Latest Odisha News

କ’ଣ ଏହି ଲାଇଟ ପଲ୍ୟୁସନ୍ ? ବିଶ୍ବ ପାଇଁ ପାଲଟିଛି ବଡ ବିପଦ

ନୂଆଦିଲ୍ଲୀ : ବିଷାକ୍ତ ହେଉଛି ବିଶ୍ବ। ମାଟି, ପାଣି, ବାୟୁ, ଶବ୍ଦ ପରେ ଏବେ ଭୟାନକ ହେଉଛି ଲାଇଟ ପଲ୍ୟୁସନ୍। ଏହି ଲାଇଟ ପଲ୍ୟୁସନ୍ ବିଶ୍ବର ସବୁଠୁ ବଡ ଟେଲିସ୍କୋପ ପାଇଁ ଅଡୁଆ ସୃଷ୍ଟି କରିଛି। ଏନେଇ ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ। ହାଇଡ୍ରୋଜେନ ଏନର୍ଜି ପ୍ରୋଜେକ୍ଟରୁ ବାହାରୁଥିବା ଲାଇଟ ପଲ୍ୟୁସନ୍ ୟୁରୋପୀୟ ଭେରି ଲାର୍ଜ ଟେଲିସ୍କୋପ (VLT) ଉପରେ କ୍ଷତି ପହଞ୍ଚାଊଛି। ତେବେ କିପରି ସୃଷ୍ଟି ହେଉଛି ଲାଇଟ ପଲ୍ୟୁସନ୍ ବା ଆଲୋକ ପ୍ରଦୂଷଣ?

ପୃଥିବୀରେ ବଢୁଥିବା କୃତ୍ରିମ ଲାଇଟ ଏହି ପ୍ରଦୂଷଣର ମୁଖ୍ୟ କାରଣ। ଏହା ଅଧିକ ମାତ୍ରାରେ ବୃଦ୍ଧି ପାଉଛି। ଏପରିକି ଏହି ଲାଇଟର ପରିମାଣ ଏତେ ହେଉଛି ଯେ, ରାତି ସମୟରେ ସୌରମଣ୍ଡଳର ଘଟଣାଚକ୍ର ଦେଖିବାରେ ବାଧକ ସୃଷ୍ଟି ହେଉଛି। ଏହି ପ୍ରଦୂଷଣ କାରଣରୁ ଭେରି ଲାର୍ଜ ଟେଲିସ୍କୋପର କ୍ଷମତା ୩୦ ପ୍ରତିଶତ କମିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ଏହି ଟେଲିସ୍କୋପର କ୍ଷମତା କମିଲେ, ଏହା ମହାକାଶ ବିଶେଷଜ୍ଞଙ୍କୁ ସମସ୍ୟାରେ ପକାଇପାରେ। ଟେଲିସ୍କୋପ ଦ୍ବାରା ସୌରମଣ୍ଡଳର ପରିବର୍ତ୍ତନ ଜାଣି ହେଉଥିବା ବେଳେ ଏହି ପ୍ରଦୂଷଣ କାରଣରୁ ସେମାନେ ସୌରମଣ୍ଡଳକୁ ଦେଖିବାରେ ଓ ଭବିଷ୍ୟବାଣୀ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି ।

କଣ ପ୍ରଭାବ ପକାଇବ ଲାଇଟ ପଲ୍ୟୁସନ୍ ?
ଦକ୍ଷିଣ ଆମେରିକାର ଚିଲିରେ ରହିଛି ୟୁରୋପିଆନ ସଦର୍ନ ଅବଜରଭେଟୋରିର (ESO) ଭେରି ଲାର୍ଜ ଟେଲିସ୍କୋପ। ଆମେରିକାର ଏକ କମ୍ପାନୀ ଏଇଏସ ଏନର୍ଜି ଚିଲିରେ ଏକ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାର ଯୋଜନା ରହିଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଅତ୍ୟଧିକ ଆଲୋକ ପ୍ରଦୂଷଣ କାରଣରୁ, ଚିଲିରେ ଥିବା ଟେଲିସ୍କୋପ ଚଳାଇବାରେ ସମସ୍ଯା ସୃଷ୍ଟି ହେବ।ଇଏସଓ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଏହି ପ୍ରକଳ୍ପ ନିର୍ମାଣ ହେଲେ ଆକାଶର ଉଜ୍ଜ୍ଵଳତା ୧୦ ପ୍ରତିଶତ ବୃଦ୍ଧି ପାଇବ। ଯଦି ଏପରି ହୁଏ ମହାକାଶର ସଠିକ ସୂଚନା ଜାଣିବା କଷ୍ଟକର ହେବ।

କ’ଣ ଏହି ଭେରି ଲାର୍ଜ ଟେଲିସ୍କୋପ ?
ଏହି ଟେଲିସ୍କୋପ ବିଶ୍ବର ସବୁଠୁ ବଡ ଓ ହାଇଟେକ ଟେଲିସ୍କୋପ। ୧୯୯୦ ମସିହାରେ ଏହାକୁ ନିର୍ମାଣ କରିବାକୁ ୩୫୦ ମିଲିଅନ ଡଲାର ଖର୍ଚ୍ଚ ହୋଇଥିଲା। ଏଥିରେ ୨୭ ଫୁଟ ଚଉଡ଼ାର ୪ ଟି ଦୂରବୀକ୍ଷଣ ରହିଛି। ଏହାଦ୍ବାରା ସୌରମଣ୍ଡଳର ଘଟଣାଚକ୍ର ଓ ପରିବର୍ତ୍ତନ ଜାଣିହୁଏ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.