Latest Odisha News

ମରଣଜୟୀଙ୍କୁ ମାରିବ କିଏ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ବିକୃତ ବିଚାରର କୁତ୍ସିତ ଷଡଯନ୍ତ୍ରରେ ଷଢ଼ୁଥିବା କିଛି ଦେଶଦ୍ରୋହୀଙ୍କ ଷଡଯନ୍ତ୍ର କ୍ରମେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେ ଆଣିଥିବା ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ମାସ ୧୬ ଦିନରେ । ସେତେବେଳକୁ ତାଙ୍କ ବୟସ ହୋଇଥିଲା ୭୮ବର୍ଷ ୩ ମାସ ୨୯ ଦିନ । ସତ୍ୟ, ଅହିଂସାର ପୂଜାରୀ ଚାଲି ଚାଲି ପ୍ରାର୍ଥନା ସଭାକୁ ଯିବା ବାଟରେ ଗାନ୍ଧୀଜୀଙ୍କୁ ୩ଟି ଗୁଳିମାରି ହତ୍ୟା କରାଗଲା ୧୯୪୮ ଜାନୁଆରୀ ୩୦ ଅପରାହ୍ନ ୫ଟା ୧୭ ମିନିଟରେ ଦିଲ୍ଲୀର ବିରଳା ଭବନ ପ୍ରାଙ୍ଗଣରେ ।

ଏହି ଅପ୍ରତ୍ୟାଶିତ ହତ୍ୟାକାଣ୍ଡ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟିକଲା । ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ ୧୯୩୪ରୁ ଏହି ଗୋଷ୍ଠୀର ଖଳନାୟକମାନେ ଲଗାତର ଭାବେ ଅନେକ ଷଡଯନ୍ତ୍ର ରଚିଥିଲେ ମଧ୍ୟ ନିରାପତ୍ତା ରକ୍ଷୀଙ୍କ ଘେରରେ ଜୀବନ ଜିଇଁବାକୁ ଗାନ୍ଧୀ ଚାହୁଁ ନଥିଲେ । ଓଲଟା ସେ ବାରମ୍ବାର କହୁଥିଲେ, ‘ମେ ଦର୍ଦ୍ଦ ସେ ନେହିଁ ମରୁଙ୍ଗା, ବୁଖାର ସେ ନେହିଁ ମରୁଙ୍ଗା, ମରୁଙ୍ଗା ତୋ ଗୋଲି ଖାକର୍‍ ହି ମରୁଙ୍ଗା’ । ଏମିତିକି ମୃତ୍ୟୁର ପୂର୍ବଦିନ ସେ କହିଥିଲେ ଯେ ଆତତାୟୀର ଗୁଳି ଚୋଟରେ ମରିବା ବେଳକୁ ତାଙ୍କ ମୁହଁରେ ଆତତାୟୀ ପ୍ରତି ଘୃଣା କି ଦ୍ୱେଷର ଚିହ୍ନ ନଥିବ, ବରଂ ସେତେବେଳେ ତାଙ୍କ ମୁହଁରୁ ରାମ ନାମ ବାହାରୁଥିବ । ତାଙ୍କର ଏହିପୂର୍ବାନୁମାନ ସତ୍ୟ ହେଲା ।

