Latest Odisha News

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠୁ ଲାଗୁ ହୋଇଛି ସମାନ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଛି ଉତ୍ତରାଖଣ୍ଡ । ଫଳରେ ବିବାହ, ଛାଡ଼ପତ୍ର, ଲିଭ୍-ଇନ୍ ସଂପର୍କ, ସଂପତ୍ତି, ଉତ୍ତରାଧିକାର ଓ ବହୁବିବାହକୁ ନେଇ ନିୟମରେ ପରିବର୍ତ୍ତନ ହୋଇଛି । ନିୟମ ଲାଗୁ ହେବା ସହ ବିବାହ ପଂଜୀକରଣ ବାଧ୍ୟତାମୂଳକ ହୋଇଛି । ସେହିପରି ବହୁବିବାହ, ହଲାଲା ପରି ପ୍ରଥା ବନ୍ଦ ହୋଇଛି । ୟୁସିସି ଧର୍ମ, ଲିଙ୍ଗ, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବମୁକ୍ତ ସମନ୍ବିତ ସମାଜର ମୂଳଦୁଆ ସ୍ଥାପନ କରିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ।

୬ମାସ ଭିତରେ ବିବାହ ପଂଜୀକରଣ

ୟୁସିସି ଲାଗୁ ହେବା ସହ ବିବାହ ପଂଜୀକରଣ ବାଧ୍ୟତାମୂଳକ ହୋଇଛି । ଲୋକଙ୍କୁ ଅନଲାଇନରେ ବିବାହ ପଂଜୀକରଣରେ ସହାୟତା କରିବାକୁ ବ୍ୟବସ୍ଥା କରାଯାଇଛି । ଫଳରେ ସେମାନଙ୍କୁ ଏଥିପାଇଁ ସରକାରୀ ଅଫିସର ଚକ୍କର କାଟିବାକୁ ପଡିବନି । ୨୦୧୦ ମାର୍ଚ୍ଚ ୨୭ତାରିଖରୁ ହୋଇଥିବା ସମସ୍ତ ବିବାହ ପଂଜୀକରଣ କରିବାକୁ ପଡିବ । ୬ମାସ ମଧ୍ୟରେ ବିବାହ ପଂଜୀକରଣ କରିବାକୁ କୁହାଯାଇଛି ।

ଲିଭ୍-ଇନରେ ରହିଲେ କରିବେ ରେଜିଷ୍ଟ୍ରେସନ୍

ସମାନ ନାଗରିକ ସଂହିତାରେ ୨୧ବର୍ଷରୁ କମ୍ ବୟସର ହୋଇଥିଲେ ଲିଭ୍-ଇନ୍ ରିଲେସନରେ ରହିବା ପାଇଁ ବାପା ମାଆଙ୍କ ଅନୁମତି ବାଧ୍ୟତାମୂଳକ ହେବ । ଉତ୍ତରାଖଣ୍ଡର ବାସିନ୍ଦା ରାଜ୍ୟ ବାହାରେ ଲିଭ୍-ଇନରେ ରହିଲେ ବି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏହି ସଂପର୍କରେ ରହିଥିବା କପଲଙ୍କୁ ରେଜ୍ରିଷ୍ଟ୍ରାରଙ୍କ ସାମନାରେ ସଂପର୍କ ନେଇ ସୂଚନା ଦେବାକୁ ପଡିବ । ସଂପର୍କ ଶେଷ କରିବାକୁ ଚାହିଁଲେ ବି ଏନେଇ ଜଣାଇବାକୁ ପଡିବ । ଲିଭ୍-ଇନ ସଂପର୍କରେ ସନ୍ତାନ ଜନ୍ମ ହେଲେ ତାକୁ ବୈଧ ଭାବେ ଗ୍ରହଣ କରାଯିବ । ଏପରିକି ସଂପର୍କ ଭାଙ୍ଗିଲେ ବି ଭରଣପୋଷଣ ଭତ୍ତା ମାଗିପାରିବେ ମହିଳା। ତେବେ ସୂଚନା ନଦେଇ ଲିଭ୍-ଇନରେ ରହିଲେ କିମ୍ବା ଭୁଲ୍ ତଥ୍ୟ ଦେଲେ, ବ୍ୟକ୍ତିଙ୍କୁ ତିନି ମାସ ଜେଲ୍ ବା ୨୫ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ମିଳିପାରେ । ସୂଚନା ଦେବାରେ ଗୋଟିଏ ମାସ ବିଳମ୍ବ କଲେ ବି ୧୦ହଜାର ଟଙ୍କା ଜରିମାନା ଲାଗିପାରେ ।

ସଂପତ୍ତିରେ ସମାନ ଭାଗ

ପୁଅ ହୁଅନ୍ତୁ କି ଝିଅ, ସଂପତ୍ତିରେ ସମାନ ଅଧିକାର ପାଇବେ । ଆଇନ ଅନୁସାରେ ସବୁ ଧର୍ମ ଓ ସଂପ୍ରଦାୟରେ ଝିଅଙ୍କୁ ସଂପତ୍ତିରେ ସମାନ ଭାଗ ଦିଆଯିବ । ଲିଭ୍-ଇନ୍ ସଂପର୍କରେ ଜାତ ସନ୍ତାନ ବି ସଂପତ୍ତିରେ ସାମନ ଭାଗ ପାଇବେ । ସେହିପରି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଯେପରି ତାଙ୍କ ସଂପତ୍ତିକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ନହୁଏ, ସେନେଇ ବି ନିୟମ ରହିଛି । ମୃତକଙ୍କ ସଂପତ୍ତି ଉପରେ ତାଙ୍କ ପତ୍ନୀ, ସନ୍ତାନ ଏବଂ ବାପା, ମାଆଙ୍କର ସମାନ ଅଧିକାର ରହିବ ।

ହଲାଲା, ବହୁ ବିବାହକୁ ନା

ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ୟୁସିସିରେ ଇସଲାମରେ ପ୍ରଚଳିତ ହଲାଲା ପ୍ରଥା ଉପରେ ରୋକ୍ ଲଗାଯାଇଛି । ଏହାସହ ବହୁବିବାହ ଉପରେ ବି ରୋକ୍ ଲାଗିଛି । ସବୁ ଧର୍ମର ଲୋକ ନିଜ ରୀତିନୀତି ଅନୁସାରେ ବିବାହ କରିପାରିବେ । ତେବେ ସବୁ ଧର୍ମରେ ବିବାହ ପାଇଁ ପୁରୁଷଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ଓ ମହିଳାଙ୍କର ୧୮ବର୍ଷ ରହିବ । ବିବାହ ପୂର୍ବରୁ ସେମାନେ ଯେପରି ନିଜ ଶିକ୍ଷା ଶେଷ କରିପାରିବେ, ସେଥିପାଇଁ ଏଭଳି ନିୟମ କରାଯାଇଛି ।

ଆଇନ ଅନୁସାରେ ଜନ୍ମ, ମୃତ୍ୟୁ ପଂଜୀକରଣ ପରି ବିବାହ ଓ ଛାଡ଼ପତ୍ରର ବି ରେଜିଷ୍ଟ୍ରେସନ୍ କରାଯାଇପାରିବ । ସେହିପରି ଅନ୍ୟ ଧର୍ମର ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇପାରିବନି । ଅନୁସୂଚିତ ଜନଜାତିଙ୍କୁ ଆଇନ ପରିସର ବାହାରେ ରଖାଯାଇଛି । ସେହିପରି କିନ୍ନରଙ୍କ ପରମ୍ପରାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନି ।

Comments are closed.