ମହିଳା ହିଂସା ସମାଜ ପାଇଁ କଳଙ୍କ

ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍କୁ ଦେଖିଲେ ମୁଦ୍ରାର ମୂଲ୍ୟ ବୁଝି ହୋଇଥାଏ। ଯଦି ତା’ର ଗୋଟିଏ ପାଶ୍ୱର୍ ଦେଖାନଯିବ ତା’ହେଲେ ସେଇ ମୁଦ୍ରାଟି ମୂଲ୍ୟହୀନ। ଏଠାରେ ଏଇ କଥା କହିବାର ତାତ୍ପର୍ଯ୍ୟ ଏୟା ଯେ, ସମାଜର ଦୁଇଟି ଅଙ୍ଗ ନାରୀ ଓ ପୁରୁଷ। ଯଦି ସେଥିରୁ ଜଣଙ୍କୁ ଆମେ ଅଣଦେଖା ବା ଅବହେଳା କରିବା ତା’ହେଲେ ସମାଜର ପ୍ରଗତି କେବେବି ସମ୍ଭବପର ନୁହେଁ। ଏଇ କଥାଟିକୁ ଆମେ ସବୁବେଳେ ସବୁଜାଗାରେ ବଡ଼ ପାଟିରେ କହିଥାଉ। କିନ୍ତୁ ଯେତେବେଳେ ତାହା କାମରେ ଲଗେଇବାର ସମୟ ଆସେ ସେତେବେଳେ ହଠାତ୍ ଭୁଲିଯାଉ।

ଏହା ଆଜି ନୁହେଁ, ସବୁବେଳେ ଆମ ସଭ୍ୟ ସମାଜରେ ବାସ କରୁଥିବା ଲୋକମାନଙ୍କର ପ୍ରକୃତି। ଯାହାର ଉଦାହରଣ ଆମେ ଘରେ-ବାହାରେ ସବୁଜାଗାରେ ଦେଖିଥାଉ। ମହିଳାଙ୍କ ସ୍ଥିତି ଏବେ ଅନେକ ଜାଗାରେ ଦୁଃର୍ବିସହ। ଆମ ରାଜ୍ୟରେ କିଛି ଅଂଚଳରେ ୧୫ରୁ ୪୫ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ପ୍ରାୟ ୪୨ ପ୍ରତିଶତ ମହିଳା ବିଭିନ୍ନ ପ୍ରକାରର ଶାରୀରିକ ଓ ଯୌନ ହିଂସାର ଶିକାର ହୋଇଥାନ୍ତି। କନ୍ୟାଭୃଣ ହତ୍ୟା, ଲିଙ୍ଗଗତ ପ୍ରଭେଦତା, ନାବାଳିକା ବିବାହ, ଯୁବତୀ ଚାଲାଣ, ଯୌତୁକଜନିତ ହତ୍ୟା ଓ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ନିହାତି ଭାବେ ଆମର ସଭ୍ୟ ସମାଜ ପାଇଁ କଳଙ୍କ, ଏଥିରେ କୌଣସି ସନ୍ଦେହ ନାହିଁ। ଏସବୁ ଜାଣିବା ସତ୍ତ୍ୱେ ମଧ୍ୟ ଆମେ ସଭ୍ୟ ସମାଜରେ ବାସ କରି ନିଜେ ଏଇ ସବୁ କାର୍ଯ୍ୟରେ ସମ୍ପୃକ୍ତି ରହି ନିଜେ ନିଜର ଅଭଦ୍ରାମୀର ପରିଚୟ ଦେଉଛେ। ପୁରୁଷ ସହିତ ପାଦ ମିଶାଇ ଚାଲିବା ପାଇଁ ଆଜି ବି ନାରୀକୁ ଘରୁ ବାହାର ଯାକେ ନିଜ ପାଇଁ ଜାଗାଟିଏ ତିଆରି କରିବା ପାଇଁ ପ୍ରଚଣ୍ଡ ସଂଘର୍ଷ କରିବାକୁ ପଡ଼ୁଛି। ୨୦୧୯ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ହୋଇଥିବା ଜାତୀୟ ପରିସଂଖ୍ୟାନ ସର୍ଭେ ଅନୁସାରେ ୨୧.୭ ପ୍ରତିଶତ କାର୍ଯ୍ୟରତ ମହିଳା ବେତନଭୋଗୀ ହୋଇଥିବାବେଳେ ୯୧.୮ ପ୍ରତିଶତ ମହିଳା ଅବୈତନିକ ଭାବେ ଘରୋଇ କାର୍ଯ୍ୟ କରୁଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, କେତେ କମ୍ ସଂଖ୍ୟକ ମହିଳା ଏପର୍ଯ୍ୟନ୍ତ ଘରୁ ବାହାରି କାମ କରିବାରେ ସକ୍ଷମ ହୋଇପାରିଛନ୍ତି। ଧନୀ ଅବା ଗରିବ ହୁଅନ୍ତୁ ବା ଶିକ୍ଷିତ କି ଅଶିକ୍ଷିତ- ସମସ୍ତେ ଏହି ସମାଜର ଉନ୍ନତିରେ ନିଜକୁ ସାମିଲ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି।

