ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ରେ ଦ୍ରାବିଡ଼ ରାଜନୀତିର ଦୁଇ ବଡ଼ ଶକ୍ତି DMK ଏବଂ AIADMK କୁ ମାତ୍ ଦେଇ ଅଭିନେତା ବିଜୟଙ୍କ ଦଳ ଏକ ବଡ଼ ସଫଳତା ପାଇଛି। ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ଏହି ୫ଟି କାରଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
ବିଜୟ ନିଜର ପ୍ରଶଂସକଙ୍କୁ କେବଳ ସିନେମା ହଲ୍ରେ ସୀମିତ ନ ରଖି ସେମାନଙ୍କୁ ସାମାଜିକ ସେବାରେ ନିୟୋଜିତ କରିଥିଲେ। ୨୦୦୯ରୁ ସେ ‘ବିଜୟ ମକ୍କଲ ଇୟକ୍କମ୍’ (VMI) ଜରିଆରେ ରକ୍ତଦାନ, ମାଗଣା ଶିକ୍ଷା ଏବଂ ବିପର୍ଯ୍ୟୟ ସହାୟତା ପରି କାର୍ଯ୍ୟ କରି ଲୋକଙ୍କ ଭରସା ଜିତିଥିଲେ। ଫଳରେ ନିର୍ବାଚନ ସମୟରେ ତାଙ୍କ ପାଖରେ ଏକ ପ୍ରଶିକ୍ଷିତ ଏବଂ ନିଷ୍ଠାପର କର୍ମୀ ବାହିନୀ ପୂର୍ବରୁ ପ୍ରସ୍ତୁତ ଥିଲେ।
ତାମିଲନାଡୁର ଯୁବବର୍ଗ ଏବଂ ପ୍ରଥମ କରି ଭୋଟ୍ ଦେଉଥିବା ଭୋଟରମାନେ ପୁରୁଣା ରାଜନୈତିକ ଦଳଙ୍କ ଉପରେ ଅତିଷ୍ଠ ହୋଇପଡ଼ିଥିଲେ। ବିଜୟଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ‘ବିକଳ୍ପ ନେତୃତ୍ୱ’ର ନାରା ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିଲା। ବିଶେଷ କରି ସହରାଞ୍ଚଳରେ ଯୁବକମାନେ ବିଜୟଙ୍କୁ ଜଣେ ଆଧୁନିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ଗ୍ରହଣ କରିଥିଲେ।
କେବଳ ଲୋକପ୍ରିୟତା ନୁହେଁ, ବରଂ ନୀତିଗତ ଭାବେ ମଧ୍ୟ ବିଜୟ ଲୋକଙ୍କ ନିକଟତର ହୋଇଥିଲେ। ତାଙ୍କ ଇସ୍ତାହାରରେ ମହିଳାଙ୍କ ସୁରକ୍ଷା, ନିଶାମୁକ୍ତ ତାମିଲନାଡୁ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସଂସ୍କାର ଏବଂ ଚାଷୀଙ୍କ ପାଇଁ ଋଣ ଛାଡ଼ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା, ଯାହା ଭୋଟରଙ୍କୁ ପ୍ରଭାବିତ କରିଥିଲା।
ବିଜୟ କୌଣସି ଜାତୀୟ ଦଳ କିମ୍ବା ପାରମ୍ପରିକ ଆଞ୍ଚଳିକ ଦଳ ସହ ମେଣ୍ଟ ନ କରି ସମସ୍ତ ୨୩୪ଟି ଆସନରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱାରା ସେ ପ୍ରମାଣ କରିଥିଲେ ଯେ ସେ କୌଣସି ଶକ୍ତି ପାଖରେ ମଥା ନତ କରିବେ ନାହିଁ। ତାଙ୍କର ଏହି ‘ତାମିଲ ଆତ୍ମସମ୍ମାନ’ର ସ୍ୱର ଲୋକଙ୍କ ମନକୁ ଛୁଇଁଥିଲା।
ବିଜୟ ନିଜକୁ କେବଳ ଜଣେ ଅଭିନେତା ଭାବେ ଉପସ୍ଥାପନ ନ କରି ଜଣେ ରାଜନେତା ଭାବେ ସ୍ପଷ୍ଟ ମତ ରଖିଥିଲେ। ସେ DMK କୁ ‘ରାଜନୈତିକ ଶତ୍ରୁ’ ଏବଂ BJP କୁ ‘ବୈଚାରିକ ଶତ୍ରୁ’ ଭାବେ ଘୋଷଣା କରି ତାମିଲନାଡୁର ସେକ୍ୟୁଲାର ବା ସଂଖ୍ୟାଲଘୁ ଭୋଟ୍କୁ ନିଜ ଆଡ଼କୁ ନେବାରେ ସଫଳ ହୋଇଥିଲେ।