Latest Odisha News

ଦେଖୁ ଦେଖୁ ଜଳିଗଲେ, ଦୁର୍ଘଟଣାରେ ୧୧ ମୃତ

ମିର୍ଜାପୁର: ବୁଧବାର ରାତିରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ହେବା ଯୋଗୁଁ ଏକ ଦ୍ରୁତଗାମୀ ଟ୍ରକ୍ ରେୱା-ମିର୍ଜାପୁର ଜାତୀୟ ରାଜପଥର ଡ୍ରମଣ୍ଡଗଞ୍ଜ ଘାଟିରେ ଚାରିଟି ଗାଡ଼ିକୁ ଧକ୍କା ଦେଇଥିଲା। ଯାହାଫଳରେ ଏକ ବୋଲେରୋରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ ବୋଲେରୋରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଚିତ୍କାର ଶୁଣି ଲୋକମାନେ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ, କିନ୍ତୁ ନିଆଁ ଏତେ ତୀବ୍ର ଥିଲା ଯେ କାହାକୁ ବଞ୍ଚାଇ ପାରି ନଥିଲେ। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।

ପୋଲିସ ଅନୁସାରେ, ରାତି ପ୍ରାୟ ସାଢ଼େ ୮ଟା ବେଳେ ଡ୍ରମଣ୍ଡଗଞ୍ଜ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମଧ୍ୟପ୍ରଦେଶରୁ ଚଣା ବୋଝେଇ ଏକ ଟ୍ରକ୍ ହଠାତ୍ ଘାଟିରେ ବ୍ରେକ୍ ଫେଲ୍ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା। ଦ୍ରୁତଗାମୀ ଟ୍ରକଟି ଏକ ବୋଲେରୋ ସହିତ ଧକ୍କା ହୋଇ ପଥର ବୋଝେଇ ଟ୍ରକ୍ ସହିତ ଧକ୍କା ଦେଇଥିଲା। ଏହି ସମୟରେ, ପଛରୁ ଆସୁଥିବା ଆଉ ଏକ ଟ୍ରକ୍ ମଧ୍ୟ ନିୟନ୍ତ୍ରଣ ହରାଇ ସାମ୍ନା କାର ସହିତ ଧକ୍କା ଦେଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ରାସ୍ତା ଭଗ୍ନାଂବଶେଷ, ନିଆଁ ଏବଂ ଚିତ୍କାରରେ ପରିପୂର୍ଣ୍ଣ ହୋଇଯାଇଥିଲା।

ଧକ୍କା ପରେ ବୋଲେରୋରେ ତୁରନ୍ତ ନିଆଁ ଲାଗି ଯାଇଥିଲା।ବୋଲେରୋରେ ଥିବା ମହିଳା ଏବଂ ପିଲାମାନେ ଜଳିଯାଇଥିଲେ। ଦୁର୍ଘଟଣାରେ ଜଣେ କାର ଯାତ୍ରୀ ଏବଂ ଟ୍ରକ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବ ମୋଟ ୧୧ ଜଣଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି।

 

Comments are closed.