Latest Odisha News

ଉତ୍କଳ ସମ୍ମିଳନୀ ଓ ଭାରତୀୟ ଜାତୀୟତାର ପ୍ରଶ୍ନ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ – କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ ଉତ୍କଳ ସମ୍ମିଳନୀରେ ଆମେ ଓଡିଆ ଜାତୀୟତା ଓ ଭାରତୀୟ ଜାତୀୟତା ର ଏକ ରୋମାଂଚକର ସମନ୍ୱୟ ଦେଖିବାକୁ ପାଇଲୁ । ସେଦିନ ପ୍ରଥମ ଥର ଲାଗି ଭାରତକୁ ମାତା ବୋଲି ସମ୍ବୋଧନ କରି ସଂସ୍କୃତ ଓ ବଂଗଳା ଭାଷା ରେ ଦୁଇଟି ଗୀତ ଗାନ କରାଯାଇଥିଲା । ସଂସ୍କୃତ ଗୀତଟି ଥିଲା କବିବର ରାଧାନାଥ ରାୟଂକ ରଚିତ ” ସର୍ବେଷାମ୍ ନୋ ଜନନୀ ଭାରତ ଧରଣୀ କଲ୍ପଲତେୟଂ …ଏବଂ ଏହି ଗୀତ ସହିତ ଦେଶକୁ ମା ଭାବରେ ପୂଜା କରିବାର ଜାତୀୟ ଚେତନା ବୋଧହୁଏ ରାଜନୈତିକ ସ୍ତରରେ ଆମ ରାଜ୍ୟରେ ପ୍ରଥମ ଥର ଲାଗି ବିକଶିତ ହୋଇଥିଲା । ଏହା ପୂର୍ବରୁ ଓଡିଆ ସାହିତ୍ୟରେ କୋଉଠି ହେଲେ ଦେଶକୁ ମା ଅଥବା ଦେବୀ ଭାବରେ ଚିତ୍ରିତ କରାଯାଇନାହିଁ ।

ଦେଶ ସବୁବେଳେ “ଭାରତ ବର୍ଷ ” ଓ ଏହା ପୁଂ ଲିଂଗ ବାଚକ ଭାବରେ ବିବେଚିତ। ଉତ୍କଳ ସମ୍ମିଳନୀର ଏହି ଅଧିବେଶନରେ ଭାରତ ଜନନୀ ଓ ଉତ୍କଳ ଜନନୀକୁ ଏକା ମଞ୍ଚରେ ଓ ଏକା ସାଂଗରେ ପ୍ରତିଷ୍ଠିତ କରୁଛନ୍ତି । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ରେ ବୋଲା ଯାଇଥିବା ବଂଗାଳୀ ଗୀତଟି ଭାରତ ଜନନୀଙ୍କୁ ଲୁହ ଜର ଜର ଓ କରୁଣ ଭାବରେ ବର୍ଣନା କରିଛି। “ଜନନୀ ଦୁଖିନୀ କେନ ମଲିନ ବଦନ , ଅଶ୍ରୁ ନୀରେ ଭାସେ କେନ କମଲ ନୟନ …”.ଉତ୍କଳ ସମ୍ମିଳନୀ ରେ ବଂଗଲା ଭାଷାରେ ରଚିତ ଏହି ସଂଗୀତ ରେ ଉତ୍କଳ ଲାଗି କୌଣସି ବାର୍ତ୍ତା ନଥିବା ବେଳେ ଏଥିରେ ଭାରତ ମାତା ର ବ୍ୟଥା ଓ ବେଦନାକୁ ଦୂର କରି ଏକତା ସୂତ୍ରରେ ବାନ୍ଧି ହେବାକୁ ସକଳ ଭାରତୀୟଂକୁ ଆହ୍ୱାନ ଦିଆଯାଇଛି । ରାଧାନାଥ କିନ୍ତୁ ତାଂକର ଭାରତ ଗୀତିକା ରେ ଭାରତ ମାତା ଓ ଉତ୍କଳ ଜନନୀଙ୍କୁ ଗୋଟିଏ ସୂତ୍ରରେ ଗୁନ୍ଥିଛନ୍ତି । ଆପାତତଃ ଏହାହିଁ ଓଡିଶାର ଜାତୀୟ ଓ ବୌଦ୍ଧିକ ଜୀବନରେ ଭାରତ ମାତା ଚେତନାର ପ୍ରଥମ ଉଦୟ । ତାପରେ ମଧୁସୂଦନ ରାଓଙ୍କ ପ୍ରସିଦ୍ଧ କବିତା “ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ”। ଚୋଖି ରାଗରେ ରଚିତ ଏହି କବିତାରେ ଦେଶ କୁ ମାତା ରୂପରେ ପୂଜା କରିବାର ପରମ୍ପରା କୁ ପ୍ରତିଷ୍ଠା ଦେଇଛି ।

