Latest Odisha News

BREAKING NEWS

ଅଭିନେତା ବିନୋଦ ଖନ୍ନାଙ୍କ ଜନ୍ମ ଦିବସରେ ତାଙ୍କ ସହିତ ଜଡ଼ିତ କିଛି ଅଭୁଲା କଥା

ମୁମ୍ବାଇ: ୨୦୧୮ରେ ମରଣୋତ୍ତର ଭାବେ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ପାଇଥିବା ଲୋକପ୍ରିୟ ଅଭିନେତା ବିନୋଦ ଖନ୍ନାଙ୍କ ଆଜି ଜନ୍ମ ଦିବସ। ବଲିଉଡ୍ ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ କଳାକାର ଥିଲେ ସେ।

ଅଭିନେତା, ସାଂସଦ ଓ ପରେ ମନ୍ତ୍ରୀ ପଦରେ ଅବତୀର୍ଣ୍ଣ ହୋଇଥିବା ବିନୋଦ ଖନ୍ନାଙ୍କ ଜନ୍ମ ୬ ଅକ୍ଟୋବର ୧୯୪୬ରେ ପୋଶାୱରରେ ହୋଇଥିଲା। ସେ ୧୯୯୭ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

୧୯୯୮ରେ ପ୍ରଥମ ଥର ପାଇଁ ଗୁରୁଦାସପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ବମ୍ବେରୁ ସେ ବାଣିଜ୍ୟରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ।

ଦେବ ଆନନ୍ଦ ଓ ୱହୀଦା ରହମାନଙ୍କ ‘ସୋଲୱାଁ ସାଲ୍’ ଦେଖି ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୬୮ରେ ମୁକ୍ତିଲାଭ କରିଥିବ‌ା ସୁନୀଲ୍‌ ଦତ୍ତଙ୍କ ‘ମନ କା ମୀତ’  ହେଉଛି ତାଙ୍କ ଅଭିନୀତ ପ୍ରଥମ ମୁଭି। ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

୩ବର୍ଷ ଯାଏ ତାଙ୍କୁ ଖଳନାୟକ ଭୂମିକା ହିଁ ମିଳିଥିଲା। ଏହି ତିନି ବର୍ଷ ମଧ୍ୟରେ ବିନୋଦ ଖନ୍ନାଙ୍କ ଅଭିନୀତ ‘ପୂରବ ଔର ପଶ୍ଚିମ’, ‘ମେରା ଗାଁଓ ମେରା ଦେଶ’, ‘ଆନ ମିଲୋ ସଜନା’ ଆଦି ମୁଭି ମୁକ୍ତିଲାଭ କରିଥିଲା।

୧୯୭୧ରେ ସେ ପ୍ରଥମେ ନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମଟି ଥିଲା ‘ହମ୍ ତୁମ୍ ଔର୍‌ ୱୋ’। ଏହାପରେ ସେ ‘ଓଶୋ’ ରଜନୀଶଙ୍କ ସଂସ୍ପର୍ଶରେ ଆସି ୧୯୮୨ରେ ଅଭିନୟ ଛାଡିଥିଲେ। ଏହାପରେ ପୁଣି ଥରେ ୧୯୮୭ରେ ବଲିଉଡ୍ ଫେରି ‘ଇନ୍‌ସାଫ୍‌’ ଫିଲ୍ମରେ ଅଭିନୟ କରିଥିଲେ।

୨୦୧୫ରେ ମୁକ୍ତିଲାଭ କରିଥିବା ‘ଦିଲ୍‌ୱାଲେ’ ତାଙ୍କ ବଞ୍ଚିଥିବା ବେଳର ଶେଷ ଫିଲ୍ମ ଥିଲା। ମୃତ୍ୟୁ ପରେ ତାଙ୍କ ଅଭିନୀତ ‘ଗନ୍‌ସ ଅଫ୍ ବନାରସ’ ମୁକ୍ତିଲାଭ କରିଥିଲା। ସେ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ।

କ୍ରିକେଟ୍ ଖେଳିବା ତାଙ୍କର ସଉକ୍‌ ଥିଲା। ୧୯୭୧ରେ ସେ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ଏହା ତାଙ୍କ ପ୍ରଥମ ବିବାହ ଥିଲା। ବିନୋଦ ଖନ୍ନା ଓ ଗୀତାଞ୍ଜଳୀଙ୍କ ଦୁଇ ପୁଅ ଅଛନ୍ତି ରାହୁଲ ଓ ଅକ୍ଷୟ ଖନ୍ନା। ଗୀତାଞ୍ଜଳୀଙ୍କ ସହ ବିବାହ ବି‌ଚ୍ଛେଦ ପରେ ସେ କବିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। କବିତା  ଓ ବିନୋଦ ଖନ୍ନାଙ୍କ ଏକ ପୁତ୍ର ଓ କନ୍ୟା ସନ୍ତାନ ଅଛନ୍ତି।

 

Leave A Reply

Your email address will not be published.