Latest Odisha News

BREAKING NEWS

ଚାରିଧାମ ଯାତ୍ରା ବେଳେ ଭିଡିଓ କିମ୍ବା ରିଲ୍ସ କରିପାରିବେନି ଭକ୍ତ

ଡେରାଡୁନ: ଚାରିଧାମ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏହି କାରଣରୁ ଭୀଷଣ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ଏବେ ଶ୍ରଦ୍ଧାଳୁ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି । ଗଙ୍ଗୋତ୍ରୀ-ଯମୁନୋତ୍ରୀ ହାଇୱେ ସହିତ ଯାତ୍ରାର ସମସ୍ତ ରୁଟ୍ରେ ଭୟଙ୍କର ଜାମ୍ ଲାଗି ରହୁଛି । ଏହି କାରଣରୁ ଯାତ୍ରୀଙ୍କୁ ଧାମରେ ପହଞ୍ଚିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାର ଭକ୍ତମାନଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି, ଚାରିଧାମ ଯାତ୍ରା ସମୟରେ ମନ୍ଦିରରୁ ୫୦ ମିଟର ବ୍ୟାସାର୍ଦ୍ଧରେ ଭିଡିଓ ରିଲ ତିଆରି କରିବାକୁ ବାରଣ କରାଯାଇଛି ।

ଚାରିଧାମ ଯାତ୍ରା ସମୟରେ କିଛି ବ୍ୟକ୍ତି ମନ୍ଦିର ପରିସରରେ ଭିଡିଓ ଏବଂ ରିଲ୍ସ କରୁଛନ୍ତି । ଏହାକୁ ଦେଖିବାକୁ ମନ୍ଦିର ପରିସରରେ ଗୋଟିଏ ସ୍ଥାନରେ ଭିଡ଼ ଜମୁଛି । ଏହି କାରଣରୁ ଭକ୍ତମାନଙ୍କୁ ଦର୍ଶନ କରିବାରେ ଅସୁବିଧା ହେଉଛି । ତେଣୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରର ୫୦ ମିଟର ବ୍ୟାସାର୍ଦ୍ଧରେ ଭିଡିଓ ସୁଟ୍ ବା ରିଲ୍ସ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ସେପଟେ ଚାରିଧାମ ଯାତ୍ରାକୁ ନେଇ କୌଣସି ବ୍ୟକ୍ତି ନକଲି ଭିଡିଓ କିମ୍ବା ଭୁଲ ଖବର ଅପପ୍ରଚାର କଲେ ତତକ୍ଷଣାତ ମାମଲା ରୁଜୁ କରାଯିବା ନେଇ ନିଷ୍ପତ୍ତି ହୋଇଛି । ମୁଖ୍ୟ ଶାସନ ସଚିବ ରାଧା ରାତୁରୀ କହିଛନ୍ତି, ଯେକୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ଏହି ପବିତ୍ର ଚାରିଧାମ ଯାତ୍ରାକୁ ବଦନାମ କରିବାକୁ ଚେଷ୍ଟା କରିବ ତା’ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯିବ । ସେହିପରି ଚାରିଧାମ ଯାତ୍ରା ଆରମ୍ଭ ହେବାର ୫ ଦିନ ଭିତରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଥିଲା । ଏସବୁକୁ ଦୃଷ୍ଟିରେ ରଖି ଗତ ୧୪ ତାରିଖ ଦିନ ଭିଡକୁ ନିୟନ୍ତ୍ରଣ କରିବାକୁ ୨ ଦିନ ପର୍ଯ୍ୟନ୍ତ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ ରଖିଥିଲା ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୦ ତାରିଖରେ କେଦାରନାଥ ଧାମ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରର ଦ୍ବାର ଖୋଲିଥିବାବେଳେ ମେ’ ୧୨ ତାରିଖରେ ବଦ୍ରିନାଥ ଧାମର ଦ୍ବାର ଖୋଲିଥିଲା । ତେବେ ହେମକୁଣ୍ଡ ସାହିବଙ୍କ କବାଟ ୨୫ ମଇରେ ଖୋଲିବ ।

Leave A Reply

Your email address will not be published.