Latest Odisha News

ପେରିୟାରଙ୍କୁ ସମାଲୋଚନା: ନିର୍ମଳାଙ୍କ ଉପରେ ବର୍ଷିଲେ ଥାଲାପତି

ନୂଆଦିଲ୍ଲୀ: ପେରିୟାର ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜୟ । କହିଲେ, ଯଦି ଏତେ ପେରିୟାରଙ୍କ ଉକ୍ତି ନେଇ ଚିନ୍ତିତ, ତେବେ ତାମିଲନାଡୁରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିଦେବା ଉଚିତ୍… ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜ ସଂସ୍କାରକ ତଥା ତାମିଲର ପିତା ବୋଲି କୁହାଯାଇଥିବା ପେରିୟାରଙ୍କୁ ନେଇ ଲୋକସଭାରେ ରଖିଥିବା ମନ୍ତବ୍ୟକୁ କଟାକ୍ଷ କରିଛନ୍ତି, ତାମିଲ ଅଭିନେତା ତଥା ନୂଆ କରି ରାଜନୀତିରେ ପାଦ ଥାପିଥିବା ବିଜୟ ଥାଲାପତି । ପେରିୟାରଙ୍କ ସପକ୍ଷରେ ବାହାରି, ବିଜେପି, କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିଥିବା ସମାଲୋଚନାକୁ ଦୂର କରିବା ପାଇଁ  ପେରିୟାରଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ପେରିୟାରଙ୍କ ଅବଦାନ ନେଇ କହିଛନ୍ତି, ସେ କିପରି ବାଲ୍ୟ ବିବାହକୁ ବିରୋଧ କରିଥିଲେ, ବିଧବା ପୁନଃବିବାହକୁ ସମର୍ଥନ କରିଥିଲେ ଏବଂ ଜାତିଗତ ଅତ୍ୟାଚାରକୁ ବିରୋଧ କରିଥିଲେ, ତାହା ଆମେ ସମସ୍ତେ ଜାଣିଛୁ । ସେ ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ । ଯାହା ଲୋକେ ଶହେ ବର୍ଷ ପୂର୍ବରୁ ବି କହୁଥିଲେ ଏବଂ ଏବେ ବି ସଂରକ୍ଷଣ ପାଇଁ ପେରିୟାରଙ୍କ ଦୂରଦୃଷ୍ଟିକୁ ଲୋକମାନେ ପ୍ରଶଂସା କରୁଛନ୍ତି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ କ’ଣ ପ୍ରକୃତରେ ଚିନ୍ତିତ ଯେ, ପେରିୟାର ତାମିଲକୁ ଏକ ବର୍ବର ଭାଷା କହିଥିଲେ? ଯଦି ଏପରି, ତାହେଲେ ହୁଏତ ତାମିଲନାଡୁ ଉପରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିବା ଉଚିତ ।

ସେ ଆହୁରି ବି ଦୃଢ ଭାବରେ କହିଥିଲେ, ପେରିୟାର ଆଜି ମଧ୍ୟ ପ୍ରାସଙ୍ଗିକ ଅଛନ୍ତି । ଆଜି ବି ପେରିଞାର ବିବାଦ ସୃଷ୍ଟି କରିବା ପାଇଁ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଉଠିଥିବା ସମାଲୋଚନାକୁ ଘୋଡାଇବା ପାଇଁ ଯଥେଷ୍ଟ ଶକ୍ତିଶାଳୀ । କ’ଣ ଏହା ପ୍ରମାଣ କରୁନାହିଁ କି, ତାମିଲନାଡୁ ତାଙ୍କୁ କାହିଁକି ସମ୍ମାନ ଏବଂ ପ୍ରଶଂସା କରେ? ବୋଲି ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ ।

