ଝାରସୁଗୁଡ଼ା: କିର୍ମିରାରେ ବାତିଲ ହୋଇଛି ଅନାସ୍ଥା ଭୋଟିଂ। ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି କିର୍ମିରାରେ ୧୦ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ବାତିଲ ହୋଇଛି। ଅନାସ୍ଥା ଭୋଟିଂ ପୂର୍ବରୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସହ ସରପଞ୍ଚ ଏବଂ କିଛି ସମିତି ସଭ୍ୟଙ୍କୁ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ଅଟକ ରଖାଯାଇଥିଲା। ଏନେଇ ଭୋଟ୍ ଦେବାକୁ କେହି ବି ଆସି ପାରି ନଥିଲେ । ଭୋଟ ଦେବାକୁ ମତଦାତା ମାନେ ଆସି ନଥିବାରୁ ଅନାସ୍ଥା ଭୋଟିଂକୁ ବାତିଲ କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଏହାକୁ ନେଇ ମତଦାନ କରାଯିବାକୁ କିର୍ମିରା ପଞ୍ଚାୟତ ସମିତି ସଭାକକ୍ଷରେ ବୈଠକ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଥିଲା। ସେ ଦୃଷ୍ଟିରୁ ପ୍ରସ୍ତାବ ଉପରେ ମତଦାନ ଓ ଫଳାଫଳ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଆଜି ଭୋଟ୍ ଦେବାକୁ ସରପଞ୍ଚ ଓ ସମିତି ସଭ୍ୟମାନେ ପହଞ୍ଚି ନଥିଲେ। ଏହି କାରଣରୁ ଭୋଟିଂକୁ ବାତିଲ୍ କରାଯାଇଛି ।
ଗତ ସେପ୍ଟେମ୍ବର ୧୩ ତାରିଖ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ପହଞ୍ଚିଥିଲା। ଶେଷରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ୧୦ ଜାନୁଆରୀରେ ସ୍ୱତନ୍ତ୍ର ବୈଠକ ଆୟୋଜନ ପାଇଁ ଉପଜିଲ୍ଲାପାଳ ଦିନ ଧାର୍ଯ୍ୟ କରିଥିଲେ। ଏନେଇ ସରକାରୀ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ଅଛନ୍ତି। ସେଥିମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।
Comments are closed.