ଭୁବନେଶ୍ୱର: ଏବେ ଠାରୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା । ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବ ବୋଲି ଆକଳନ କରାଯାଇଛି । ଆଇଏମଡି ଜାରି କରିଥିବା ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ରହିବ । କିନ୍ତୁ ଦେଶର ଉତ୍ତର ପଶ୍ଚିମ ଭାଗ ଓ କେନ୍ଦ୍ରୀୟ ଭାଗରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ ।
ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ଥିଲା । ସୋନପୁରରେ ୩୫.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୫.୮, ଭୁବନେଶ୍ୱର ଓ ଅନଗୁଳରେ ୩୫.୭, ତାଳଚେର ଓ ରାଉରକେଲାରେ ୩୫.୪ ଡିଗ୍ରୀ ରହିଥିଲା । ରବିବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ରହିବ । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା କମ୍ ରହିବ ।
ସେହିପରି, ସୋମବାର ଦିନ ଉପକୂଳ ଓଡ଼ିଶାକୁ ଛାଡ଼ି ଆଉ ସବୁଠି ତାପମାତ୍ରା କମ୍ ରହିବ । ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।