ଏହି ଐତିହାସିକ ପୃଷ୍ଠଭୂମି କୁ ଉଦାହରଣ ଭାବରେ ବ୍ୟବହାର କରି ଏବେ ମୂଳ ପ୍ରସଂଗକୁ ଆସିବା । ଓଡିଶା ପରି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ଜାତୀୟତା ଓ ଦେଶ ବନ୍ଦନାର ପରମ୍ପରା ନିର୍ମାଣ ହୋଇଛି । ସ୍ୱାଧିନତା ଆନ୍ଦୋଳନ ଏହି ସବୁ ପରମ୍ପରାକୁ ଏକାଠି କରି ଏକ ସର୍ବଜନ ଗୃହୀତ ଓ ସର୍ବଜନ ସମ୍ମତ ଜାତୀୟତାକୁ ପୁନଃ ପ୍ରତିଷ୍ଠା ଦେଇଛି । ଜାତୀୟତାର ନବ ନିର୍ମାଣ ପର୍ବରେ ଭାରତ ମାତାର ସଂଜ୍ଞା ନିରୂପଣ କରିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ୍ ନେହେରୁ ତାଂକର “ଡିସ୍କଭରୀ ଅଫ ଇଣ୍ଡିଆ” ପୁସ୍ତକର ତୃତୀୟ ଅଧ୍ୟାୟ ରେ ଲେଖିଥିଲେ – “ସ୍ୱାଧିନତା ଆନ୍ଦୋଳନ ସମୟରେ ଗୋଟେ ସଭାରୁ ଆଉ ଗୋଟେ ସଭାକୁ ଘୂରି ବୁଲିବା ବେଳେ ମୁଁ ଲୋକ ମାନଂକୁ ଆମର ଦେଶ କଥା କହୁଥିଲି । ଦେଶ କହିଲେ ଆମେ ହିନ୍ଦୁସ୍ତାନ୍ ବା ଭାରତ ବୋଲି ବୁଝୁ। ଭାରତ ସେଇ ପୁରାଣ ପ୍ରସିଦ୍ଧ ରାଜାଂକ ନାମରେ ନାମିତ । ମୁଁ ଏ ଦେଶର କୃଷକମାନଂକଠାରୁ ଜାଣିବାକୁ ଚାହୁଁଥିଲି ସେମାନେ ଦେଶକୁ କେମିତି ବୁଝନ୍ତି। ଏ ଦେଶର ଚାଲି ଚଳନୀ ଯେତେ ଅଲଗା ହେଲେ ବି ସବୁଠି କୃଷକ ମାନଂକର ସମସ୍ୟା ଏକ। ସବୁଠି ଦାରିଦ୍ର‌୍ୟ,ଋଣ ବୋଝ, ଜମିଦାରୀ, ନ୍ୟସ୍ତ ସ୍ୱାର୍ଥ, ମହାଜନୀ କାରବାର, ପୋଲିସ୍ ଜୁଲୁମ୍- ସବୁ କିଛି ବିଦେଶୀ ଶାସକର କୁଶାସନର ଫଳ।“ ନେହେରୁ ପ୍ରଥମ ଥର ଲାଗି ମାନବୀୟ ସମସ୍ୟା ଓ ରାଜନୈତିକ ସଂକଟ ର ଆଧାରରେ ଜାତୀୟତା ର ପ୍ରସଂଗକୁ ଆଲୋଚନା କରୁଛନ୍ତି। ଧର୍ମ, ଜାତି ଓ ଅଂଚଳ ଭେଦକୁ ପୂରାପୂରି ଖାରଜ କରି କୃଷକ ଓ ଶ୍ରମିକର ଜୀବନ-ଜୀବିକା କୁ ଜାତୀୟତାର ଆଧାର ଭାବରେ ଉପସ୍ଥାପନ କରୁଛନ୍ତି। ତେଣୁ ନେହେରୁଙ୍କ ଜାତୀୟତାକୁ ନେଇ ଆଜିର ଶାସକ ବର୍ଗ ବ୍ୟତିବ୍ୟସ୍ତ ହେବା ସ୍ଵାଭାବିକ!
ସେଇ ଜାଗାରେ ନେହେରୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ କଥା କହୁଛନ୍ତି ।

