ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଆକାଶରେ ଏକ ଚିତ୍ତାକର୍ଷକ ତଥା ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି । ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ ପାଇଁ ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଅଦୃଶ୍ୟ ହୋଇଯାଇଥିଲା, ଯାହାକୁ ଜ୍ୟୋତିର୍ବିଜ୍ଞାନ ଭାଷାରେ ‘ଲୁନାର ଅକଲଟେସନ’ (Lunar Occultation) ବା ଚନ୍ଦ୍ର କୃତ ଶୁକ୍ର ସମାବରଣ କୁହାଯାଏ।
ଭାରତୀୟ ସମୟ ଅନୁସାରେ ଏହି ଆଚ୍ଛାଦନ ପ୍ରକ୍ରିୟା ଅପରାହ୍ନ ପ୍ରାୟ ୫:୨୦ ରୁ ୫:୩୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬:୪୧ ରୁ ୬:୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଶୁକ୍ର ଗ୍ରହ ଚନ୍ଦ୍ର ପଛରେ ଅଦୃଶ୍ୟ ହୋଇଯାଇଥିଲା । ୬:୪୫ ମିନିଟ୍ ପରେ ଶୁକ୍ର ଗ୍ରହ ଚନ୍ଦ୍ର ଆଲୋକିତ ପାର୍ଶ୍ୱରୁ ବାହାରକୁ ଆସିଥିଲା ଓ ଚନ୍ଦ୍ର ସହ ଲାଗି ରହିଥିବାର ଦେଖାଯାଇଥିଲା।
ଏହି ମହାଜାଗତିକ ଘଟଣାଟି ମୁଖ୍ୟତଃ ଦକ୍ଷିଣ ଓ ମଧ୍ୟ ଭାରତ, ୟୁରୋପ, ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହୋଇଥିବା ନେଇ ତଥ୍ୟ ପ୍ରକାଶ ପାଇଛି। ସନ୍ଧ୍ୟା ୬:୪୫ ରୁ ୭.୩୦ ଯାଏଁ ଆକାଶ ପରିଷ୍କାର ଥିବା ସ୍ଥାନମାନଙ୍କରେ ଲୋକେ ଏହି ଚମତ୍କାର ଦୃଶ୍ୟ ଉପଭୋଗ କରିପାରିଥିଲେ। ଚନ୍ଦ୍ର ଦ୍ୱାରା ଶୁକ୍ର ଗ୍ରହର ଆଚ୍ଛାଦନ ବର୍ଷକୁ ଥରେ ବା ଦୁଇଥର ଘଟିପାରେ, କିନ୍ତୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ (ଯଥା ଭାରତରୁ) ଏହା ଦୃଶ୍ୟମାନ ହେବା ବେଶ୍ ବିରଳ ଏବଂ ଏହା ପ୍ରାୟ କିଛି ବର୍ଷ ବ୍ୟବଧାନରେ ଥରେ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି ଜ୍ୟୋତିର୍ବିଦ।


Comments are closed.