ଗାନ୍ଧୀ ହତ୍ୟାର ଦୀଘ ବର୍ଷ ପରେ ବି ଗାନ୍ଧୀ ବିଚାରକୁ ହତ୍ୟା କରିବା ପାଇଁ ଚାଲିଛି ନିରନ୍ତର ଷଡଯନ୍ତ୍ର । ତା’ ପୁଣି ତାଙ୍କ
ଜନ୍ମଭୂମି ଓ କର୍ମଭୂମି ଭାରତ ବର୍ଷରେ ! ତେବେ ଆତତାୟୀର ଗୁଳି ଚୋଟରେ ଟଳି ପଡିବା ପୂର୍ବରୁ ଗାନ୍ଧୀଜୀ ବ୍ୟକ୍ତିରୁ
ବିଚାରରେ ପରିଣତ ହୋଇସାରିଥିବାରୁ ଏବେବି ହତ୍ୟାକାରୀଙ୍କ ସମର୍ଥକମାନେ ବିସ୍ମିତ ହେଉଛନ୍ତି ଯେ ଗାନ୍ଧୀ କିଭଳି ମରିବା
ପରେ ଅମର ହୋଇ ରହିଛନ୍ତି ଏବଂ ସମଗ୍ର ବିଶ୍ୱ ତାଙ୍କୁ ସ୍ନେହ, ଆଦର ଓ ସମ୍ମାନ କରୁଥିବା ଘେନି ସେମାନେ ଲଜ୍ଜିତ ବି
ହେଉଛନ୍ତି । ଅଥଚ ନିଜ ଲଜ୍ଜ୍ୟା ଘୋଡାଇବା ପାଇଁ ହତ୍ୟାକାରୀ ଗୋଷ୍ଠୀ ଓ ସେମାନଙ୍କ ଉତ୍ତରଦାୟାଦମାନେ ଅନେକ ସମୟରେ ଇତିହାସକୁ ବିକୃତ କରିବା ପାଇଁ ବିଳିବିଳଉଛନ୍ତି ।

ପଦ୍ମଶ୍ରୀ ପାଇବା ପରେ ଜଣେ ଅଭିନେତ୍ରୀ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇନଥିଲା, ପ୍ରକୃତରେ ଦେଶର ସ୍ୱାଧୀନତା ଆସିଲା ୨୦୧୪ ମସିହାରେ । ସେ ଆହୁରି କହିଛନ୍ତି ଯେ ସେତେବେଳେ ଭିକ ମାଗି ସ୍ୱାଧୀନତା ଅଣାଯାଇଥିଲା । କେବଳ ଏତିକିରେ ଅଟକି ନ ଯାଇ ଏହି ଅଭିନେତ୍ରୀ ଜଣକ ଗାନ୍ଧୀଜୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍, ଅମର ସହିଦ ଭଗତ ସିଂହ ପ୍ରଭୃତିଙ୍କ ନାମ ଯୋଡି ଅପପ୍ରଚାର ବି କରୁଛନ୍ତି । ଏକଥା ସତ ଯେ ଅଭିନେତା, ଅଭିନେତ୍ରୀମାନେ ଅଭିନୟ ବେଳେ ଯେଉଁ ସଂଳାପ କୁହନ୍ତି ତାହାର କାହାଣୀ କେହି ଜଣେ ଲେଖିଥାଏ, ଏହି କାହାଣୀକୁ କେହି ସଂଳାପର ରୂପ ଦେଇଥାନ୍ତି ଏବଂ ଏହି ସଂଳାପ କିଭଳି ଅଭିନୟ ମାଧ୍ୟମରେ ପ୍ରସ୍ଫୁଟିତ ହେବ ସେକଥା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ହୋଇଥାଏ ।

ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଏବଂ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ କାରା ଓ ନିର୍ଯାତନାବରଣ ଭିତରେ ମିଳିଥିବା କଷ୍ଟଲବ୍ଧ ସ୍ୱାଧୀନତାକୁ ଅସ୍ୱୀକାର କରିବା ସହ ଆମ ସଂଗ୍ରାମୀମାନଙ୍କୁ ଭିକ୍ଷୁକ ବୋଲି କହୁଥିବା ଏହି ଅଭିନେତ୍ରୀଙ୍କ ଦେଶଦ୍ରୋହୀ ଡାଏଲଗ୍‍ କିଏ ଲେଖିଲେ ଓ କାହା ନିର୍ଦ୍ଦେଶନାରେ ସେ ଏଭଳି ବକ୍ତବ୍ୟ ଦେଲେ ସେକଥା ସ୍ପଷ୍ଟ କରାଯାଉ ନଥିବାରୁ ସ୍ୱାଭାବିକ ଭାବେ ଦେଶପ୍ରେମୀମାନଙ୍କ ମନରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ସନ୍ଦେହ ଉପୁଜିବା ସ୍ୱାଭାବିକ ।

