ଅନୁବାଦ କବିତା : ସମୁଦ୍ର ବେଳାର ବେତବଣ

 ୱେଷ୍ଟ ଇଣ୍ଡିଜର ସେଣ୍ଟ ଲୁସିଆରେ ଜନ୍ମ ଗ୍ରହଣ କରିଥିବା ଡେରେକ ୱାଲକଟ ୧୯୯୨ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ। ସେ ଏକାଧାରରେ ଜଣେ କବି , ନାଟ୍ୟକାର , ସାହିତ୍ୟ ସମାଲୋଚକ ଓ ଚିତ୍ର ଶିଳ୍ପୀ ରୂପେ ପ୍ରଖ୍ୟାତ ଅଟନ୍ତି। ସେ ତିରିଶରୁ ଅଧିକ କବିତା ସଙ୍କଳନ, ପଚିଶରୁ ଅଧିକ ନାଟକ ଓ ଆଠରୁ ଅଧିକ ସମାଲୋଚନା ପ୍ରବନ୍ଧ ପୁସ୍ତକର ପ୍ରଣେତା। ୧୯୯୦ ରେ ପ୍ରକାଶିତ ତାଙ୍କର ମହାକାବ୍ୟ "ଅମେରେଶ" ହୋମରଙ୍କ ମହାକାବ୍ୟ "ଇଲିଆର୍ଡ" ଓ "ଓଡେଶୀ" ଦ୍ୱାରା ଅନୁପ୍ରେରିତ ଓ ଏହା ତାଙ୍କର ଶ୍ରେଷ୍ଠ କୃତି

ମୂଳ ରଚନା : ଡେରେକ ୱାଲକର୍ଟ

ମୋର ବନ୍ଧୁମାନଙ୍କ ଭିତରୁ
ଅଧେ ମରି ହଜି ଗଲେଣି ।
ପୃଥିବୀ କହିଲା, ମୁଁ ତୁମ ପାଇଁ
ନୂଆ ବନ୍ଧୁ ଖୋଜିଦେବି
ନା, ସେହିମାନଙ୍କୁ ହିଁ ଫେରାଇ ଦିଅ
ସେମାନେ ଯେମିତି ଥିଲେ, ଠିକ ସେମିତି
ମୁଁ ଅଳି କଲି ।

ଆଜି ରାତିରେ ସମୁଦ୍ର କୂଳର ବେତବଣ ଦେଇ
ଭାସି ଆସୁଥିବା ଲହଡ଼ିର
ଅନୁଚ୍ଚ କାନ୍ଦଣାରେ
ମୁଁ ତାଙ୍କ କଥାବାର୍ତ୍ତାର
କିଛି ଆଭାସ ଶୁଣି ପାରୁଛି ।
କିନ୍ତୁ
ମୁଁ ସାଗରର ଜ୍ୟୋସ୍ନା ଭିଜା ପତ୍ର ଉପର ଦେଇ
ସେଇ ଧଳା ରାସ୍ତାରେ ଏକାକୀ ଚାଲି ପାରୁନାହିଁ
କିମ୍ବା ଧରଣୀର ଭିଡ଼ ଛାଡି ଉଡ଼ି ଯାଉଥିବା ପେଚା ସହିତ ସ୍ୱପ୍ନର ବେଗ ନେଇ
ଭାସିଯାଇ ପାରୁନାହିଁ।

ହେ ଧରିତ୍ରୀ , ତୁମେ ଏତେ ବେଶୀ ବନ୍ଧୁ ଦେଇଛ ଯେ,
ସେମାନଙ୍କ ସଂଖ୍ୟା ଭଲ ପାଇବାକୁ
ବାକିଥିବା ଲୋକଙ୍କଠୁ ଅନେକ ଅଧିକ ।

ସମୁଦ୍ର ବେଳା ଧାରର ପର୍ବତ ମାଳରେ
ବେତ ଗଛମାନେ ସବୁଜ ଓ ରୂପେଲି
ରଙ୍ଗରେ ଝିଲମିଲ କରୁଛନ୍ତି ;
ସେମାନେ ହିଁ ମୋ ବିଶ୍ୱାସର ବର୍ଚ୍ଛାଖଣ୍ଡ ଥିଲେ ,
କିଛି ନୂଆ ସଶକ୍ତ ପଦାର୍ଥର ସୃଷ୍ଟି ହୁଏ
ଯାହାର ପଥର ପରି ଦୃଢ଼ ପ୍ରଜ୍ଞାର ଔଜ୍ୱଲ୍ୟ
ହତାଶାଠୁ ଜହ୍ନ ଆଲୁଅକୁ ଅଧିକ ସହ୍ୟ କରିପାରେ ,
ବେଗବାନ ପବନ ପରି
ବେତ ଗଛ ବଣକୁ ଦୋହଲାଇ
ମଝିରୁ ଦି ଭାଗ କରି
ଆମେ ଭଲ ପାଉଥିବା ଲୋକଙ୍କୁ
ଆମ ପାଖକୁ ନେଇ ଆସେ
ସେମାନେ ଯେମିତି ଥିଲେ , ଠିକ ସେହିପରି,
ମହାନ ରୂପରେ ନୁହେଁ
ସବୁ ଦୋଷ ଦୁର୍ବଳତା ସହ,
ଠିକ ଆଗ ଭଳି ।

ଅନୁବାଦ : ମନୋରଞ୍ଜନ ହୋତା