Latest Odisha News

BREAKING NEWS

କବିତା : ଅଧା ଅଧା ମୌସୁମୀ

ଲାବଣ୍ୟ ନାୟକ 

ଏ ଯେଉଁ ତୁହାକୁତୁହା ବର୍ଷା
ଅଧା ଖରା ଅଧା ଛାଇର ଖେଳ
ଆକାଶ ଅଧା ନୀଳ ତ ଅଧେ ସଫା
ସତେ ଯେମିତି ଏ ବର୍ଷା
ରାଧାକୃଷ୍ଣଙ୍କ ରଙ୍ଗରୁ କିଛି ଧୋଇ ଆଣିଛି ,
ଆଉ ଛିଞ୍ଚି ଦେଇଛି ଆକାଶ ଛାତିରେ।

କହିଲ ଦେଖି
ଏଇମାନଙ୍କୁ ନେଇ କ’ଣ ବର୍ଷା କବିତାଟେ ଲେଖିହବ !

ଉଁ….ହୁଁ
ମୁଁ ତ ଭାବିପାରୁନି ପଦୁଟେ
ମତେ ଛୁଉଁନି ଯମା ତା ନିର୍ଭେଜାଲ ପ୍ରେମ ,
ଯେମିତି ମନ୍ଦାର ଓଦା ହୋଇ ତଳମୁହାଁ ,
ସତେ କି ବର୍ଷା ଛୁଆଁରେ ସରମି ଯାଇଛି ଗୋଟାପଣେ ।
ଆହାଃ ଟେବୁଲ ଗୋଲାପ
ତା ଗୋଲାପି ଅଧରେ ଚୁମି ଯାଉଛି
ଉପର ମୁହାଁ ହୋଇ ବର୍ଷା ଟୋପାକୁ ।
ସତେ କବିଟେ ପାଲଟି ଯାଆନ୍ତି କି ମୁଁ ,
ଗୋରିମୁହିଁ ଟଗର ସାଥେ
ନିଶୂନ ରାତିରେ ମିତ ବସନ୍ତି
ଆଉ ପଚାରନ୍ତି
ରାତିଗାଢ଼ ହେଲେ ଆକାଶକୁ ଚାହିଁ
ସେ କଣ ଭାବେ !
କାହା ପୀରତିରେ ରାସ ରସେ
ଖୁବ୍ ଏକାନ୍ତରେ ।
ନବପଲ୍ଲବିତ ଘାସେ ଲାଲ୍ ଟୁକ୍ ଟୁକ୍
ସାଧବ ବୋହୂ
କାହୁଁ ଆଣିଲା ଏତେ ସୁନ୍ଦରତା
ରହସ୍ୟ ଥରେ ପଚାରି ବୁଝନ୍ତି,

ନା ନା ରଙ୍ଗି ଝିଣ୍ଟିକାର ଚିଁ ଚିଁ
ଶବ୍ଦକୁ କବିତାର ରୂପ ଦିଅନ୍ତି,
ବେଙ୍ଗ ବେଙ୍ଗୁଲୀର କେଁ କଟର
ସାହାନାଇ ଶୁଣି ,
ବର୍ଷା ହଉଛି ଖରା ହଉଛି
ବେଙ୍ଗୁଲୀ ନାନୀ ବାହା ହଉଛି
ମନେ ପକାଇ ବହେ ହସନ୍ତି ।

ମଶାରି ତଳୁ ଖୋଲା ଝର୍କା ଦେଇ
ଦିଶୁଥିବା ଭିଜାଜହ୍ନକୁ
ଡାକିଆଣି ପାଖରେ ବସାନ୍ତି
ଚା’ କପ୍ ଟିଏ ଧରେଇ
ପ୍ରଶ୍ନଟିଏ ପଚାରନ୍ତି
ଏତେ ପ୍ରେମ ସେ ସମ୍ଭାଳୁଛି କେମିତି ?
ଆଖିମିଟିକା ମାରି ସେ କୁହନ୍ତା
ମୁଁ କିଛି ସମ୍ଭାଳେନି ମ
ମତେ ଯିଏ ପ୍ରେମ କରେ
ସିଏ ଅଧା ଜିଏଁ ଅଧା ମରେ
ମୁଁ କିନ୍ତୁ ଧାଉଁଥାଏ ଅହର୍ନିଶି
ମୋ ବାଟରେ ।
କେବେ ବର୍ଷା ବୈଶାଖ
ନିଦାଘ ବସନ୍ତ ସବୁକୁ ଭୋଗି
ମୁଁ ଏବେ ଭିଜୁଛି ଅଧା ଅଧା ମୌସୁମୀରେ ॥

ଦେବିଦ୍ୱାର
ଯାଜପୁର

Leave A Reply

Your email address will not be published.