ଭୁବନେଶ୍ୱର: ଓଡିଶାରେ ଜାରି ରହିଛି ଶୀତ ଲହରି । ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି । ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଘନ କୁହୁଡ଼ି ସମୟରେ ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି ସୂଚନା ଦିଆଯାଇଛି ।
ଅନ୍ୟପଟେ, ଶନିବାର ରାଜ୍ୟର ରାଉରକେଲାରେ ଘନ କୁହୁଡି ଏବଂ ଝାରସୁଗୁଡା, ଫୁଲବାଣୀ, ଭବାନୀପାଟଣା ଓ ବାରିପଦାରେ କୁହୁଡି ଦେଖାଦେଇଥିଲା । ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଜି. ଉଦୟଗିରିରେ ରାଜ୍ୟର ସର୍ୱନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସେମିଳିଗୁଡା ୫.୧, ଫୁଲବାଣୀ ୫.୮, ଦାରିଙ୍ଗବାଡି ୬, ଚିପିଲିମା ୭.୬, ନବରଙ୍ଗପୁର, ଭବାନୀପାଟଣା ଏବଂ ଅନୁଗୋଳରେ ୯ ଡିଗ୍ରୀ ତାପମାତ୍ରା ରହିଥିଲା ।
ସେପଟେ, ଓଡ଼ିଶାର ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆର୍ଟିଓ (ଆଞ୍ଚଳିକ ପରିବହନ ଅଧିକାରୀ)ମାନଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଆର୍ଟିଓମାନେ କୁହୁଡ଼ିରେ କିପରି ଦୁର୍ଘଟଣା ହ୍ରାସ କରାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ଗାଡ଼ି ଚାଳକଙ୍କୁ ସଚେତନ କରାଯିବ । ପ୍ରତ୍ୟେକ ଆର୍ଟିଓମାନେ ସେମାନଙ୍କ ଅଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ମାର୍ଗଦର୍ଶିକା ଜାରି କରାଯାଇଛି ।