Latest Odisha News

BREAKING NEWS

ଏବେ କଣ କରିବେ ପାଣ୍ଡିଆନ?

ଭୁବନେଶ୍ବର: ଚାକିରି ଯାଇଥିଲା, ରାଜନୀତି ବି ଛାଡିଲେ, ଏବେ କଣ କରିବେ ଭିକେ ପାଣ୍ଡିଆନ? ରବିବାର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ପାଣ୍ଡିଆନ। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିଲେ। ତେଣୁ ସକ୍ରିୟ ରାଜନୀତିରୁ ଓହରିଯିବା ପରେ ଏବେ କଣ ରହିବ ପାଣ୍ଡିଆନଙ୍କ ଭବିଷ୍ୟତ ଯୋଜନା? ଜଣେ ଆଇଏଏସ ଅଧିକାରୀ ଅବସର ନେବା ପରେ ପୁଣି ଚାକିରିକୁ ଫେରିବା କଷ୍ଟକର । ତେବେ ପାଣ୍ଡିଆନ ଚାହିଁଲେ କର୍ପୋରେଟ୍ ଜଗତରେ ମୋଟା ଦରମାର ଚାକିରି କରିପାରନ୍ତି । ସକ୍ରିୟ ରାଜନୀତିରୁ ବାହାରି ଯାଇଥିଲେ ବି ପରଦା ପଛରୁ ଗୋଟି ଚଳାଇବା ସହ ଦଳର ଆଭ୍ୟନ୍ତରୀଣ ବ୍ୟାପର ନିୟନ୍ତ୍ରଣ କରିପାରନ୍ତି।

ପୁଣି ପ୍ରଶାସନିକ ସେବାକୁ ଫେରିବେ କି ପାଣ୍ଡିଆନ?

ପ୍ରଶାସନିକ ଅଧିକାରୀରୁ ନେତା ସାଜିଥିବା ଭିକେ ପାଣ୍ଡିଆନ, ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ତେବେ ଭିଆରଏସ୍ ପରେ ପୁଣି ପ୍ରଶାସନିକ ସେବାକୁ ଫେରିପାରିବେ କି ? ଏହା ଅଧିକାରୀଙ୍କ କାମ ଓ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଜାମ୍ମୁ କାଶ୍ମୀର କ୍ୟାଡରର ଆଇଏଏସ୍ ଶାହା ଫୈସଲ ଚାକିରିରୁ ଅବସର ନେଇ ରାଜନୈତିକ ଦଳ ଗଠନ କରିଥିଲେ । ତେବେ ପରେ ସେ ପୁଣି ପ୍ରଶାସନିକ ସେବାକୁ ଫେରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନ ଗ୍ରହଣ କରାଯିବା ପରେ ସେ ପୁଣି ପ୍ରଶାସନିକ ସେବାରେ ଅବସ୍ଥାପିତ ହୋଇଛନ୍ତି । ତେବେ ଭିଆରଏସ ପରେ ପ୍ରଶାସନିକ ସେବାକୁ ଫେରିବା ରାସ୍ତା କଷ୍ଟକର । ତେବେ ପାଣ୍ଡିଆନ ଚାହିଁଲେ କର୍ପୋରେଟ୍ ଜଗତରେ ମୋଟା ଅଙ୍କର ଦରମାଯୁକ୍ତ ଚାକିରି କରିପାରନ୍ତି। ଅନେକ ଆଇଏଏସ ଅଧିକାରୀ ଅବସର ପରେ ଅନ୍ତର୍ଜାତୀୟ ସଂସ୍ଥା ତଥା କର୍ପୋରେଟ୍ ସଂସ୍ଥାରେ ଚାକିରି କରୁଛନ୍ତି । ୟୁଏନ୍ ଏଜେନ୍ସି ପରି ସାମାଜିକ କ୍ଷେତ୍ରକୁ ମଧ୍ୟ ଯାଇପାରନ୍ତି ପାଣ୍ଡିଆନ। ଏହାଛଡା ନିଜର ବ୍ୟବସାୟ ବା ନିଜସ୍ବ ସଂସ୍ଥା ବି ଖୋଲିପାରନ୍ତି।

