Latest Odisha News

BREAKING NEWS

ଦମଦାର୍ ଖେଳ ପ୍ରଦର୍ଶନ କରି ଆଜି ସେମିଫାଇନାଲ ଯିବାକୁ ଚେଷ୍ଟା କରିବ ଭାରତ

ଭୁବନେଶ୍ୱର: କୋଟି କୋଟି ଭାରତୀୟ ହକିପ୍ରେମୀ ଆଜି ଓଡ଼ିଶା ରାଜଧାନୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮’ର କ୍ୱାର୍ଟର୍ ଫାଇନାଲ ମ୍ୟାଚ ଉପରେ ଦୃଷ୍ଟି ନିବଦ୍ଧ ରଖିଛନ୍ତି । ଆଜି ଆୟୋଜକ ଭାରତ ଭେଟୁଛି ଶକ୍ତିଶାଳୀ ନେଦରଲାଣ୍ଡ ହକି ଦଳକୁ ।

ଆଜିର ମ୍ୟାଚ୍ ଭାରତୀୟ ଜାତୀୟ ହକି ଦଳ ଲାଗି କର ବା ମର ମ୍ୟାଚ୍ ପରି ବିବେଚିତ ହେଉଛି । ବିଶ୍ୱ ହକି ର‌୍ୟାଙ୍କିଂରେ ନେଦରଲାଣ୍ଡ ୪ ନଂ ସ୍ଥାନରେ ରହିଥିବା ବେଳେ ଭାରତର ସ୍ଥାନ ୫ମ ।

ତେଣୁ ଭାରତୀୟ ଦଳ ଯେ ସହଜରେ ନେଦରଲାଣ୍ଡକୁ ଛାଡ଼ିଦେବ ତାହାନୁହେଁ, ବରଂ ଘରୋଇ ଦର୍ଶକଙ୍କ ପ୍ରଚୁର ସମର୍ଥନରେ ଭାରତୀୟ ହକି ବାହିନୀ ଏହି ମ୍ୟାଚରେ କଡ଼ା ଟକ୍କର୍ ଦେବ ବୋଲି ହକି ବିଶାରଦମାନେ ଆଶା ପୋଷଣ କରିଛନ୍ତି । ଗତ କିଛି ବର୍ଷ ହେଲା ଭାରତୀୟ ହକି ଦଳ ପୁଣି ଥରେ ତା’ର ପୂର୍ବ ଗୌରବକୁ ମନେ ପକାଇ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ମାନଙ୍କରେ ବେଶ୍ ଭଲ ଖେଳ ପ୍ରଦର୍ଶନ କରିପାରୁଛି ।

ଭାରତୀୟ ଦଳର କୋଚ୍ ହରେନ୍ଦ୍ର ସିଂହ ନେଦରଲାଣ୍ଡ ଦଳର ଖେଳିବା ଶୈଳୀ ସହିତ ଦଳର ରଣନୀତି ଉପରେ କଡ଼ା ନଜର ରଖି ଭାରତୀୟ ଦଳକୁ ବିଶେଷ ଭାବେ ପରାମର୍ଶ ଦେଇଛନ୍ତି । ଭାରତୀୟ ଦଳର ସାମର୍ଥ୍ୟ ଉପରେ ଦଳର କୋଚଙ୍କ ବେଶ୍ ଭରସା ରହିଛି । ଭାରତୀୟ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚରେ ପରାଜୟ ବରଣ କରିନଥିବାରୁ ଖେଳାଳିମାନଙ୍କର ଆତ୍ମବିଶ୍ୱାସ ମ୍ୟାଚ୍ ଜିତିବା ନେଇ ଦୃଢ ଆଶାବାଦୀ ରହିଛନ୍ତି ।

