Latest Odisha News

BREAKING NEWS

୧.୨ ବିଲିୟନ୍‌ ଡଲାର୍‌ର ଜୋରିମାନା ଭରିବ ଇସ୍ରୋର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନ୍‌

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନକୁ ଚୁକ୍ତିନାମା ଭାଙ୍ଗିବା ଅଭିଯୋଗରେ ବାଙ୍ଗାଲୋର ସ୍ଥିତ ଷ୍ଟାର୍ଟଅପ୍ ଡିୱାସ୍‌ ମଲ୍ଟିମିଡିଆକୁ ୧.୨ ବିଲିୟନ ଡଲାର ଜୋରିମାନା ଦେବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫେବୃଆରୀ ୨୦୧୧ରେ, ଆଣ୍ଟ୍ରିକ୍ସ କର୍ପୋରେସନ୍ ଡିୱାସ୍ ସହିତ ସାଟେଲାଇଟ୍ ଉତ୍ପାଦନ ଏବଂ ଉତକ୍ଷେପଣ ପାଇଁ ହୋଇଥିବା ଚୁକ୍ତି ଭଙ୍ଗ କରିଥିଲା। ଜାନୁଆରୀ ୨୦୦୫ ରେ ଆଣ୍ଟ୍ରିକ୍ସ ଏବଂ ଡିୱାସ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, ଡିୱାସ୍ ପାଇଁ ଦୁଇଟି ଉପଗ୍ରହ ନିର୍ମାଣ, ଉତକ୍ଷେପଣ ଏବଂ ପରିଚାଳନା ପାଇଁ ସହମତି ପ୍ରକାଶ ହୋଇଥିଲା।

ଏହାର ସହାୟତାରେ ବାଙ୍ଗାଲୋର ଭିତ୍ତିକ ଷ୍ଟାର୍ଟଅପ୍ କମ୍ପାନୀ ଡିୱାସ୍ ମଲ୍ଟିମିଡ଼ିଆରେ ୭୦ ମେଗାହଟ୍‌ଜ ଏସ୍-ବ୍ୟାଣ୍ଡ ସ୍ପେକ୍ଟ୍ରମ ଯୋଗାଇବାକୁ ଯୋଜନା କରାଯାଇଥିଲା, ଯାହା ମାଧ୍ୟମରେ ଡିୱାସ୍ ସମଗ୍ର ଭାରତରେ ହାଇବ୍ରିଡ୍ ଉପଗ୍ରହ ଏବଂ ଯୋଗାଯୋଗ ସେବା ଯୋଗାଇବାକୁ ଯୋଜନା କରିଥିଲା। ଫେବୃଆରୀ ୨୦୧୧ରେ ଆଣ୍ଟ୍ରିକ୍ସ କର୍ପୋରେସନ ଦ୍ୱାରା ଏହି ଚୁକ୍ତିନାମାକୁ ବାତିଲ କରାଯାଇଥିଲା।

ତେବେ ଏହା ପରେ ପରବର୍ତ୍ତୀ ଅନେକ ବର୍ଷ ପାଇଁ ଡିୱାସ୍‌ ଭାରତର ବିଭିନ୍ନ ଆଇନର ସାହାଯ୍ୟ ନେଇଥିଲା। ଏପରିକି ସେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଏହି ମାମଲାକୁ ଟ୍ରିବ୍ୟୁନାଲକୁ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୨୦୧୮ ରେ, କମ୍ପାନୀ ଏହି ମାମଲାକୁ ଆମେରିକାର କୋର୍ଟକୁ ନେଇଥିଲା।

ଆଣ୍ଟ୍ରିକ୍ସ କର୍ପୋରେସନ ଏହା ବିରୋଧରେ ନ୍ୟାୟିକ ଅଧିକାରର ପ୍ରସଙ୍ଗ ଉଠାଇ ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଅକ୍ଟୋବର ୨୭ ତାରିଖର ୱାଶିଂଟନ୍ ଜିଲ୍ଲା କୋର୍ଟର ବିଚାରପତି ଥୋମାସ୍ ଏସ୍ ଜିଲି ରାୟ ଦେଇଥିଲେ ଯେ ଆଣ୍ଟ୍ରିକ୍ସ ଡିୱାସ୍‌କୁ ୫୬.୨୫ କୋଟି ଟଙ୍କା କ୍ଷତିପୂରଣ ଏବଂ ସୁଧ ପ୍ରଦାନ କରିବ। କ୍ଷତିପୂରଣ ଏବଂ ସୁଧ ଅନ୍ତର୍ଭୁକ୍ତ କରି ଏହି ପରିମାଣ ୧.୨ ବିଲିୟନ ଡ଼ଲାରରେ ପହଞ୍ଚିଛି।

Comments are closed.