ନୂଆଦିଲ୍ଲୀ :ବିସିସିଆଇ ଭି.ଭି.ଏସ୍.ଲକ୍ଷ୍ମଣଙ୍କୁ ଚୟନ କମିଟି ମୂଖ୍ୟ କରିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ସ୍ଥାନରେ ସେ ଏହି ଦାୟିିତ୍ୱ ତୁଲାଇବେ । ଅଗରକରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ, ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଏହି ଦାୟିତ୍ୱ ଗ୍ରହଣ କରିପାରନ୍ତି । ଯଦି ଲକ୍ଷ୍ମଣ ଏହି ପଦବୀ ଗ୍ରହଣ କରନ୍ତି, ତେବେ ତାଙ୍କୁ ବାର୍ଷିକ ୩ କୋଟି ଟଙ୍କାର ଦରମା ମିଳିବ । ବିସିସିଆଇର ବର୍ତ୍ତମାନର ନିୟମାନୁସାରେ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୩ କୋଟି ଟଙ୍କା ଏବଂ କମିଟିର ଅନ୍ୟ ୪ ଜଣ ସଦସ୍ୟଙ୍କୁ ବାର୍ଷିକ ୯୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଏ ।
ଅଗରକରଙ୍କ କାର୍ଯ୍ୟକାଳ ଜୁନ୍ରେ ଶେଷ ହୋଇଥିଲେ ସୁଦ୍ଧା ବୋର୍ଡ ତାଙ୍କୁ ୩ ମାସର ଏକ୍ସଟେନ୍ସନ୍ ଦେଇଥିଲା, ଯାହା ସେପ୍ଟେମ୍ବରରେ ପୂରଣ ହେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ସଭାରେ ନୂଆ ଚୟନକର୍ତ୍ତାଙ୍କ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ବର୍ତ୍ତମାନ ଲକ୍ଷ୍ମଣ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ର ମୁଖ୍ୟ ଭାବେ କାର୍ୟ୍ୟରତ ଅଛନ୍ତି । ଏହାବାଦ୍ ସେ ଭାରତୀୟ ସିନିୟର ଟିମ୍ର କାର୍ଯ୍ୟବାହୀ ହେଡ୍ କୋଚ୍ ଭାବେ ମଧ୍ୟ ଅନେକ ଗସ୍ତରେ ଦାୟିତ୍ୱ ତୁଲାଇସାରିଛନ୍ତି । ଲକ୍ଷ୍ମଣଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ପାଇଁ ଯୋଜନା କରୁଛି ।