Latest Odisha News

BREAKING NEWS

ଉଜବେକିସ୍ତାନରେ ଭାରତ କଫ୍ ସିରପ ବ୍ୟବହାରକୁ ବାରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନା କରାଯାଇଛି । ବିଶେଷକରି ପିଲାମାନଙ୍କ ପାଇଁ ବ୍ୟବହୃତ ୨ ପ୍ରକାର କଫ ସିରପକୁ ବାରଣ କରିଛି ଡବ୍ଲୁଏଚଓ । ୧୮ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଡବ୍ଲୁଏଚଓ ତାର ୱେବସାଇଟରେ ଏହାକୁ ନେଇ ଆଲର୍ଟ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଭାରତର ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦୁଇଟି କଫ୍ ସିରପ୍ ପିଲାମାନଙ୍କ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଡବ୍ଲୁଏଚଓ କହିଛି ଯେ, AMBRONOL ସିରପ ଏବଂ DOK-1 ମ୍ୟାକ୍ସ ସିରପର ନିର୍ମାତା ହେଉଛି ମାରିଅନ୍ ବାୟୋଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌ । ଯାହା ଭାରତର ଉତ୍ତରପ୍ରଦେଶରେ ରହିଛି । ହେଲେ ଏହି କମ୍ପାନୀ ନିରାପତ୍ତା ଉପରେ ଉତ୍ପାଦଗୁଡିକର ଗୁଣବତ୍ତା ଏବଂ ଗ୍ୟାରେଣ୍ଟି ପ୍ରଦାନ କରିନାହାଁନ୍ତି ।

ତେବେ ସୂଚନା ଅନୁଯାୟୀ, ଉଜବେକିସ୍ତାନରେ କଫ୍ ସିରପ ବ୍ୟବହାର ପରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସେଠିକାର ଅଧିକାରୀମାନେ ଦାବି କରିଥିଲେ । ତେଣୁ ଭାରତୀୟ କମ୍ପାନୀକୁ ବାରଣ କରିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମାରିଅନ୍ ବାୟୋଟେକ୍ ଦ୍ୱାରା ନିର୍ମିତ ଡକ୍ -୧ ମ୍ୟାକ୍ସ ସିରପ୍ ପିଇବା ପରେ ପିଲାମାନଙ୍କ ମୃତ୍ୟୁ ହୋଇଛି ।

 

Leave A Reply

Your email address will not be published.