Latest Odisha News

BREAKING NEWS

Pranab Patnaik: ପଞ୍ଚଭୂତରେ ଲୀନ ସ୍ୱର କିମ୍ବଦନ୍ତୀ ପ୍ରଣବ ପଟ୍ଟନାୟକ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ଏକ ସୁବର୍ଣ୍ଣ ଅଧ୍ୟାୟର ଅବସାନ ହୋଇଛି। ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ନିଜ ସ୍ୱରର ଚିର ଛାପ ଛାଡ଼ିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ଶୁକ୍ରବାର ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

ଆଜି ଲୁହଭିଜା ଆଖିରେ ତାଙ୍କୁ ଶେଷ ବିଦାୟ ଦେଇଛି ଓଡ଼ିଶା। ପ୍ରଣବ ପଟ୍ଟନାୟକଙ୍କ ବାସଭବନରେ ତାଙ୍କୁ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ବିଦାୟ ଦେବାକୁ ରାଜନେତା, କଳାକାର, ସଙ୍ଗୀତଜ୍ଞ, ଶୁଭେଚ୍ଛୁ ଓ ଅସଂଖ୍ୟ ପ୍ରଶଂସକଙ୍କ ସମାଗମ ହୋଇଥିଲା।

ଛଅ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଆକାଶରେ ଏକ ଉଜ୍ଜ୍ୱଳ ତାରା ଭଳି ଚମକିଥିଲେ। କେବଳ ଜଣେ ଗାୟକ ଭାବେ ନୁହେଁ, ଓଡ଼ିଶାର ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଗଢ଼ିଥିଲେ ସେ। ତାଙ୍କର ଗଭୀର, ମଧୁର ଓ ଭାବପୂର୍ଣ୍ଣ କଣ୍ଠ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗକୁ ଅନେକ ପିଢ଼ି ଗୁଣୁଗୁଣାଇବ ।

୧୯୩୮ ମସିହା ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିବା ପ୍ରଣବ କିଶୋର ପଟ୍ଟନାୟକ ୧୯୫୮ରେ ‘ମା’ ଚଳଚ୍ଚିତ୍ର ଜରିଆରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅନେକ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କ ସହ କାମ କରିଥିଲେ। ତାଙ୍କ ସୁମଧୁର କଣ୍ଠରେ ୨୦୦ରୁ ଅଧିକ ଚଳଚ୍ଚିତ୍ର ଗୀତ ଜୀବନ୍ତ ହୋଇଥିଲା। ଚଳଚ୍ଚିତ୍ର ସଙ୍ଗୀତ ବ୍ୟତୀତ ଓଡ଼ିଶୀ, ଲୋକସଙ୍ଗୀତ, ଭଜନ, ଗଜଲ ଓ ସେମି-କ୍ଲାସିକାଲ୍ ସଙ୍ଗୀତରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ‘ମାଝୀରେ’, ‘ମୁଁ କେଉଁ ସହରେ’, ‘ତୁମ ଗାଁ ମହୁମାଛି’ ଭଳି ଅନେକ ଗୀତ ତାଙ୍କ ସ୍ୱରର ମାଧୁର୍ଯ୍ୟକୁ ଆଜି ବି ସଙ୍ଗୀତପ୍ରେମୀଙ୍କ ମନରେ ଜୀବନ୍ତ ରଖିଛି।

ଦୀର୍ଘ ସଙ୍ଗୀତ ଜୀବନରେ ପ୍ରଣବ ପଟ୍ଟନାୟକ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କୁ ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ଏକାଧିକ ଥର ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

ତାଙ୍କ ବିୟୋଗରେ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ଏହାକୁ ଓଡ଼ିଶାର କଳା ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି।

ଆଜି ପ୍ରଣବ ପଟ୍ଟନାୟକଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି ସତ, କିନ୍ତୁ ତାଙ୍କ ସ୍ୱର କେବେ ଲୀନ ହେବ ନାହିଁ। ଓଡ଼ିଆ ସଙ୍ଗୀତର ସେହି ମଧୁର ସ୍ୱର, ତାଙ୍କ ଗୀତର ମୂର୍ଚ୍ଛନା ଓ ତାଙ୍କ କଣ୍ଠର ଯାଦୁ ଅସଂଖ୍ୟ ଶ୍ରୋତାଙ୍କ ସ୍ମୃତିରେ ସବୁଦିନ ଜୀବନ୍ତ ରହିବ। ଜଣେ କିମ୍ବଦନ୍ତୀ ଶିଳ୍ପୀ ଚାଲିଗଲେ, ହେଲେ ତାଙ୍କ ସଙ୍ଗୀତ ଓଡ଼ିଶାର ହୃଦୟରେ ଚିରଦିନ ଗୁଞ୍ଜରିତ ହେବ।

Leave A Reply

Your email address will not be published.