଳିବା ଦରକାର। ଏହି ଘଟଣା ମାଧ୍ୟମରେ ମାନବିକ ଅଧିକାରର ଘୋର ଉଲ୍ଲଂଘନ ହୋଇଛି। ଜଣେ ଓକିଲ ନିଜର ବୃତ୍ତିଗତ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇଥିଲେ ଏବଂ ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ସେମାନେ ଆତଙ୍କବାଦୀ। ସେମାନେ ଯିଏ ବି ହୁଅନ୍ତୁ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ହସିନା କହିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ, ଯଦି ଅସାମ୍ବିଧାନିକ ଭାବେ ୟୁନୁସ୍ ସରକାର ଏହି ଆତଙ୍କବାଦୀମାନଙ୍କୁ ଦଣ୍ଡିତ କରିବାରେ ବିଫଳ ହୁଅନ୍ତି, ତେବେ ମାନବାଧିକାର ଉଲ୍ଲଂଘନ ପାଇଁ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହିତ ଏଭଳି ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ବାଂଲାଦେଶ ବାସୀଙ୍କୁ ନିବେଦନ କରିଛନ୍ତି ହସିନା।

ତେବେ କହିରଖୁଛୁ, ବାଂଲାଦେଶରେ ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି । ଭାରତ ଏବଂ ଅନ୍ୟାନ୍ୟ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ଏହି ଗିରଫଦାରୀକୁ ତୀବ୍ର ବିରୋଧ କରିଥିଲେ। ଚିନ୍ମୟଙ୍କୁ ପୂର୍ବରୁ ଇସ୍କନରୁ ମଧ୍ୟ ବହିଷ୍କାର କରାଯାଇଛି ।

Comments are closed.