ତେବେ କହିରଖୁଛୁ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲୋକସଭାରେ ସମ୍ପ୍ରତି ଦେଇଥିବା ଭାଷଣର ଜବାବରେ କିଛି ଏପରି କହିଛନ୍ତି ବିଜୟ । ଯେଉଁଥିରେ ଅର୍ଥମନ୍ତ୍ରୀ ପେରିୟାରଙ୍କ ପ୍ରତି ଡିଏମକେ ସମ୍ମାନ ଜଣାଇଥିବାରୁ, ତାଙ୍କୁ କପଟତାର ବୋଲି ଆକ୍ଷେପ କରିଥିଲେ । ସିଧାସଳଖ ପେରିୟାରଙ୍କ ନାଁ ନନେଇ ଅର୍ଥମନ୍ତ୍ରୀ କହିଥିଲେ, ମୁଁ ତାଙ୍କର ନାମ ନେବାକୁ ଚାହୁଁନାହିଁ, କିନ୍ତୁ ଯେତେବେଳେ ମୁଁ ଏହାକୁ ପଢିବି, ତାମିଲ ସହିତ ଟିକିଏ ବି ପରିଚିତ ଥିବା ଯେକୌଣସି ବ୍ୟକ୍ତି ଜାଣିପାରିବେ ଯେ ମୁଁ କାହା ବିଷୟରେ କହୁଛି । ଏଥିସହିତ ସେ ଡିଏମକେ ଉପରେ ତାମିଲ ବିଷୟରେ “ଅପମାନଜନକ” କଥା କହିଥିବା ଜଣେ ବ୍ୟକ୍ତିଙ୍କ ମୂର୍ତ୍ତି ନିର୍ମାଣ କରିବା ଅଭିଯୋଗ କରି କହିଥିଲେ, ଜଣେ ବ୍ୟକ୍ତି ଯିଏ ବାରମ୍ବାର ତାମିଲକୁ ଏକ ବର୍ବର ଭାଷା ବୋଲି କୁହନ୍ତି, ସେମାନେ ପ୍ରତ୍ୟେକ କୋଠରୀରେ ତାଙ୍କର ଫଟୋ ରଖନ୍ତି, ସେମାନେ ତାଙ୍କୁ ମାଳା ପିନ୍ଧାନ୍ତି ଏବଂ ତାଙ୍କୁ ପୂଜା କରନ୍ତି ଏବଂ ସେ ଦ୍ରାବିଡ଼ ଆନ୍ଦୋଳନର ଆଇକନ୍ ବୋଲି କୁହନ୍ତି, ସେମାନଙ୍କର କପଟତାକୁ ଦେଖନ୍ତୁ ବୋଲି ଟାର୍ଗେଟ କରିକହିଥିଲେ ଅର୍ଥମନ୍ତ୍ରୀ । ଯାହାକୁ ନେଇ ବର୍ଷିଛନ୍ତି ବିଜୟ ।

ସେପଟେ ଏହି ପ୍ରସଙ୍ଗ ଏବେ ଜାତୀୟ ଶିକ୍ଷା ନୀତି ଉପରେ ଚାଲିଥିବା ବିବାଦକୁ ମଧ୍ୟ ପୁନର୍ବାର ତେଜିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଏମକେ ଉପରେ ତାମିଲନାଡୁର ଛାତ୍ରମାନଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରି କହିଛନ୍ତି, ସେମାନେ ବେଇମାନ….ସେମାନେ ତାମିଲନାଡୁର ଛାତ୍ରମାନଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି… ସେମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏଥିସହିତ ସେ ଦାବି କରିଛନ୍ତି, ଯେ, ଡିଏମକେ ପ୍ରଥମେ ଏନଇପି ଲାଗୁ କରିବା ନେଇ ରାଜି ହୋଇଥିଲା, ହେଲେ ପରେ ରାଜନୈତିକ କାରଣରୁ ପଛକୁ ହଟିଛି । ଯାହାର ଜବାବରେ ଡିଏମକେ କହିଛି, ଆମେ ଏନଇପିକୁ ସମ୍ପୂର୍ଣ୍ଣ ଗ୍ରହଣ କରିପାରିବୁ ନାହିଁ ଏବଂ ତ୍ରିଭାଷା ସୂତ୍ର ତାମିଲନାଡୁ ପାଇଁ କଦାପି ଗ୍ରହଣୀୟ ନୁହେଁ । ତେଣୁ ଏହି ନୀତି କାର୍ଯ୍ୟକାରୀ କରିବାକୁ ମନା କରିବା ପରେ କେନ୍ଦ୍ର ଶିକ୍ଷା ପାଣ୍ଠିକୁ ଅଟକାଇ ପାରିବ ନାହିଁ ବୋଲି ଦୃଢ ପ୍ରତିବାଦ କରିଛି ଡିଏମକେ ।

Comments are closed.