“କୌଣସି ସଭାରେ ପହଂଚିଲା ପରେ ଲୋକେ ଭାରତ ମାତାକୀ ଜୟ ବୋଲି ସ୍ଲୋଗାନ୍ ଦେଇ ଆମକୁ ସ୍ୱାଗତ କରନ୍ତି । ମୁଁ ସେମାନଂକୁ ପଚାରେ- କୁହନ୍ତୁ ତ, ଏ ସ୍ଲୋଗାନ୍ ର ମାନେ କଣ? କିଏ ଏଇ ଭାରତ ମାତା ? ସେମାନେ ଟିକେ ବିବ୍ରତ ଓ ଇତସ୍ତତଃ ହୁଅନ୍ତି । ମୁଁ ପୁଣି ସେମାନଂକୁ ସେଇ ସମାନ ପ୍ରଶ୍ନ ପଚାରେ। ଶେଷରେ ଜଣେ ଜାଠ କୃଷକ କୁହନ୍ତି- ଏଇ ଧରିତ୍ରୀ ଆମର ଭାରତମାତା । ମୁଁ ପୁଣି ପଚାରେ, ଧରିତ୍ରୀ ମାନେ କଣ କେବଳ ନିଜର ଗାଁ, ନିଜର ଜିଲ୍ଲା, ନିଜର ରାଜ୍ୟ ନା ପୂରା ଭାରତ ଦେଶ ? ସେମାନେ ପ୍ରଶ୍ନାକୁଳ ଆଖିରେ ମୋତେ ଦେଖନ୍ତି। ମୁଁ କହେ, ହଁ, ଏ ମାଟି ଆମର ମାତା । ଏହାର ପର୍ବତ ଓ ସମୁଦ୍ର, ଏହାର ଜଂଗଲ ଓ କ୍ଷେତ, ସବୁ ଆମର ପ୍ରିୟ। ତେବେ ସବୁଠୁ ବଡ ହେଉଛି ଏ ଦେଶର ପ୍ରତ୍ୟେକ ମଣିଷ।

ଭାରତ ମାତା ହେଉଛି ଏହି ବିଶାଳ ଜନ ସମୂହ । ଆମେ ସମସ୍ତେ ଭାରତ ମାତାର ଅଂଶ ବିଶେଷ । ତମେ ଯେଉଁ ମାନେ ଭାରତ ମାତା କି ଜୟ ବୋଲି ସ୍ଲୋଗାନ ଦେଉଛ, ତମେ ନିଜେ ଇ ନିଜର ଜୟ ଜୟକାର କରୁଛ।” ବୋଧ ହୁଏ ଭାରତମାତା ର ସବୁଠୁ ସୁନ୍ଦର ସଂଜ୍ଞା ଏହାଠୁ ଅଲଗା କିଛି ହୋଇ ପାରିବ ନାହିଁ । ଭାରତ ମାତା, ଏକ ମାନଚିତ୍ର, ମୂର୍ତ୍ତି ବା ପତାକା ନୁହଁ, ସେ ଏ ଦେଶର ୧୩୦ କୋଟି ଭାରତୀୟଂକ ଆତ୍ମାର ପ୍ରତିମା। ଏତକ ବୁଝିଗଲେ ଆମର ସବୁ ସମସ୍ୟା ତୁଟି ଯାଆନ୍ତା। ଆଜି ଆମେ ଜାତୀୟତାର ନୂଆ ଅର୍ଥ ଓ ତତ୍ତ୍ୱ ତିଆରି କରିଛୁ। ଦେଶ ଆମର, କିନ୍ତୁ ଦେଶର ସବୁ ନାଗରିକ ଆମର ନୁହନ୍ତି । ବୈଚାରିକ ଓ ରାଜନୈତିକ ମତ ବିରୋଧକୁ ଦେଶଦ୍ରୋହ ସହିତ ଯୋଡ଼ିବାର ଏକ ଜଘନ୍ୟ ଖେଳ ଏବେ ଦେଶର ଅସ୍ତିତ୍ୱକୁ ଦୋହଲାଇ ସାରିଛି। ନେହେରୁ ଯେଉଁ ଜାତୀୟତାର ମଞ୍ଜ କଥା କହୁଥିଲେ ଠିକ ତାର ବିପରୀତରେ ଆମର ଜାତୀୟତା ଏବେ ପ୍ରବାହିତ ହେଉଛି।

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.