ଆଜି ଭାରତ ଏହି ମ୍ୟାଚ୍ ଜିତି ସେମିଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ନେଇ କଳିଙ୍ଗ ଷ୍ଟାଡ଼ିୟମରେ ଓହ୍ଲାଇବ । ଭାରତୀୟ ସମୟ ସନ୍ଧ୍ୟା ୫ଟା ସମୟରେ ଏହି ମ୍ୟାଚ ଦେଖିବାକୁ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେବାରେ ଲାଗିଛି । ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ସମସ୍ତ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ପ୍ରଦାନ କରିବାରେ ଲାଗିଛନ୍ତି ହକିପ୍ରେମୀ ।

ଆଜିର ଅନ୍ୟ ଏକ କ୍ୱାର୍ଟର୍ ଫାଇନାଲରେ ବେଲଜିୟମ ଦଳ ଭେଟୁଛି ଶକ୍ତିଶାଳୀ ଜର୍ମାନୀ ଟିମକୁ । ତେବେ ଦୁଇଟି ମ୍ୟାଚ୍ ବେଶ୍ ଚିତାକର୍ଷକ ହେବ ବୋଲି ହକି ବିଶାରଦମାନେ ଆକଳନ କରିଛନ୍ତି ।

ବିଶ୍ୱ ହକିର ଦୁଇଟି ଶକ୍ତିଶାଳୀ ଟିମ ମଧ୍ୟରେ ମୁକାବିଲା ହେଉଥିବାରୁ ଆଜିର ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ସମ୍ଭାବନା ରହିଛି । ଆଜି ମଧ୍ୟ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଘରୋଇ ଦର୍ଶକଙ୍କ ଆଗରେ ନିଜର ଖେଳ ପ୍ରଦର୍ଶନ କରିବେ । ଗତ କାନାଡ଼ା ବିପକ୍ଷ ମ୍ୟାଚରେ ଓଡ଼ିଆ ପୁଅ ଅମିତ ଏକ ଚିତାକର୍ଷକ ଗୋଲ ସ୍କୋର କରି କଳିଙ୍ଗ ଷ୍ଟାଡ଼ିୟମରେ ଉପସ୍ଥିତ ଓଡ଼ିଶା ହକିପ୍ରେମୀଙ୍କ ମନ ଜିଣି ନେଇଥିଲେ ।

ଆଜି ମଧ୍ୟ ବେଶ୍ ଭଲ ଖେଳ ପ୍ରଦର୍ଶନ କରି ଗୋଲ୍ ସ୍କୋର କରିବା ଲକ୍ଷ୍ୟରେ ରହିଛନ୍ତି ଦକ୍ଷ ଓଡ଼ିଆ ହକି ସ୍ପେଶାଲିଷ୍ଟ ଅମିତ ରୋହିଦାସ ।

ଭାରତୀୟ ଦଳ
ଗୋଲ କିପର୍ – ପି.ଆର୍ ଶ୍ରୀଜେଶ, କ୍ରିଷ୍ଣା ବାହାଦୁର ପାଠକ

ଡ଼ିଫେଣ୍ଡର୍ – ହରମନପ୍ରିତ୍ ସିଂହ, ବିରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଟଜିତ୍ ସିଂହ, ସୁରେନ୍ଦ୍ର କୁମାର ଓ ଅମିତ ରୋହିଦାସ

ମିଡ଼ଫିଲ୍ଡର୍ – ମନପ୍ରୀତ୍ ସିଂହ (ଅଧିନାୟକ), ଚିଗ୍ନେସାନା ସିଂହ (ଉପ ଅଧିନାୟକ)ସୁମିତ, ନୀଲକାନ୍ତ ଶର୍ମା ଓ ହାର୍ଦ୍ଦିକ ସିଂହ

ଷ୍ଟାଇକର୍ – ଆକାଶଦୀପ ସିଂହ, ମନଦୀପ ସିଂହ, ଦୀଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମରନଜିତ ସିଂହ

କୋଚ୍ – ହରେନ୍ଦ୍ର ସିଂହ

 

Leave A Reply

Your email address will not be published.