Latest Odisha News

BREAKING NEWS

Putin’s Family: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ, ହେଲେ କାହିଁକି ଦୁନିଆଠୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ୍?

ନୂଆଦିଲ୍ଲୀ: କାହିଁକି ଦୁନିଆ ଠାରୁ ଦୂରରେ ପୁଟିନଙ୍କ ପରିବାର? ବିଶ୍ୱର ସବୁଠୁ ଚର୍ଚ୍ଚିତ ନେତାଙ୍କ ପରିବାରକୁ ନେଇ ରହିଛି ଅନେକ ରହସ୍ୟ! ଭାରତର ବନ୍ଧୁ ରୁଷିଆର ରାଷ୍ଟ୍ର ମୁଖ୍ୟ ଭ୍ଲାଦିମିର ପୁଟିନଙ୍କ ରାଜନୈତିକ ଜୀବନ ବିଷୟରେ ସାରା ବିଶ୍ୱ ଜାଣେ। କିନ୍ତୁ କ’ଣ ଆପଣ ତାଙ୍କ ପରିବାର ବିଷୟରେ ଜାଣନ୍ତି…ପତ୍ନୀଙ୍କ ସହ ଛାଡପତ୍ର, ପୁଟିନଙ୍କ ଅଛନ୍ତି ଦୁଇ ଝିଅ…କାହିଁକି ତାଙ୍କ ପରିବାରକୁ ସେ ରାଜନୀତି ଓ ଗଣମାଧ୍ୟମ ଠାରୁ ଏତେ ଦୂରରେ ରଖନ୍ତି? ଆଜି ଆସନ୍ତୁ ଜାଣିବା ଭାରତର ଦୁଃଖସୁଖର ସାଥି ପୁଟିନଙ୍କ ପରିବାରର କିଛି ଅଜଣା କାହାଣୀ…

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆନ୍ତର୍ଜାତିକ କାର୍ଯ୍ୟକଳାପ ଉପରେ ସାରା ବିଶ୍ୱର ନଜର ରହୁଥିବା ବେଳେ, ତାଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ବିଷୟରେ ବହୁତ କମ୍‌ ତଥ୍ୟ ସାମ୍ନାକୁ ଆସିଛି । ପୁଟିନ୍ ୧୯୮୩ରେ ଲ୍ୟୁଡମିଲାଙ୍କୁ ବିବାହ କରିଥିଲେ। ସେତେବେଳେ ଲ୍ୟୁଡମିଲା ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଥିଲେ ଏବଂ ପୁଟିନ ସୋଭିଏତ୍‌ ଗୁପ୍ତଚର ସଂସ୍ଥା KGBରେ ଅଧିକାରୀ ଥିଲେ। ପ୍ରାୟ ତିନି ଦଶନ୍ଧିର ବିବାହ ପରେ ୨୦୧୩ରେ ଉଭୟ ସହମତିରେ ଅଲଗା ହୋଇଥିଲେ।

ପୁଟିନଙ୍କ ଦୁଇ ଝିଅ ଅଛନ୍ତି । ପୁଟିନଙ୍କ ବଡ଼ ଝିଅ ମାରିଆଙ୍କ ଜନ୍ମ ୧୯୮୫ରେ ହୋଇଥିଲା। ସେ ସେଣ୍ଟ ପିଟର୍ସବର୍ଗ ୟୁନିଭର୍ସିଟିରେ ବାୟୋଲୋଜି ପଢ଼ିବା ପରେ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରୁ ମେଡିକାଲ୍‌ ଶିକ୍ଷା ନେଇଥିବା ରିପୋର୍ଟ ରହିଛି। ସେ ଏଣ୍ଡୋକ୍ରାଇନ୍‌ ସିଷ୍ଟମ୍‌ ସମ୍ପର୍କିତ ଚିକିତ୍ସା, ଗବେଷଣା ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଥିବା କୁହାଯାଏ। ବାପା ପୁଟିନଙ୍କ ସହାୟତାରେ ମେଡିକାଲ୍‌ ସେକ୍ଟରରେ ବ୍ୟବସାୟିକ ପଦକ୍ଷେପ ମଧ୍ୟ ନେଇଥିବା ରିପୋର୍ଟ ରହିଛି।

ଛୋଟ ଝିଅ କ୍ୟାଟେରିନା ତିଖୋନୋଭାଙ୍କ ପରିଚୟ ମଧ୍ୟ ଭିନ୍ନ। ସେ ରକ୍‌ ଆଣ୍ଡ୍‌ ରୋଲ୍‌ ଡାନ୍ସର୍‌ ଭାବେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ନ୍ୟୁରୋଟେକ୍ନୋଲୋଜି ଓ ବ୍ୟବସାୟିକ ପ୍ରକଳ୍ପ ସହ ଜଡ଼ିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଥରେ ପୁଟିନ ନିଜେ ୨୦୧୫ରେ କହିଥିଲେ ଯେ ତାଙ୍କ ଝିଅମାନେ ରୁଷିଆରେ ହିଁ ବଡ଼ ହୋଇଛନ୍ତି ଏବଂ ସେମାନେ ନିଜ ଜୀବନ ନିଜେ ବାଛିବାର ସ୍ୱାଧୀନତା ରଖନ୍ତି। ୨୦୧୭ରେ ସେ ନାତି-ନାତୁଣୀ ଥିବା କଥା ମଧ୍ୟ ସ୍ୱୀକାର କରିଥିଲେ। ପୁଟିନ କହିଥିଲେ, ସେମାନେ ରାଜକୁମାରଙ୍କ ଭଳି ନୁହେଁ, ବରଂ ସାଧାରଣ ପରିବେଶରେ ବଢ଼ନ୍ତୁ ବୋଲି ସେ ଚାହାନ୍ତି।

ତେବେ ପୁଟିନଙ୍କ ପରିବାରକୁ ନେଇ ଆଉ ଏକ ଚର୍ଚ୍ଚା ରହିଛି। କିଛି ମିଡିଆ ରିପୋର୍ଟରେ ପୂର୍ବତନ ଅଲିମ୍ପିକ୍‌ ଜିମ୍ନାଷ୍ଟ ଅଲିନା କାବାଏଭାଙ୍କ ସହ ପୁଟିନଙ୍କ କଥିତ ପରିବାର ଓ ଦୁଇ ପୁଅଙ୍କ ଦାବି କରାଯାଇଛି। ତଥାପି ଆଜି ଯାଏଁ ସେମାନଙ୍କ ଝଲକ କେବେ ବି ଦେଖିବାକୁ ମିଳିନାହିଁ । ତେବେ ପୁଟିନଙ୍କ ପରିବାର କେଉଁଠି ରହେ, ସେନେଇ ମଧ୍ୟ ବିଭିନ୍ନ ମିଡିଆ ଭିନ୍ନ ଦାବି କରିଥିବା ବେଳେ ଏନେଇ ସତ କ’ଣ କେବେ ଜଣାପଡିନାହିଁ ।

ଏହି କାରଣରୁ ପୁଟିନଙ୍କ ପରିବାର ଆଜି ବି ରୁଷିଆର ସବୁଠାରୁ ଗୋପନୀୟ ଓ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ।

Leave A Reply

Your email address will not be published.