ଏକ ତଥ୍ୟ ଅନୁସାରେ ସର୍ବଭାରତୀୟସ୍ତରରେ ପ୍ରାୟ ୩ଜଣ ମହିଳାଙ୍କ ମଧ୍ୟରୁ ଜଣେ ନିଜ ସ୍ୱାମୀ ବା ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହିଂସାର ଶିକାର ହୋଇଥାନ୍ତି। ଯଥା- ଶୀଘ୍ର ତଥା ବାଧ୍ୟତାମୂଳକ ବିବାହ ଏବଂ ଲିଙ୍ଗଭିତ୍ତିକ ହିଂସା। ଏନଏଫଏଚଏସ୍ ସର୍ଭେରୁ ଜଣାପଡ଼ିଛି ଯେ, ବିବାହିତ ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୩୧ ପ୍ରତିଶତ ମହିଳା ନିଜର ସ୍ୱାମୀଙ୍କ ଦ୍ୱାରା ଶାରୀରିକ,ମାନସିକ ତଥା ଯୌନହିଂସାର ଅନୁଭବ କରିଥାନ୍ତି। ଏଭଳି ଘଟଣାଗୁଡ଼ିକ ମଧ୍ୟରୁ କିଛିଟା ରିପୋର୍ଟ କରାଯାଉଥିବାବେଳେ ଆଉ କିଛି ରିପୋର୍ଟ କରାଯାଇ ନଥାଏ। ଏଭଳି ସବୁ ଘଟଣା ଆମର ପୁରୁଷକେନ୍ଦ୍ରିକ ସମାଜକୁ ଅଧିକ ପ୍ରୋତ୍ସାହିତ କରିଥାଏ। କେବଳ ସେତିକି ନୁହେଁ, ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରାୟ ୧୧.୫ ପ୍ରତିାତ ମାମଲା ବଳାତ୍କାରର ହୋଇଥାଏ।

