Latest Odisha News

ଚଣ୍ଡିଗଡ଼ରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡିଗଡ଼ : ରାଜ୍ୟ ହେଉ ଅବା ରାଜ୍ୟ ବାହାରେ ଓଡ଼ିଆମାନେ ଯେଉଁଠି ରହନ୍ତି ଓଡ଼ିଆତ୍ୱକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ପଞ୍ଜାବର ଚଣ୍ଡିଗଡ଼ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଖୁବ ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।

ଚଣ୍ଡିଗଡ଼ ଉତ୍କଳ ସାଂସ୍କୃତିକ ସଙ୍ଘର ସଭାପତି ଆର.କେ.ରଥ, ଉପ-ସଭାପତି ଏସ୍.କେ.ଭୂୟାଁ ଏବଂ ସମ୍ପାଦକ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନ ଓ ସହ ସମ୍ପାଦକ ଅନୀଲ ମଲ୍ଲିକଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି, ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଦିଗମ୍ବର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଆମ ସମୃଦ୍ଧ ଗୌରବମୟ ଇତିହାସକୁ ମନେ ପକେଇ ଯିଏ ଯେଉଁଠି ବି ଥାଆନ୍ତୁ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ସମସ୍ତେ ନିଜ କ୍ଷମତା ଓ ଦକ୍ଷତା ମୁତାବକ ଉଦ୍ୟମ କରିବା ଓ ଓଡ଼ିଶାର ଭବିଷ୍ୟତକୁ କିଭଳି ସମୃଦ୍ଧ କରାଯାଇପାରିବ, ସେ ଦିଗରେ କାମ କରିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଏହି ଉତ୍ସବର ଆରମ୍ଭ ହୋଇଥିବା ବେଳେ ଭୂମି ଶତରୂପା ଶ୍ରୀଜଗନ୍ନାଥାଷ୍ଟକମ୍ ଉପସ୍ଥାପନ କରିଥିଲେ ଓ କୁନି କୁନି ଓଡ଼ିଆ ପିଲାମାନେ ଓଡ଼ିଶୀ, ସମ୍ବଲପୁରୀ, କଥକ ଏବଂ ଭାରତନାଟ୍ୟମ୍ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡିଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ଓଡ଼ିଆମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.