ଏବେ ସାମାଜିକ ଗଣମାଧ୍ୟମରେ ଆଉ ଏକ ତାଲିକା ଘୂରି ବୁଲୁଛି । ଏଥିରେ ଦେଶ ପାଇଁ ଜୀବନଦାନ ଦେଇଥିବା ଅନେକ ସଂଗ୍ରାମୀଙ୍କ ନାଁ ରହିଛି । ଗାନ୍ଧୀଜୀ କାହିଁକି ଫାଶୀ ପାଇଲେ ନାହିଁ ବୋଲି ଏହି ବେନାମି ତାଲିକାରେ ପ୍ରଶ୍ନ କରାଯାଇଛି । ଗାନ୍ଧୀଜୀଙ୍କ ବିରୋଧରେ ଏମିତି ଅପପ୍ରଚାର ଅନେକ । କେନ୍ଦ୍ର ସରକାର ସ୍ୱାଧୀନତା ସଂଗ୍ରାମର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଏଥିରେ ବିଷ ସଞ୍ଚାର କରୁଥିବା ବ୍ୟକ୍ତିମାନଙ୍କୁ କିନ୍ତୁ ଦମନ କରିବା ପରିବର୍ତ୍ତେ ପଦ୍ମଶ୍ରୀ ଭଳି ବେସାମରିକ ସମ୍ମାନ ପ୍ରଦାନ କରି କି ବାର୍ତ୍ତା ଦେଉଛନ୍ତି ? ଏହା କ’ଣ ସ୍ୱଚ୍ଛ ଭାରତର ନମୁନା ?

ଗୋଟିଏପଟେ ଆନ୍ତର୍ଜାତିକ ପାଣିପାଗ ସମ୍ମିଳନୀରେ ଯୋଗ ଦେବାକୁ ଯିବା ଅବସରରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋମ୍‍ରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିର ପାଦତଳେ ପୁଷ୍ପାର୍ଘ୍ୟ ଅର୍ପଣ କରୁଥିବା ବେଳେ ଭାରତରେ ଯେଉଁମାନେ ସ୍ୱାଧୀନତାକୁ ଅସ୍ୱୀକାର ସହ ଜାତିରଜନକ ମହାତ୍ମା ଗାନ୍ଧୀ ଓ ଅନ୍ୟ ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନକୁ ଅପମାନ କରୁଛନ୍ତି ସେମାନଙ୍କୁ ବରଦାସ୍ତ କରାଯାଉଛି । ଈଶ୍ୱର ଏମାନଙ୍କୁ କ୍ଷମା ଓ ସଦ୍‍ବୁଦ୍ଧି ଦିଅନ୍ତୁ ।

ଗାନ୍ଧୀ କୌଣସି ବ୍ୟକ୍ତିଗତ ପ୍ରତ୍ୟାଶା ନ ରଖି ତାଙ୍କ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁଥିରେ ବିଭିନ୍ନ ପର୍ଯ୍ୟାୟରେ ସେ ୨୩୩୯ ଦିନ କାରାଗାରରେ ବିତାଇବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୨ଶହ ଦିନ ଅନଶନ କରିଛନ୍ତି । କେବଳ ସେତିକି ନୁହେଁ, ଦେଶର ସାମାଜିକ, ରାଜନୈତିକ, ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ଶିକ୍ଷା ଆଦି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ବି ରଚନାତ୍ମକ କାର୍ଯ୍ୟକୁ ବ୍ୟାପକ କରିଛନ୍ତି । ଯେଉଁମାନଙ୍କର ସ୍ୱାଧୀନତା ସଂଗ୍ରାମରେ ସମ୍ପୃକ୍ତି ନଥିଲା ଏବଂ ଓଲଟା ୧୯୪୨ର ଭାରତଛାଡ ଆନ୍ଦୋଳନ ବେଳେ ଗୁଳି, ଲାଠି ଖାଇ ଅନେକ ଲୋକ ସହିଦ ହେବା ସହ କାରାଗାର ସବୁ ଭରପୂର ହୋଇଯାଉଥିବା ବେଳେ ଏହି ଗୋଷ୍ଠୀର ନେତା ସେତେବେଳେ ବିଚିତ୍ର ବିବୃତି ଜାରିକରି ଭାରତୀୟମାନେ ଭାରତଛାଡ ଆନ୍ଦୋଳନକୁ ବିରୋଧ କରି ବ୍ରିଟିଶ ସରକାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ ଓ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ।

