Latest Odisha News

୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଭୋଟିଂ ଆରମ୍ଭ

ସିମଲା: ଆରମ୍ଭ ହେଲା ହିମାଚଳ ପ୍ରଦେଶ ଭୋଟିଂ । ଆଜି ହିମାଚଳ ପ୍ରଦେଶର ୬୮ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ସେଥିରୁ ୨୪ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏଥିପାଇଁ ୭୮୮୪ ଭୋଟ୍ କେନ୍ଦ୍ର ହୋଇଛି ।  ବିଜେପି ଗଡ ବଜାୟ ରଖିବାକୁ ଜୋରଦାର ପ୍ରୟାସ କରିଛି । ମୋଦୀ ଲହର ସହିତ ଜୟରାମ ଠାକୁରଙ୍କ ଭାବମୂର୍ତ୍ତିକୁ ଦଳ ପାଥେୟ କରିଛି । ସ୍ଥିର ସରକାର ବିକାଶର ଦିଗ ବୋଲି ନାରା ଦେଇଛି ବିଜେପି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ବା ଡବଲ ଇଞ୍ଜିନ ରାଜ୍ୟର ବିକାଶରେ ସହାୟକ ହେବ ବୋଲି ଯୁକ୍ତି ବାଢିଛି ବିଜେପି ।

ତେବେ ହିମାଳୟ ପାଦଦେଶରେ ସ୍ଥତି ରାଜ୍ୟର ୫୫ ଲକ୍ଷ ଭୋଟର ଆଜି ମତ ସାବ୍ୟସ୍ତ କରିବେ । ସେପଟେ କଂଗ୍ରେସ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ଦରିଆ ପାର ହେବାକୁ ଲକ୍ଷ୍ୟ ରଖିଛି । ଭେଟେରାନ ବୀରଭଦ୍ର ସିଂଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତିଭା ସିଂ ରାଜ୍ୟ କଂଗ୍ରେସ ମୁଖ୍ୟ ହୋଇଥିବାବେଳେ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚଳିତ ଥର ଆପ୍ ମଧ୍ୟ ହିମାଚଳ ପ୍ରଦେଶରେ ଭାଗ୍ୟ ପରୀକ୍ଷା କରୁଛି ।

ସ୍ୱଚ୍ଛ ଓ ନିରପଦ ମତଦାନ ପାଇଁ ୩୦ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ପ୍ରାୟ ୫୦ ହଜାର ପୋଲିଂ ଅଧିକାରୀ ଭୋଟ୍ ଦାୟିତ୍ୱରେ ଅଛନ୍ତି ।

Comments are closed.