କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଚନ୍ଦ୍ରଭାନୁ ହୋଟେଲରେ ପହଞ୍ଚିବା ଖବର କେତେଜଣ ସହକର୍ମୀ ଜଣାଇଲେ । ସେମାନେ ପଦ୍ମିନୀକୁ ଅନୁରୋଧ କଲେ, ସେମାନଙ୍କ ସାଙ୍ଗରେ ଗେଟ୍ ପାଖକୁ ଯାଇ ଚନ୍ଦ୍ରଭାନୁଙ୍ଗୁ ସ୍ୱାଗତ କରିବା ପାଇଁ । କାରଣ କମ୍ପାନୀର ସର୍ବେସର୍ବା ସସ୍ତ୍ରୀକ ଆସିଛନ୍ତି ।
ହାଣ ମୁହଁକୁ ଛେଳିଟିଏ ଗଲା ଭଳି ପଦ୍ମିନୀ ମୁଖ୍ୟ ଦରଜା ଆଡ଼କୁ ଚାଲିଲା । କିନ୍ତୁ ଏ କ’ଣ? ସେ କାହାକୁ ଦେଖୁଛି? କମ୍ପାନୀର ସର୍ବେସର୍ବାଙ୍କୁ ସସ୍ତ୍ରୀକ ଦେଖି ସେ ହତଭମ୍ବ ହୋଇ ପଡ଼ିଲା । ଶବ୍ଦଟିଏ ମୁହଁରୁ ସ୍ଫୁରିତ ହେଲା ନାହିଁ । ଏକକାଳୀନ ଦୁଇଟି ବଜ୍ର ଗୋଟିଏ ମଣିଷ ଉପରେ ପଡ଼ିପାରେ, ଏ କଥା ବି ସେ ହିଁ ଅନୁଭବ କରିବାକୁ ଥିଲା?
କମ୍ପାନୀର ସମସ୍ତ କର୍ମଚାରୀଙ୍କ ସାମୁହିକ ସମ୍ବର୍ଦ୍ଧନାକୁ ହାତ ହଲାଇ, ପର ମୁହୂର୍ତ୍ତରେ ଦୁଇ ପାପୁଲିକୁ ଏକତ୍ରିତ କରି ଏକ ଉତ୍ଫୁଲ୍ଲିତ ମୁଦ୍ରାରେ ଆଗେଇ ଆସୁ ଆସୁ ମ୍ୟାନେଜିଂ ଡିରେକ୍ଟରଙ୍କ ସହଧର୍ମିଣୀ ପଦ୍ମିନୀର ଯୋଡ଼ହସ୍ତକୁ ଉଛୁଳା ଆନନ୍ଦରେ ଚାପି ଧରିଲେ । ଆବେଗ-ବିଭୋର ହୋଇ କହିଲେ-ପଦ୍ମିନୀ? ତୁ ଏଇଠି? ଆରେ, ମତେ ଚିହ୍ନିପାରୁନୁ? ମୁଁ ମୀନାକ୍ଷି!
ପଦ୍ମିନୀର ମସ୍ତିଷ୍କରେ ବିସ୍ଫୋରଣର ପ୍ରତିକ୍ରିୟା ସକ୍ରିୟ ହେଲାଭଳି ବୋଧହେଲା ।
ଏଣେ ଚନ୍ଦ୍ରଭାନୁ, ହୈମାନ୍ତିକ ଶିଶିରପାତରେ କମଳର ଦୂରବସ୍ଥା ପରି ତାଙ୍କର ଗୌର ସୁଢ଼ଳ ମୁହଁ ମଳିନ ପଡ଼ି ଗଲାଣି । ଆନନ୍ଦର ଏତେ ନିକଟରେ ଯେ ବିଷାଦ ଥାଏ, ଏଇ ଉପଲବ୍ଧି ସେ ଆଜି ହିଁ ବୁଝିପାରିଛନ୍ତି । ଯେଉଁ ପଦ୍ମିନୀକୁ ସେ ତିନିବର୍ଷ ତଳୁ ତାଙ୍କ ଜୀବନ ସରସୀରୁ ନିର୍ବାସିତ କରି ଦେଇଥିଲେ, ଏଇଭଳି ପରିବେଶ ଭିତରେ ସେ ଯେ ତାକୁ ଏହି ରୂପରେ ଆବିଷ୍କାର କରିବେ, ଏ ଧାରଣା ତାଙ୍କର ନ ଥିଲା ।
ପରିସ୍ଥିତିର ଗୁରୁତ୍ୱକୁ ପଦ୍ମିନୀ ଉପଲବ୍ଧି କଲା । ତା’ର ସଦା ଗମ୍ଭୀର ମୁଦ୍ରାରେ ସୁନ୍ଦର ହସଧାରେ ଟାଣି ମୀନକ୍ଷିର ହାତକୁ ସାମାନ୍ୟ ହଲାଇ ଦେଲା । ସମସ୍ତଙ୍କ ସହ ସେ ବି ପ୍ରଣାମ ମୁଦ୍ରାରେ ଏମ୍.ଡି ଙ୍କୁ ହଲ୍ ଆଡ଼କୁ ପାଛୋଟି ନେଲା । ପରିଚାରକମାନେ ଖାଦ୍ୟ ପରିବେଷଣ କରିଗଲେ । ମୀନାକ୍ଷି ଓ ଚନ୍ଦ୍ରଭାନୁ
ସାମନା ସାମନି ବସିଥିଲେ । ମୀନାକ୍ଷି ପାଖରେ ବସି ପଦ୍ମିନୀ ଚନ୍ଦ୍ରଭାନୁଙ୍କୁ ସ୍ପଷ୍ଟ ଦେଖି ପାରୁଥିଲା । ସେଇ ସୁନ୍ଦର ଚେହେରା…. ଉଜ୍ୱଳ ମୁଖାକୃତି…. ଓଠରେ ଲାଗି ରହିଥିବା ଅମଳିନ ବିମୋହନ ହସ, ସବୁ ଆଗ ଭଳି ଅଛି । କିନ୍ତୁ ବଦଳି ଯାଇଛି ତାଙ୍କର ମନ । ମନ ! ମଣିଷ ଭାବନାର ଏକ ଶବ୍ଦ । ଯାହାର ନିର୍ଦ୍ଦିଷ୍ଟ ଆକାର ନାହିଁ । ସେଇଥିପାଇଁ ବୋଧେ ଆଜିର ମନ କାଲିକୁ ପରିବର୍ତ୍ତିତ ହେଉଛି ।
କ୍ରମଶଃ