କାରାଦଣ୍ଡରୁ ମୁକୁଳିବା ପାଇଁ ଯେଉଁମାନେ ବ୍ରିଟିଶ ସରକାର ନିକଟରେ ମୁଚାଲିକା ଲେଖିnଆତ୍ମସମର୍ପଣ କଲେ ଏବଂ ଏଥିପାଇଁ ମାସିକ ଭତ୍ତା ପାଇଲେ ସେହି ଗୋଷ୍ଠୀ ନିଜର ଅପକର୍ମ ପ୍ରତି ଲଜ୍ଜିତ ହୋଇ ପ୍ରାୟଶ୍ଚିତ କରିବା ପରିବର୍ତ୍ତେ ଗାନ୍ଧୀ ହତ୍ୟା ଭଳି ଜାତୀୟ ଅପରାଧ କରିବା ସଙ୍ଗେ ସଙ୍ଗେ କଷ୍ଟଲବ୍ଧ ସ୍ୱାଧୀନତାକୁ ଅସ୍ୱୀକାର କରି ଏବେ ବି ସେମାନଙ୍କ ଦେଶଦ୍ରୋହୀ ଚିନ୍ତନକୁ ବାରମ୍ବାର ପ୍ରମାଣିତ କରୁଛନ୍ତି ।

ଭାରତ ଫେରିବା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ ହୋଇଥିଲା ଓ ସେଥିରେ ସେ ଦୁଇ ଦୁଇଥର ଗୁରୁତର ଆହତ ହୋଇଥିଲେ ବି ଆକ୍ରମଣକାରୀଙ୍କୁ କ୍ଷମା କରିଦେଇଥିଲେ । ୧୯୩୪ ଜୁନ୍‍ ୨୫ରେ ପୁନେ ନଗରୀରେ ଗାନ୍ଧୀଜୀଙ୍କୁ ହତ୍ୟା କରିବା ଲାଗି ବୋମା ଫିଙ୍ଗା ଯାଇଥିଲେ ବି ସେ ଏଥିରୁ ବର୍ତ୍ତି ଯାଇଥିଲେ । କାରାମୁକ୍ତ ହେବା ପରେ ଅସୁସ୍ଥ ଗାନ୍ଧୀ ପଞ୍ଚଗନୀରେ ଅବସ୍ଥାନ କରୁଥିବା ବେଳେ ୧୯୪୪ ଜୁଲାଇ ମାସରେ ତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ବ୍ୟର୍ଥ ଷଡଯନ୍ତ୍ର ହୋଇଥିଲା । ତାହାର କିଛିଦିନ ପରେ ସେବାଗ୍ରାମ ଆଶ୍ରମରେ ତାଙ୍କୁ ସଶସ୍ତ୍ର ଆକ୍ରମଣ ପାଇଁ ହୋଇଥିବା ଷଡଯନ୍ତ୍ର ବି ଫସର ଫାଟିଥିଲା । ଏହି ଦୁଇଟି ଘଟଣାରେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେ ସମ୍ପୃକ୍ତ ଥିଲା ଓ ସୁଯୋଗ ଦିଆଯିବା ସତ୍ତ୍ୱେ ଏହି ଗୋଷ୍ଠୀ ଗାନ୍ଧୀଜୀଙ୍କ ସହ ଆଲୋଚନା ପାଇଁ ସାହସ କରିନଥିଲେ ।