ପରଦା ପଛରେ ରହିବେ ପାଣ୍ଡିଆନ୍ !
ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିକୁ ସନ୍ୟାସ ନେବେ ବୋଲି କହିଥିଲେ ଭିକେ ପାଣ୍ଡିଆନ । ଜୁନ୍ ୯ତାରିଖରେ ବିଜେଡି ସରକାରକୁ ଆସି ଶପଥ ନେବ ବୋଲି ନିର୍ବାଚନ ବେଳେ ଦାବି କରିଥିଲେ। ତେଣୁ ଜୁନ୍ ୮ତାରିଖରେ ହିଁ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି ପାଣ୍ଡିଆନ। ତେବେ ସକ୍ରିୟ ରାଜନୀତିରେ ନରହି ପରଦା ପଛରୁ ବିଜେଡି ପାଇଁ ଗୋଟି ଚଳାଇବେ କି ପାଣ୍ଡିଆନ୍? ସେନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ସମୟରେ ବିଜେଡିରେ ନବୀନଙ୍କ ପରେ ସର୍ବେସର୍ବା ରହିଥିବା ପାଣ୍ଡିଆନ ବିଜେଡି ରାଜନୀତିରୁ ସଂପୂର୍ଣ୍ଣ ଓହରିଯିବା କଥାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି । ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କୁ ଦିନକ ତଳେ କ୍ଲିନ୍ ଚିଟ୍ ଦେଇଥିଲେ। ତେଣୁ ପ୍ରଶ୍ନ ଉଠୁଛି, ରାଜନୀତିରୁ ସନ୍ୟାସ ପଛର ସତ କଣ?

ବ୍ରେକ୍ ପରେ ଫେରିବେ ପାଣ୍ଡିଆନ୍ !
ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପଛରେ ଭିକେ ପାଣ୍ଡିଆନଙ୍କୁ କାରଣ କୁହାଯାଉଛି। ବିଜେଡି ଭିତରୁ ବି ଅସନ୍ତୋଷର ସ୍ବର ଉଠିଲାଣି। ବରିଷ୍ଠ ନେତା ଚୁପ୍ ରହୁଛନ୍ତି ତ ଖୋଲାଖୋଲି କହୁଛନ୍ତି ଯୁବ ଓ ଛାତ୍ର ନେତା। ରାଜ୍ୟରେ ପାଣ୍ଡିଆନଙ୍କୁ ନେଇ ଲୋକଙ୍କ ମନରେ ବି ଜୋରଦାର ଅସନ୍ତୋଷ ରହିଛି। ତେଣୁ ରାଜନୀତିରୁ ସନ୍ୟାସ ନେବା କଥା କହି କିଛି ଦିନ ଯାଏଁ ରାଜ୍ୟ ରାଜନୀତି ଓ ଦଳଠାରୁ ଦୂରେଇ ରହିପାରନ୍ତି ପାଣ୍ଡିଆନ। ତେବେ କିଛି ସମୟର ଅବଧି ପରେ ସେ ପୁଣି ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପାଣ୍ଡିଆନଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ !
ଓଡିଶାରୁ ଦୂରରେ ରହିଲେ ବି ରାଜ୍ୟର ଶାସନ ବ୍ୟବସ୍ଥାର ରିମୋଟ୍ କଣ୍ଟ୍ରୋଲ ଭିକେ ପାଣ୍ଡିଆନଙ୍କ ହାତରେ ରହିପାରେ । ଏବେବି ଅଧିକାରୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ରାଜନେତାଙ୍କଠାରୁ ବ୍ୟବସାୟୀ, ବିଭିନ୍ନ କ୍ଷେତ୍ରରେ ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ଲୋକ ରହିଥିବା କୁହାଯାଉଛି। ତେଣୁ ରାଜ୍ୟ ବାହାରେ ରହିଲେ ବି ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବା ପାଣ୍ଡିଆନଙ୍କ ପାଇଁ କଷ୍ଟସାଧ୍ୟ ହେବନାହିଁ । ସାମନାକୁ ନଆସିଲେ ବି ପଛରୁ ରହି ଶାସନ ବ୍ୟବସ୍ଥା ଓ ବିଜେଡି ଉପରେ ସେ ନିୟନ୍ତ୍ରଣ ରଖିପାରିବେ। ତେଣୁ ପାଣ୍ଡିଆନଙ୍କ ଭବିଷ୍ୟତ ଭୂମିକା ଏବଂ ରାଜ୍ୟ ରାଜନୀତି ଓ ଶାସନ ବ୍ୟବସ୍ଥା ଉପରେ ଏହାର ପ୍ରଭାବ କଣ ରହିବ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.