Latest Odisha News

ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସେସନ ନମିତା, ଗୀତ ଶୁଣିଲେ ମତୁଆଲା ହେବେ…

ଭୁବନେଶ୍ୱର: ପଛୁଆ ଅଂଚଳର ଆଗୁଆ ଝିଅ । ରାଜଧାନୀ କି ରାଜ୍ୟର ବଡ ସହରରେ ରହୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ କେରାପୁଟ ଜିଲ୍ଲାରେ ଘର । ଗାଁ ଚିନ୍ତାଗୁଡାର ସେ ହେଉଛନ୍ତି ଚମକ । କୁହୁକ ଭରା କଣ୍ଠ ସ୍ୱର ତାଙ୍କର । ଅପହଂଚ ଇଲାକାରୁ ଦରିଆପାରି ଯାଏଁ ପରିଚିତ ନାଁ ନମିତା ମେଲକା ।..

କୋରାପୁଟ ଚିନ୍ତାଗୁଡାର ଏହି ଯୁବତୀଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ୟୁଟ୍ୟୁବ୍‌, ଫେସବୁକ୍‌ରେ ଛାଇ ଗଲେଣି ନମିତା । କ୍ରେଜ୍ କାହିଁରେ କଣ । ଯିଏ କେହିବି ନମିତାଙ୍କ ଗୀତ ଶୁଣିଛି , ବାଧ୍ୟ ହୋଇଛି ପୁଣିଥରେ ଶୁଣିବାକୁ । ବାରମ୍ବାର ଶୁଣୁଛି । କୌଣସି ବଲିଉଡ୍ ସିଙ୍ଗରଙ୍କ ଠାରୁ କମ୍ ନୁହେଁ ନମିତାଙ୍କ କଣ୍ଠର ଯାଦୁ । ସ୍ୱର, ଏମିତି ସୁମଧୁର ଯାହା ଶ୍ରୋତାଙ୍କୁ ଆକର୍ଷିତ କରେ ଆହୁରି ଅଧିକ ଶୁଣିବାକୁ ।

ହିନ୍ଦି, ଓଡିଆ ହେଉ ଅବା ଆଦିବାସୀ ଭାଷାରେ ଗୀତ । ସବୁଥିରେ ପାରଙ୍ଗମ ନମିତା । ବଲିଉଡ୍ ଗୀତ ତାଙ୍କ ଫେଭରିଟ୍ । ହେଲେ ଓଡିଆ ଗୀତ ତାଙ୍କର ପ୍ରଥମ ପସନ୍ଦ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନମିତା ଗାଇଥିବା ମାତ୍ର ଦୁଇଟି ଗୀତ । ଆଉ , ଏବେଠୁ ଦର୍ଶକ ୟୁଟ୍ୟୁବରେ ତାଙ୍କ ଗୀତକୁ ଖୋଜି ହେଲେଣି ।

ଆଦିବାସୀ ଅଂଚଳରୁ ଲୋକଙ୍କ ପାଖରେ ନମିତାଙ୍କ ସ୍ୱର ପହଂଚାଇବାରେ ସହଯୋଗ କରିଛନ୍ତି ତାଙ୍କ ଗୁରୁ ବଂଶୀଧର ହାଲୱା । ନମିତା ଏବେ ଗାଉନାହାଁନ୍ତି । ଦଶମ ଶ୍ରେଣୀରେ ପଢିଲାଯାଏ ସେ ଅନେକ ସଙ୍ଗୀତ ପ୍ରତିିଯୋଗୀତାରେ ଭାଗ ନେଇଛନ୍ତି । ଜିତିଛନ୍ତି, ପୁରସ୍କାର ପାଇଛନ୍ତି । ଯଦି ପ୍ରୋତ୍ସାହନ ଓ ସଙ୍ଗୀତ ଶିକ୍ଷା ମିଳେ ତେବେ ରାଜ୍ୟର ଓ ଦେଶର ନାଁ କରିବେ ନମିତା ।

Leave A Reply

Your email address will not be published.