ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଉପରେ ବେଆଇନ ଭାବେ ପାଣି ବ୍ୟବହାର କରୁଥିବା ନେଇ ଲାଗିଥିବା ଅଭିଯୋଗ ଏବଂ ୨୩୩.୧୧ କୋଟି ଟଙ୍କାର ଜରିମାନାକୁ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି। କମ୍ପାନୀ ଏହି ତଣ୍ଡ ଆଦେଶକୁ ତଥ୍ୟାତ୍ମକ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛି।
ପୂର୍ବରୁ ଅଭିଯୋଗ ହୋଇଥିଲା ଯେ, କମ୍ପାନୀ ବିନା ଅନୁମତିରେ ଭେଡେନ ନଦୀ (କିମ୍ବା ଖେରୁଆଲ କେନାଲ) ରୁ ବେଆଇନ ଭାବେ ଜଳ ଉତ୍ତୋଳନ କରୁଛି। ଏହି ଘଟଣାରେ ବର୍ତ୍ତମାନ ବେଦାନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।
ବେଦାନ୍ତର ଜନସମ୍ପର୍କ ଏବଂ ଯୋଗାଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବାର୍ତ୍ତାରେ କୁହାଯାଇଛି ଯେ, ଭେଡେନ ନଦୀରୁ ବେଆଇନ ଜଳ ଉତ୍ତୋଳନ ଅଭିଯୋଗ ଏବଂ ଏଥିପାଇଁ ଲଗାଯାଇଥିବା ଜରିମାନା ସମ୍ପୂର୍ଣ୍ଣ ଭୁଲ୍। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ସହ ହୋଇଥିବା ଚୁକ୍ତିନାମା ଏବଂ ନିୟାମକ ମୁତାବକ କମ୍ପାନୀ କେବଳ ‘ହୀରାକୁଦ ଜଳଭଣ୍ଡାର’ରୁ ହିଁ ପାଣି ଆଣୁଛି।
ଚୁକ୍ତି ଅନୁଯାୟୀ ବେଦାନ୍ତକୁ ୧୧୨.୯ କ୍ୟୁସେକ୍ ଜଳ ଉତ୍ତୋଳନ ପାଇଁ ଅନୁମତି ମିଳିଛି ଏବଂ ଏଥିପାଇଁ କମ୍ପାନୀ ନିୟମିତ ଭାବେ ଧାର୍ଯ୍ୟ ଜଳକର ପୈଠ କରୁଛି।
ଅନୁମତି ଥିବା ସୀମାଠାରୁ କମ୍, ଅର୍ଥାତ୍ ବର୍ତ୍ତମାନ ଶିଳ୍ପାନୁଷ୍ଠାନଟି ସର୍ବାଧିକ ୮୦ କ୍ୟୁସେକ୍ ଜଳ ଉଠାଉଛି।
କମ୍ପାନୀ ସମସ୍ତ ସରକାରୀ ନୀତି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରୁଛି ଏବଂ ରାଜ୍ୟର ବିକାଶରେ ନିଜର ସହଭାଗିତା ଜାରି ରଖିଛି।
ପ୍ରକାଶ ଥାଉକି, ଏହି ବିଷୟଟି ପ୍ରଥମେ ଏକ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକରେ ଉଠାଯାଇଥିଲା। ଏହାପରେ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ବୁର୍ଲା ଜଳସେଚନ ଡିଭିଜନର ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରି ଅଭିଯୋଗର ସତ୍ୟତା ଯାଞ୍ଚ କରିଥିଲେ।
ବିଭାଗର ଅନୁସନ୍ଧାନ ଅନୁଯାୟୀ, ବେଦାନ୍ତ କୌଣସି ପୂର୍ବ ଅନୁମତି ବିନା ବେଆଇନ ଭାବେ ଦୈନିକ ୧,୦୩,୬୮୦ କ୍ୟୁବିକ୍ ମିଟର ଜଳ ଉତ୍ତୋଳନ କରୁଥିବା ଦର୍ଶାଯାଇଥିଲା। ତେଣୁ ଗତ ୧ ମେ’ ୨୦୨୫ରୁ ୨୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବେଆଇନ ଜଳ ବ୍ୟବହାର ପାଇଁ ସାଧାରଣ ଦର ଅନୁସାରେ ମୋଟ ୨୩୩,୧୧,୨୪,୯୨୬ ଟଙ୍କା (ପ୍ରାୟ ୨୩୩.୧୧ କୋଟି) ର ତଣ୍ଡ ଧାର୍ଯ୍ୟ କରାଯାଇଥିଲା।
ବୁର୍ଲା ଜଳସେଚନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଏପ୍ରିଲ ୨୯ ତାରିଖରେ (ଚିଠି ସଂଖ୍ୟା ୧୪୦୧) କମ୍ପାନୀକୁ ଏକ ନୋଟିସ୍ ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶର ମାସକ ମଧ୍ୟରେ ଅନୁପାଳନ ନକଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଏହି ପ୍ରସଙ୍ଗରେ ବେଦାନ୍ତର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ଏବେ କମ୍ପାନୀ ଏହି ନୋଟିସ୍ ଏବଂ ଜରିମାନାକୁ ପ୍ରତ୍ୟାଖ୍ୟାନ କରି ନିଜର ପକ୍ଷ ରଖିଛି।
Comments are closed.