୧୯୪୬ ଜୁନ୍‍ ମାସରେ ଗାନ୍ଧୀଜୀ ରେଳ ଯୋଗେ ମୁମ୍ବାଇରୁ ପୁନେ ଯାଉଥିବା ବେଳେ ବାଟରେ ରେଳ ଧାରଣା ଉପରେ ବଡ ପଥର ଖଣ୍ଡମାନ ପକାଇ ରେଳ ଦୁର୍ଘଟଣା ଘଟାଇ ଗାନ୍ଧୀଜୀଙ୍କୁ ମାରିବା ଲାଗି ବି ହୋଇଥିଲା । ଅନ୍ୟ ଏକ ଭୟଙ୍କର ଷଡଯନ୍ତ୍ର । ଏହାଛଡା ଆଉ ଅନେକ ସମୟରେ ବି ଗାନ୍ଧୀଜୀଙ୍କ ଉପରେ ଆକ୍ରମଣ ହୋଇଛି । ଏହାଛଡା ଏହି ସଂକୀର୍ଣ୍ଣମନା ଗୋଷ୍ଠୀ ବିଭିନ୍ନ ସ୍ଥାନରେ ବି ଗାନ୍ଧୀଙ୍କୁ ବିରୋଧ କରିଥିଲେ ବି ତାହାର ସୁଫଳ ମିଳିନଥିଲା । ୧୯୪୮ ଜାନୁଆରୀ ୨୦ ତାରିଖରେ ଦିଲ୍ଲୀର ପ୍ରାର୍ଥନା ସଭା ବେଳେ ଗାନ୍ଧୀଙ୍କୁ ମାରିବା ପାଇଁ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ସତ୍ୟ, ଅହିଂସାର ପୂଜାରୀ ଗାନ୍ଧୀ ସମ୍ପୂର୍ଣ୍ଣ ନିରସ୍ତ୍ର ଓ ବିନା ନିରାପତ୍ତା ରକ୍ଷୀରେ ବିପଦଜନକ ସ୍ଥାନକୁ ଆଧ୍ୟାତ୍ମିକ ବଳରେ ବଳିଆନ ହୋଇ ଯାଉଥିବା ବେଳେ ଏହି କୁଚକ୍ରୀ ଗୋଷ୍ଠୀ କିନ୍ତୁ ଈର୍ଷାରେ ଜଳୁଥିଲେ ।

ଗାନ୍ଧୀ ହତ୍ୟା ମାମଲାରେ ଦିଗମ୍ବର, ଗୋପାଳ, ନାରାୟଣ ନାଥୁରାମ, କର୍କରେ ମଦନଲାଲ, ସାବରକର ଆଦିଙ୍କୁ ଗିରଫ କରାଯାଇଥିଲା । ମାମଲାରେ ନାଥୁରାମ ଓ ନାରାୟଣ ଆପ୍ତେଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ସବରକର ମୁକ୍ତ ହୋଇଥିଲେ । ପର୍ଚୁରେ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଅପିଲରେ ଖଲାସ ହୋଇଥିବା ବେଳେ ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ଗାନ୍ଧୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତମାନେ ହାଇକୋର୍ଟେର ଅପିଲ କରି ନିରାଶ ହେବା ପରେ ବ୍ରିଟିଶର ଶରଣାପନ୍ନ ହୋଇ ପ୍ରିଭି କାଉନସିଲର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏହି ଘଟଣାର ନ୍ୟାୟିକ ତଦନ୍ତ କରିଥିଲେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ।

ଜଣକ ମତ ସହ ଅନ୍ୟଜଣଙ୍କ ମତ ମେଳ ନ ଖାଇଲେ ଯଦି ହତ୍ୟା ଏକମାତ୍ର ବିକଳ୍ପ ହୁଏ ତେବେ ବିଶ୍ୱ ଜନ ମାନବ ଶୂନ୍ୟ ହୋଇଯିବ ବୋଲି ସେ ସମୟରେ ଗାନ୍ଧୀ ହତ୍ୟା ପ୍ରସଙ୍ଗରେ ବକ୍ତବ୍ୟ ରଖି କହିଥିଲେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‍ । ଗାନ୍ଧୀଜୀଙ୍କ ଜନ୍ମଦିନ ଅକ୍ଟୋବର ୨କୁ ସମଗ୍ର ବିଶ୍ୱ ଜାତିସଂଘର ନିଷ୍ପତ୍ତି କ୍ରମେ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ଭାବେ । ସମଗ୍ର ବିଶ୍ୱରେ ଗାନ୍ଧୀଙ୍କ ଉପରେ ଯେତେ ସାହିତ୍ୟ ଲେଖାଯାଇଛି ତାହା ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଏଯାବତ୍‍ ହୋଇନାହିଁ ।

