ଭୁବନେଶ୍ୱର: ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ (Blue Economy) ଇତିହାସରେ ଯୋଡ଼ି ହେଲା ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ଭବ୍ୟ ଜାତୀୟସ୍ତରର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।
ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ। ଏହି ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। LoA ଦ୍ବାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର EEZ ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ ।
ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ମତ୍ସ୍ୟଚାଷ ପରିଚାଳନା ଏବଂ ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ଏହି ମିଶନ ମାଛ ଉତ୍ପାଦନ ବୃଦ୍ଧି କରିବ ଓ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ।