Latest Odisha News

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି । ଏପର୍ଯ୍ୟନ୍ତ ଟିକା ନେବା ପାଇଁ ୪୫ ହଜାରରୁ ଅଧିକ କିଶୋର ପଞ୍ଜୀକରଣ କରିସାରିଛନ୍ତି । ଆସନ୍ତାକାଲିଠୁ କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଟିକାକରଣ କରାଯିବ ।

ସକାଳ ୮ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭ୍ୟାକସିନ୍ ଦିଆଯିବ । କେବଳ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ଅନ୍ୟ ଯେଉଁଠି ଟିକାକରଣ ଚାଲିଛି, ସେଠାରେ ମଧ୍ୟ କିଶୋରଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ମାସକ ଭିତରେ ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜାନୁଆରୀ ୧ ତାରିଖରୁ ଯେଉଁମାନେ ଅନଲାଇନ ଜରିଆରେ ପଞ୍ଜିକରଣ କରିଥିବେ, ସେମାନେ ଟିକା ନେଇ ପାରିବେ । ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି, ସେମାନେ ଆସନ୍ତାକାଲି ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.