ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି ।
ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭. ୮୩ ମିଟର ରହିଥିବା ବେଳେ ଦିନ ୩ଟା ସୁଦ୍ଧା ଜଳସ୍ତର ୧୮.୯୯ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ବୈତରଣୀ ନଦୀର ଶାଖା ଗେଙ୍ଗୁଟି, କୋଚିଳା ଆଦି ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ ।
ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକର- ରହଣିଆ, ନପଙ୍ଗ, କୁରିଆ ଗାଁ, ମାଳଦା, ଷୋଳମପୁର ପଞ୍ଚାୟତ ଏବେ ପାଣି ଘେରରେ ବୁଡ଼ି ରହିଛନ୍ତି ।
ସେହିପରି ଧାମନଗର ବ୍ଲକର, ପଧାନୀ, ସୋହଡା, ଦେହୁଡୀ ଆନନ୍ଦପୁର, ଖଡ଼ିପଦା ପଞ୍ଚାୟତରେ ପାଣି ପଶିବା ଯୋଗୁଁ ଲୋକମାନେ ଏବେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗମନାଗମନ ବନ୍ଦ ହୋଇଯାଇଛି ।
Comments are closed.