ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ।
ବ୍ରହ୍ମପୁର ସେଲଟ୍ୟାକ୍ଟ ଛକ ନିକଟରେ ଆଇଡିବିଆଇ ବ୍ୟାଙ୍କର ଏଟିଏମ୍ ଅଛି । ଜୁନ୍ ୨୫ ତାରିଖରେ ଜଣେ ଦୁର୍ବୃତ୍ତ ଏହି ଏଟିଏମକୁ ଯାଇଥିଲେ। ସେ ମୁଣ୍ଡରେ ହେଲମେଟ ଏବଂ ମୁହଁରେ ମାସ୍କ ପିନ୍ଧିଥିଲେ । ଦୁର୍ବୃତ୍ତ ଜଣକ ଏକ ନକଲି ଚାବିରେ ଏଟିଏମ୍ ମଶିନକୁ ଖୋଲିଥିଲେ ।
ମେଶିନର ଯେଉଁଠି ଟଙ୍କା ପଦାକୁ ବାହାରେ, ସେହି ରାସ୍ତାକୁ ଏକ ଚିପ୍ ସାହାଯ୍ୟରେ ବନ୍ଦ କରିଦେଇଥିଲେ । ଆକାଉଣ୍ଟଧାରୀମାନେ ଏଟିଏମ୍କୁ ଯାଉଥିଲେ । ପାସ୍ୱାର୍ଡ ଦେବା ପରେ ଆକାଉଣ୍ଟରୁ ଟଙ୍କା କଟି ଯାଉଥିଲା । କିନ୍ତୁ ଟଙ୍କା ବାହାରକୁ ନ ବାହାରି ମଶିନ ଭିତରେ ରହିଯାଉଥିଲା । କାରଣ ଦୁର୍ବୃତ୍ତ ଜଣକ ଟଙ୍କା ବାହାରୁଥିବା ରାସ୍ତାକୁ ବନ୍ଦ କରିଦେଇଥିଲେ । ଯେଉଁ ରାସ୍ତାକୁ ବନ୍ଦ କରିଥିଲେ, ମଶିନ ଭିତରେ ସେହି ସ୍ଥାନରେ ଗ୍ରାହାକ ଉଠାଇଥିବା ଟଙ୍କା ଗଚ୍ଛିତ ରହୁଥିଲା ।
ପରଦିନ ସକାଳୁ ସେ ଏଟିଏମ୍କୁ ଯାଇ ନକଲି ଚାବିରେ ମଶିନକୁ ଖୋଲି ସେଥିରୁ ଗ୍ରାହାକମାନଙ୍କ ଟଙ୍କା ନେଇଯାଉଥିଲେ । ଗତ କିଛି ଦିନ ହେଲା ଏଭଳି ଚାଲିଥିଲା । ରାତିରେ ଉଠିଥିବା ଟଙ୍କାକୁ ଦୁର୍ବୃତ୍ତ ଜଣକ ସକାଳୁ ନେଇଯାଉଥିଲେ । ଅନେକ ଗ୍ରାହାକ ଏଟିଏମ୍ରେ ତୃଟି ହୋଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ।
ଏକାଧିକ ଅଭିଯୋଗ ଆସିଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ କରିଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଏକଥା ପଦାକୁ ଆସିଥିଲା । ଯାଞ୍ଚ ବେଳେ ଦୁର୍ବୃତ୍ତଙ୍କ ଏହି ନକଲି ଚାବି ଓ ଟଙ୍କା ଚୋରି ବିଷୟରେ ଜଣାପଡ଼ିଥିଲା ।
ଚୋରି ଘଟଣାକୁ ନେଇ ବ୍ୟାଙ୍କର ଶାଖା ପରିଚାଳକଙ୍କ ଥରଫରୁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ କେସ ନଂ ୨୩୫/୨୨ରେ ଏକ ମାମଲା ରୁଜୁ କରିଛି ।
ଏଟିଏମ ଭିତରେ ଏବଂ ଆଖାପାଖ ଦୋକାନରେ ଲାଗିଥିବା ସିସିଟିଭିରୁ ଦୁର୍ବୃତ୍ତଙ୍କ କାରନାମା ବିଷୟରେ ଜଣାପଡ଼ିଛି ଏବଂ ତାଙ୍କୁ କାବୁ କରିବାକୁ ଚେଷ୍ଟା କରାଯାଉଛି ବୋଲି ତଦନ୍ତ ଅଧିକାରୀ ଅଞ୍ଜଳି ବେହେରା କହିଛନ୍ତି । ତେବେ ଏଟିଏମର ଚାବି ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କ ନିକଟରେ ରହୁଥିବା ବେଳେ ଏହାର ନକଲି ଚାବି କିପରି ଦୁର୍ବୃତ୍ତଙ୍କ ହାତରେ ଲାଗିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.