Latest Odisha News

BREAKING NEWS

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା: ଅଙ୍ଗନବାଡି କେନ୍ଦ୍ରରେ ତାଲା

ନୂଆପଡା: ଆଜକୁ ତିନି ଦିନ ହେବ ବନ୍ଦ ପଡିଛି ଅଙ୍ଗନବାଡି କେନ୍ଦ୍ର । ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି କୋମଳମତି ଶିଶୁ । ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା କାରଣରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡିଆଳ ସମନ୍ବିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଡୁଆଝର ଗାଁରୁ ଆସିଛି ଏପରି ଅଭାବନୀୟ ଚିତ୍ର ।

ଡୁଆଝର ଗାଁରେ ଛଅ ଗୋଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ସେଥିମଧ୍ୟରୁ ତିନି ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ବିବାଦ ଦେଖାଦେଇଛି । ପୂର୍ବରୁ ଥିବା ଅଙ୍ଗନବାଡି କର୍ମୀ ନିଜ ବ୍ୟକ୍ତିଗତ କାରଣରୁ ଚାକିରୀରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ନୂତନ ଅଙ୍ଗନବାଡି କର୍ମୀ ପାଇଁ ବିଜ୍ଞାପନ ଦିଆଯିବା ପରେ ଚାରି ଜଣ ଆଶାୟୀ ପ୍ରାର୍ଥୀନୀ ଏଥିପାଇଁ ଆବେଦନ କରିଥିଲେ । ସେହି ଚାରି ଜଣଙ୍କ ମଧ୍ୟରୁ ସୋନାଲିଶା ତ୍ରିପାଠୀ ନାମକ ଜଣେ ମହିଳା ଅଙ୍ଗନବାଡି ଚାକିରୀ ପାଇଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ନୂତନ ଅଙ୍ଗନବାଡି ଚୟନରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରି ଶିଶୁ ମାନଙ୍କୁ କେନ୍ଦ୍ରକୁ ଛାଡୁନଥିବା କହିଛନ୍ତି ଗ୍ରାମବାସୀ ।

ଡୁଆଝର ତିନି ନମ୍ବର ଅଙ୍ଗନବାଡି କେନ୍ଦ୍ରର ନୂତନ ଅଙ୍ଗନବାଡି କର୍ମୀ ପ୍ରକୃତରେ ତିନି ନମ୍ବର କେନ୍ଦ୍ର ପରିସରରେ ଆସୁନଥିବା ବେଳେ ଚାକିରୀ ହାତେଇବା ପାଇଁ ଏକ ସରକାରୀ ଜାଗାରେ ଘର କରି ରହୁଛନ୍ତି । କେମିତି ଏତେ ଶୀଘ୍ର ତାଙ୍କର ସବୁ ପ୍ରକାର ପ୍ରମାଣ ପତ୍ର ତିଆରି ହେଲା ସେ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଗ୍ରାମବାସୀ । ସରକାରୀ ନିୟମ ଅନୁସାରେ ଅଙ୍ଗନବାଡି କର୍ମୀ ସେହି ଅଙ୍ଗନବାଡି ପରିସର ଭୁକ୍ତ ହୋଇଥିବା ଜରୁରୀ ଅଟେ । ଏପରି କ୍ଷେତ୍ରରେ ଅଙ୍ଗନବାଡି କର୍ମୀ ସୋନାଲିଶା କିପରି ଚାକିରୀ ପାଇଲେ ତାହା ତଦନ୍ତ ସାପେକ୍ଷ ବୋଲି ସମୂହ ଗ୍ରାମବାସୀ ଖଡ଼ିଆଳ ସିଡିପିଓଙ୍କ ଠାରୁ ନେଇ ନୂଆପଡା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଯେଉଁ ଦିନ ପର୍ଯ୍ୟନ୍ତ ନୂତନ ଅଙ୍ଗନବାଡି ଚୟନ ନହୋଇଛି ସେହି ଦିନ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ କେନ୍ଦ୍ରକୁ ଛାଡ଼ିବୁ ନାହିଁ ଏବଂ ସମୟ ପଡିଲେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏବାବଦରେ ପଚାରିବାରୁ ଅଙ୍ଗନବାଡି କର୍ମୀ ଚୟନରେ କୌଣସି ଅନିୟମିତତା ହୋଇନାହିଁ ଯାହା ହୋଇଛି ସରକାରୀ ନିୟମମୁତାବକ ଓ ଯୋଗ୍ୟତା ଆଧାରରେ ହୋଇଛି । ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହିନ ହେଲେ ହେଁ ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ ପଦକ୍ଷେପ ନେବୁ ବୋଲି କହିଛନ୍ତି ଖଡ଼ିଆଳ ସିଡିପିଓ ।

Leave A Reply

Your email address will not be published.