Latest Odisha News

BREAKING NEWS

ବିରୋଧୀ ଯେଉଁଠି ରେଡ୍ ସେଇଠି !

ଭୁବନେଶ୍ୱର: କୌଣସି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଚଢ଼ାଉ କରାଯାଏ ବୋଲି ଅଭିଯୋଗ ହୋଇଆସୁଛି। କେନ୍ଦ୍ରର ବିଜେପି ସରକାର ଏହାକୁ ଅସ୍ତ୍ର କରି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ରାଜ୍ୟରେ ଏବେ ସିବିଆଇ ଇଡି ଚଢ଼ାଉ ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଉପରେ ଚଢ଼ାଉ କରାଯାଉଛି। ଦେଶର ଅଣବିଜେପି ଶାସିତ ରାଜ୍ୟଗୁଡିକରେ ଏହି ଚଢ଼ାଉ ସବୁ କରାଯାଉଥିବା ଅଭିଯୋଗ ହେଉଛି।

କିଛି ବର୍ଷ ଧରି ଏହି ଚଢ଼ାଉ ଜାରି ରହିଥିବା ବେଳେ ଏବେ ଏହା ବ୍ୟାପକ ହୋଇଛି। ଗତବର୍ଷ ଜୁଲାଇ ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ଘରେ ସିବିଆଇ ରେଡ଼ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିବା ସମ୍ପର୍କିତ ବିରୋଧ କାର୍ଯ୍ୟକ୍ରମ ଯୋଗୁ କେନ୍ଦ୍ରୀୟ ବିଜେପିର ନିର୍ଦେଶରେ ଏଭଳି ଉଦେଶ୍ୟମୂଳକ ରେଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ନେଇ ମହାରାଷ୍ଟ୍ରର କିଛି ପୋଲିସ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କ ଉପରେ ସିବିଆଇ ରେଡ଼ ହୋଇଥିଲା।

ଅଗଷ୍ଟ ମାସରେ କେରଳର କାରୁଭାନୁର କୋ ଅପରେଟିଭ ବ୍ୟାଙ୍କ ଫ୍ରଡ଼ ପ୍ରସଙ୍ଗକୁ ନେଇ ଇଡି ରେଡ଼ ହୋଇଥିଲା। ଗତ ଜୁଲାଇ ମାସରେ ଛତିଶଗଡ଼ ରାୟପୁର ଓ ଦୁର୍ଗର କିଛି ଗହଣା ଓ ଲୁଗା ବ୍ୟବସାୟୀଙ୍କ ଇଡି ରେଡ଼ ହୋଇଥିଲା। ଯାହାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କେନ୍ଦ୍ର ବିରୋଧରେ ମନ୍ତବ୍ୟ ରଖିଥିଲେ। ମହାରାଷ୍ଟ୍ରରେ ସରକାର ବଦଳାଇବା ପରେ ଏବେ ସିବିଆଇ, ଇଡି, ଆଇଟି ଛତିଶଗଡ଼ ଓ ଝାଡ଼ଖଣ୍ଡ କୁ ଟାର୍ଗେଟ କରିବେ ବୋଲି କହିଥିଲେ ଭୁପେଶ ବାଘେଲ। ଏପରିକି ଗତ 8 ବର୍ଷ ମଧ୍ୟରେ କେତେଜଣ ବିଜେପି ନେତାଙ୍କ ଉପରେ ଚଢ଼ାଉ ହୋଇଥିବା ପ୍ରଶ୍ନ କରିଥିଲେ ଭୁପେଶ।

ଗତ ବର୍ଷ ମେ ମାସରେ ଝାଡ଼ଖଣ୍ଡର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ବନ୍ଧୁ ତିର୍କିଙ୍କ ଉପରେ ସିବିଆଇ ରେଡ଼ ହୋଇଥିଲା। ସେ କଂଗ୍ରେସରେ ମିଶିବା ପରେ ବିଜେପି ପକ୍ଷରୁ ଜାଣିଶୁଣି ଏହି ରେଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତାଙ୍କ ଉପରେ ବହୁ ପ୍ରକାର ରେଡ଼ ହୋଇଥିବା ଦେଖାଯାଇଛି। ସେହିପରି ପୂର୍ବରୁ ତାମିଲନାଡୁ ନିର୍ବାଚନ ପୂର୍ବରୁ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନଙ୍କ ଝିଅ ଉପରେ ଆଇଟି ରେଡ଼ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଉପରେ ରେଡ଼ ହୋଇଥିଲା।

ଗତ କିଛି ଦିନ ତଳେ ହୋଇଥିବା କଂଗ୍ରେସର ପ୍ଲେନାରୀ ସେସନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ନେତାଙ୍କ ଉପରେ ଇଡି ରେଡ଼କୁ ନେଇ ବିରୋଧୀ କେନ୍ଦ୍ରର ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଓଡ଼ିଶାରେ ମଧ୍ୟ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ରେଡ଼ ଜୋରଦାର କରାଯାଇଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ବିଜେଡିର ପୂର୍ବତନ ସାଂସଦ ରାମଚନ୍ଦ୍ର ହଁସଦା ଗିରଫ ହୋଇଥିଲେ।

ସେହିପରି ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଉପରେ ଇଡି ଚଢ଼ାଉ କରିବା ସହ ସମ୍ପତ୍ତି ଜବତ କରିଥିଲା। ଏପରିକି ବିଭିନ୍ନ ସମୟରେ ଓଡ଼ିଶାର ଅନ୍ୟ ନେତାଙ୍କ ଉପରେ ସିବିଆଇ ଇଡିର ରେଡ଼ ହୋଇଛି। ଆଗକୁ ନିର୍ବାଚନ ଥିବାବେଳେ କିଛି ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାରେ ସିବିଆଇ ଓ ଇଡି ଚଢ଼ାଉ ନେଇ ମନ୍ତବ୍ୟ ମଧ୍ୟ ରଖିଛନ୍ତି।

ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ଓଡ଼ିଶାର ଶାସକ ଦଳ ବିଜେଡି ଓ ଅନ୍ୟ ବିରୋଧୀ ନେତାମାନେ ସ୍କାନରରେ ଥିବା ଚର୍ଚା ହେଉଛି। ଆଗକୁ ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି କିଛି ରେଡ଼ ହେବ କି ବୋଲି ପ୍ରଶ୍ନ ଉଠିଛି। ସେପଟେ ପୂର୍ବରୁ ଇଡି ଦ୍ୱାରା ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିବାବେଳେ ଏବେ ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କୁ ସିବିଆଇ ଗିରଫ କରିଛି।

ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାବରୀ ଦେବୀଙ୍କୁ ସିବିଆଇ ଲଗାତାର ଜେରା କରୁଛି। ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅକୁ ପୂର୍ବରୁ ସିବିଆଇ ଜେରା କରିଥିବା ବେଳେ ଏବେ ଇଡି ସମାନ କରିଛି। ତେଣୁ ଦେଶକୁ ବିରୋଧୀଶୂନ୍ୟ କରିବା ସହ ନିଜେ କ୍ଷମତାକୁ ଆସିବା ପାଇଁ ବିଜେପି ଏହା କରୁଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଏହାର କଣ ପ୍ରଭାବ ପଡୁଛି ତା ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.