ପୁରୁଷ ପ୍ରାଧାନ୍ୟ ସମାଜରେ ଏବେବି ମହିଳାଙ୍କୁ ଅଣଦେଖା କରିବାର ବହୁତ ନଜିର ରହିଛି। ଉଚ୍ଚଶିକ୍ଷିତା ହୋଇଥିଲେ ମଧ୍ୟ ବିବାହ ପରେ ଚାକିରି କରିବାକୁ ବହୁତ ବଡ଼ ପରିବାରରେ ଅନୁମତି ମଧ୍ୟ ମିଳିନଥାଏ। ଆର୍ଥିକ ସ୍ୱଚ୍ଛଳତାରେ ପ୍ରତିଦିନ ରୁଟିନ୍ ଜୀବନ ଅତିବାହିତ କରିବାକୁ ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥାଏ। ଆର୍ଥିକ କ୍ଷେତ୍ରରେ ସବୁପ୍ରକାରର ସ୍ୱାଧୀନତା ଦେଇଥିଲେ ମଧ୍ୟ ନିଜେ ସ୍ତ୍ରୀଟିଏ କେଉଁଭଳି ଭାବେ ଆତ୍ମନିର୍ଭରଶୀଳ ହୋଇପାରିବ ଓ ସ୍ତ୍ରୀର ମାନସିକତାକୁ ବୁଝିବାକୁ ଏବେବି ସ୍ୱାମୀଟିଏ ଆନ୍ତରିକତା ଦେଖାଇନଥାଏ। ପୁରୁଷ ପ୍ରାଧାନ୍ୟ ସମାଜରେ ଏବେବି ନାରୀର ବହୁତ ଗୁଡ଼ିଏ କଥା ଅଗ୍ରହଣୀୟ। ତା’ହେଲେ କେମିତି ସେଇ ଜାଗାରେ ମହିଳା ହିଂସାକୁ ରୋକାଯାଇପାରିବ ତାହା ଏବେ ବଡ଼ ପ୍ରଶ୍ନ?

ଖାଲି ଆଇନ ତିଆରି କରିଦେଲେ ହେବ ନାହିଁ। ମହିଳାଙ୍କ ମାନସିକତାକୁ ବୁଝିବା ଏବେ ହେଉଛି- ଏହାର ଏକ ସମାଧାନର ବାଟ। ସମାଜର ବିଭିନ୍ନସ୍ତରରେ ଯଦି ଏଇପ୍ରକାରର ଭଲ ମାନସିକତା ସମସ୍ତଙ୍କ ପାଖରେ ଦେଖାଯିବ ତା’ହେଲେ ନିଶ୍ଚିତ ଭାବେ ମହିଳା ହିଂସା କମିବ। ଆଇନ ଓ କଠୋର ଦଣ୍ଡକୁ ମଧ୍ୟ ଆମେ ଅଣଦେଖା କରିପାରିବ ନାହିଁ। ଯେଉଁମାନଙ୍କ ହାତରେ କ୍ଷମତା ଅଛି ଏହି ବଳାତ୍କାରୀମାନଙ୍କୁ ଦଣ୍ଡିତ କରିବା ପାଇଁ, ସେମାନେ କିନ୍ତୁ ଏବେ ନିରବଦ୍ରଷ୍ଟା ସାଜୁଛନ୍ତି। ଯାହାକି ଆଗାମୀ ଦିନରେ ସର୍ଭେ ଗୁଡ଼ିକରେ, ମହିଳାଙ୍କ ସ୍ଥିତି ଆଉ ତଳକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି।

ତେଣୁ କ୍ଷମତାରେ ଥିବା ଲୋକଙ୍କର ମଧ୍ୟ ଏ ଦିଗରେ ଯଥେଷ୍ଟ ଆନ୍ତରିକତା ରହିବା ଦରକାର। ତା’ହେଲେ ସୁସ୍ଥ,ସୁନ୍ଦର ସମାଜଟିଏ ଆମେ ମହିଳାମାନଙ୍କ ପାଇଁ ଦେଖିପାରିବା। ସମାଜର ସହବସ୍ଥାନରେ ସନ୍ତୁଳନ ବଜାୟ ରହିବା ସହ ସାମାଜିକ ସୌହାର୍ଦ୍ଧ୍ୟ ବି ବଜାୟ ରହିପାରିବ।

(କ୍ୱାଟର ନମ୍ବର-୧୧/୪, ୟୁନିଟ୍‌-୪, ଭୁବନେଶ୍ୱର  ମୋ-୯୯୩୭୭୩୪୪୬୧)