Latest Odisha News

କାଶୀପୁରରେ ଚିହ୍ନଟ ହେଲା ଭିବ୍ରିଓ କଲେରା

କାଶୀପୁର: ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି । ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି ଯାଉଥିବା ନଦୀ , ନାଳ , ପୋଖରୀ , କୂଅ , ନଳକୂପ ସମେତ ଦୈନନ୍ଦିନ ବ୍ୟବହାର ଜଳ ଉତ୍ସକୁ ବ୍ୟବହାର କରିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ। ଲୋକଙ୍କ ବ୍ୟବହାର ପାଇଁ ସମ୍ପୃକ୍ତ ଅଞ୍ଚଳରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସ୍ଵଧା ଦେବ ସିଂ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୯୪୩୭୪୪୮୭୪୭ ନମ୍ବର ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ ୭ ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଉଷାପଡାସ୍ଥିତ ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ୱାର୍ଡ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ପାଇଁ ମହଜୁଦ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ସେପଟେ କାଶୀପୁର ବ୍ଲକରେ ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିଛି । ଏଭଳିକି ଏହା ମହାମାରୀ ଆଡକୁ ଗତି କରୁଥିବା ଅନୁମାନ କରାଯାଉଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (ଆରଏମଆରସି)ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

ଗତ ୧୪ ତାରିଖରେ ସଂଗୃହିତ ହୋଇଥିବା ୧୦ ଜଣଙ୍କ ମଳ ଓ ଜଳ ନମୁନା ପରୀକ୍ଷା ପରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବରେ ପରୀକ୍ଷା ପରେ ତିନି ଜଣକ ଶରୀରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ଏହି ନମୁନା ଦୁଡୁକାବାହାଲ ଗ୍ରାମର ୩ ଜଣ ଆକ୍ରାନ୍ତଙ୍କ ମଳ ଏବଂ ସେହି ଗ୍ରାମର ଜଳ ନମୁନାରୁ ଏହା ଚିହ୍ନଟ କରାଯାଇଥିବା ଜଣାପଡିଛି ।

ଆରଏମଆରସି ଟିମ୍‌ ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ପାଳ କହିଛନ୍ତି, ଏହା ପୂର୍ବରୁ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା । ବର୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ। ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର , ଲକ୍ଷ୍ମୀପୁର , ରାୟଗଡା ଜିଲ୍ଲାର କାଶୀପୁର , କଲ୍ୟାଣସିଂପୁର , କୋରାନରା , ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଆଞ୍ଚଲ ପ୍ରତି ବିପଦ ଥିବା ଡା. ପାଲ କହିଛନ୍ତି ।

Leave A Reply

Your email address will not be published.