ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଖରା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଗ୍ରୀଷ୍ମପ୍ରବାହ ଚିନ୍ତା ବଢାଇଛି। ଏହି ପରିପ୍ରେକ୍ଷୀରେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ତତ୍ପର ଅଛି ଓ ପ୍ରସ୍ତୁତି ଆରମ୍ଭ କରିଥିବା ସେ କହିଛନ୍ତି। ବିଶେଷ କରି ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି।
ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଛି ସେଠାରେ ତୁରନ୍ତ ନଳକୂପ ବସାଇବାକୁ କୁହାଯାଇଛି। ଏହି କ୍ରମରେ କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ନୂତନ ନଳକୂପ ମଞ୍ଜୁର କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ଜଳଛତ୍ର ଖୋଲିବା ପାଇଁ ମଧ୍ୟ ପଞ୍ଚାୟତସ୍ତରରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ସୂଚନା ଅନୁସାରେ ନଳକୂପ ଓ ପାନୀୟ ଜଳ ଉତ୍ସ ମରାମତି ପାଇଁ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର୍ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ତେବେ ଅର୍ଥ ପରିମାଣ ୫୦ ହଜାରରୁ ଅଧିକ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଖର୍ଚ୍ଚ କରିପାରିବେ। ସେହିପରି ଉପାନ୍ତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରବଳ ଖରାକୁ ନଜରରେ ରଖି, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ସହିତ ପାନୀୟ ଜଳ ଯୋଗାଣ, ଜଳାଭାବ ଦୂର, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
Comments are closed.