Latest Odisha News

BREAKING NEWS

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି ବିନିମୟ, ଏଣିକି ଶ୍ରୀଲଙ୍କାରେ ଲଞ୍ଚ ହେବ ୟୁପିଆଇ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏକ ଅନେକ ଚୁକ୍ତି ବିନିମୟ ହୋଇଥିଲା ଏବଂ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପଡୋଶୀ ନୀତି ଏବଂ ‘ସାଗର’ (SAGAR) ଭିଜନରେ ଶ୍ରୀଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଶ୍ରୀଲଙ୍କାରେ ୟୁପିଆଇ ଆରମ୍ଭ କରିବାକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜି ହୋଇଛନ୍ତି।

ଅର୍ଥନୈତିକ ଭାଗିଦାରୀକୁ ବିସ୍ତାର କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ଏକ ଉଚ୍ଚାଭିଳାଷୀ ଦଲିଲ ଗ୍ରହଣ କରିଛି। ମୋଦୀ କହିଛନ୍ତି ଯେ ୟୁପିଆଇ ପେମେଣ୍ଟ ଦ୍ୱାରା ଫିଣ୍ଟେକ୍ କନେକଟିଭିଟି ବୃଦ୍ଧି ପାଇବ। ଏହା ଦ୍ୱାରା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସାମୁଦ୍ରିକ, ବାୟୁ, ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ମଜବୁତ ହେବ। ସେହିପରି ଦ୍ୱିପାକ୍ଷିକ ଆଲୋଚନାରେ ମତ୍ସ୍ୟଜୀବୀଙ୍କ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଦୁଇ ଦେଶ ମଧ୍ୟରେ ବାୟୁ ସଂଯୋଗ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ୱିକ୍ରମସିଂଘେ ରାଜି ହୋଇଛନ୍ତି। ବ୍ୟବସାୟ ତଥା ସାଧାରଣ ଲୋକଙ୍କ ଗତିବିଧି ପାଇଁ ତାମିଲନାଡୁର ନାଗପଟ୍ଟିନମ୍ ଏବଂ ଶ୍ରୀଲଙ୍କାର କାଙ୍କେସନ୍ତୁରାଇ ମଧ୍ୟରେ ଏକ ନୌକା ସେବା ଆରମ୍ଭ କରିବାର ଯୋଜନା ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ଉଭୟ ଦେଶ ମାନବିକ ଭାବରେ ଆଗକୁ ବଢିବା ଉଚିତ୍ ବୋଲି ସହମତ ହୋଇଛି। ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱିକ୍ରମସିଂଘେଙ୍କୁ ପ୍ରଥମରେ ହାଇଦ୍ରାବାଦ ହାଉସରେ ସ୍ୱାଗତ କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶ ରଣନୀତିକ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରୁଛନ୍ତି।

ଦୁଇ ନେତାଙ୍କ ବୈଠକରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଶକ୍ତି, ବିଜୁଳି ଏବଂ ବନ୍ଦର ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଶା କରାଯାଉଛି ଯେ ଶ୍ରୀଲଙ୍କା ସରକାର ତାମିଲଙ୍କ ଆକାଂକ୍ଷା ପୂରଣ କରିବ ଏବଂ ସମାନତା, ନ୍ୟାୟ ଏବଂ ଶାନ୍ତି ପ୍ରକ୍ରିୟାକୁ ଆଗକୁ ବଢାଇବ। ଅନ୍ୟପଟେ ରାଷ୍ଟ୍ରପତି ୱିକ୍ରମସିଂଘେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଏକ ଟେକ୍ନୋଲୋଜି ସହଯୋଗ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅଗ୍ରାଧିକାର କ୍ଷେତ୍ରରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗରେ ଏହା ସହାୟକ ହେବ। ଶ୍ରୀଲଙ୍କା ପର୍ଯ୍ୟନ୍ତ ଏକ ମଲ୍ଟି ପ୍ରୋଜେକ୍ଟ ପେଟ୍ରୋଲିୟମ ପାଇପଲାଇନ ପ୍ରତିଷ୍ଠା କରାଯିବ। ଏହା ଶ୍ରୀଲଙ୍କାକୁ ଆର୍ଥିକ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇବ।

ସୂଚନା ଥାଉକି, ଶ୍ରୀଲଙ୍କା ଆର୍ଥିକ ଦୃଷ୍ଟିରୁ ଦେବାଳିଆ ହୋଇଯାଇଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବାରେ ଲାଗିଛି। ସର୍ବସାଧାରଣ ସ୍ଥାନ, ରେଷ୍ଟୁରାଣ୍ଟରେ ଜନସମାଗମ ଆରମ୍ଭ ହୋଇଛି | ସେଠାରେ ଉଭୟ ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ସମାବେଶ ରହିଛି। ଏହି ସମୟରେ ଗତ ବର୍ଷ ଏହି ଦେଶ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଶ୍ରୀଲଙ୍କାର ଆୟର ମୁଖ୍ୟ ଉତ୍ସ ହେଉଛି ପର୍ଯ୍ୟଟନ, ଯେଉଁଥିରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୩୦ ପ୍ରତିଶତ ବୃଦ୍ଧି ଘଟିଛି।

Leave A Reply

Your email address will not be published.