ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅଷ୍ଟମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି, ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବବିଶାଳ ଦେବ , ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଚନ୍ଦ୍ର ଶେଖର ଶର୍ମା , ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି ଏବଂ ସଚିବ ପ୍ରବୋଧ ରଥ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।
ଧର୍ମଶାସ୍ତ୍ର ଅନୁସାରେ ଯୁଗେ ଯୁଗେ ସଙ୍ଗୀତର ମହାତ୍ମ୍ୟ ରହିଛି। ସଙ୍ଗୀତ ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକତା ଭରିଦେବା ସହ ମାନବୀୟ ଗୁଣର ନିକଟତର କରାଇଥାଏ ଏବଂ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇପାରେ ।ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସଙ୍ଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ।

ପ୍ରତିବର୍ଷ ବର୍ଷ ହୋଲି ଅବସରରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ, ଚଳିତ ବର୍ଷ ସରୋଦ ବାଦକ ଉସ୍ତାଦ ଅମଜାଦ ଅଲୀ ଖାନଙ୍କ ଦ୍ୱାରା ସରୋଦ ବାଦନ ଏବଂ ମାଲିନୀ ଅଓ୍ୱସ୍ତିଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏବଂ ହୋଲି ଉତ୍ସବ ଉପରେ ପର୍ଯ୍ୟବସିତ ଭକ୍ତି ରସାତ୍ମକ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ବାନ୍ଧି ରଖିପାରିଥିଲା । ଏହା ସହିତ ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ ଏବଂ ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତ ବାଦକମାନଙ୍କ ଦ୍ୱାରା ଯନ୍ତ୍ର ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିବା କରିଥିଲା । ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଙ୍ଗୀତ ମହୋତ୍ସବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଙ୍ଗୀତ ବିଶାରଦ ଓ ଯୁବ ସଙ୍ଗୀତ ଶିଳ୍ପୀମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ନାଜିଆ ଆଲାମ୍ କାର୍ଯ୍ୟକ୍ରମ ସଂଯୋଜନାଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବକୁ ବୃନ୍ଦାବନ ଗୁରୁକୁଳ, କଳିଙ୍ଗ ନଗରର ସଭାପତି ଅନିକେତ ମହାରଣା ଓ ସମ୍ପାଦକ ଦିଗବିଜୟ ସିଂ ଚୌହାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.