 

ଦେଶ ବିଦେଶରେ ଗାନ୍ଧୀ ବିଚାର ଉପରେ ଗବେଷଣା କରି ଅନେକ ସୁଫଳ ମିଳୁଛି । ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଯୋଗୁଁ ଭାରତରୁ ବ୍ରିଟିଶ ଶାସନର ଅବସାନ ଘଟିଥିବା ବେଳେ ବ୍ରିଟିଶ ପାର୍ଲାମେଣ୍ଟ ସମ୍ମୁଖରେ ଗାନ୍ଧୀଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ରଖି ବ୍ରିଟିଶ ଜାତି ବି ମଥାନତ କରୁଛି । ଦେଢ଼ ଶହରୁ ଅଧିକ ଦେଶରେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ରହିଛି । ଗାନ୍ଧୀଙ୍କୁ ନେଇ ବିଶ୍ୱରେ ଭାରତ ଗର୍ବ କରୁଥିବା ବେଳେ ତାଙ୍କ ପ୍ରଦର୍ଶିତ ସତ୍ୟ, ଅହିଂସା ମାର୍ଗରୁ ବିଚ୍ୟୁତ ହୋଇ ଯେଉଁମାନେ ହିଟଲର ଓ ତାଙ୍କର ମନ୍ତ୍ରୀ ଗୋଏବଲ୍ସଙ୍କ ନୀତିକୁ ଗ୍ରହଣ କରି ହିଂସା ଓ ମିଥ୍ୟାଚାରରେ ଭାସୁଛନ୍ତି ସେମାନେ ଦେଶପ୍ରେମୀ ନା ଦେଶଦ୍ରୋହୀ ଏ ସଂକ୍ରାନ୍ତରେ ଆତ୍ମସମୀକ୍ଷାର ବେଳ ଆସିଛି ।

ଗାନ୍ଧୀଜୀଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱ ଏଭରେଷ୍ଟ ଶୃଙ୍ଗଠାରୁ ଅଧିକ ଉଚ୍ଚରେ ରହିଥିବା ବେଳେ ମୁମ୍ବାଇ, ନାଗପୁର କିମ୍ବା ଦିଲ୍ଲୀରୁ ଏଭରେଷ୍ଟ ଆଡକୁ ଟେକା ପାଇଲେ ହାତ ଘୋଳି ହୋଇଯିବ ସିନା, ଗାନ୍ଧୀ ବିଚାରର କିଛି କ୍ଷତି ଘଟିବ ନାହିଁ । ଏ ପ୍ରସଙ୍ଗରେ ଓଡ଼ିଶାର ବିପ୍ଲବୀ କବି ରବି ସିଂଙ୍କ ଜ୍ବାଳାମୟୀ ପଂକ୍ତି ‘ନିଆଁକୁ କିପରି ମାରିବ ତମେରେ ନିଆଁ କେବେ କିରେ ମରେ? // ବିଷୁଭିଅସ୍‍କୁ କରିବ ବନ୍ଦୀ ତମରି ଅସ୍ତ୍ରାଗାରେ!’ ଏବଂ ଜାତୀୟ କବି ବୀର କିଶୋରଙ୍କର, ‘ତମେ ମାର ଯେତେ ବେତ ମାରିବ // ମରଣକୁ ଆମେ ବରଣ କରିଛୁ, ତମେ କି ଆମକୁ ପାରିବ? // ବେଶ୍‍ ପ୍ରାସଙ୍ଗିକ ।

ଇ-ମେଲ : prahalladsinha@gmail.com
ଫୋନ : ୯୪୩୭୦୧୭୩୯୫

Leave A Reply

Your email address will not be published.