Latest Odisha News

ସଂଜୟ ଦାସବର୍ମାଙ୍କ ପଛରେ ଷଡ଼ଯନ୍ତ୍ର କରୁଛି କିଏ?

ଭୁବନେଶ୍ବର:‘‘କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ସେ ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଁଚି ବାସୁଦେଇପୁରବାଟେ ଦେଇ ଏଗାର ପଂଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଜବାବ ଦେବା କି ନାହିଁ ? ଏହା ହେଉଛି ବିଜେଡିର ବରିଷ୍ଠ ନେତା ତଥା ସାଧାରଣ ସଂପାଦକ ସଂଜୟ ଦାସବର୍ମାଙ୍କ ବକ୍ତବ୍ୟ । ନଭେମ୍ବର ୧୩ରେ ପୁରୀ ସଦର ବ୍ଲକରେ ପଦଯାତ୍ରା ପରେ ମାଳ ମେଳଣ ପଡ଼ିଆରେ ଆୟୋଜିତ ଜନସଭାରେ ସଞ୍ଜୟ ଦାସବର୍ମା  ନିଜ ଭିତରେ ଚାପି ରଖିଥିବା ସମସ୍ତ କ୍ଷୋଭକୁ ପ୍ରକାଶ କରି ସିଧାସଳଖ ଦଳର ପରିଚାଳନା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।  ଏହି ବକ୍ତବ୍ୟକୁ ନେଇ ରାଜୀନି ସମୀକ୍ଷକମାନେ ଅନେକ ଅନୁମାନ ଲଗାଉଛନ୍ତି । ଯାହାକୁ ନେଇ ଏବେ ଗାଁରୁ ଭୁବନେଶ୍ବର ଚର୍ଚା ଲାଗି ରହିଛି ।

BjdElectrycity

ସଂଜୟ ଦାସବର୍ମା ଯାହା ନିଜ ନିର୍ବାଚନର ଲୋକମାନଙ୍କୁ କହିଛନ୍ତି ତାହା ଶୁଣିଲେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଯାହାର ଉତ୍ତର ମଧ୍ୟ ସଂଜୟ ଦାସବର୍ମା ପରୋକ୍ଷରେ କହିଛନ୍ତି ।

ପ୍ରଥମ ପ୍ରଶ୍ନ ଦଳ ସଂଜୟଙ୍କ ଉପରେ ଭରସା କରିପାରୁନାହିଁ କି? ଦ୍ବିତୀୟ ପ୍ରଶ୍ନ ଦଳ 2024 ପାଇଁ ଏହି ଆସନ ପାଇଁ ନୂଆ ଚେହେରା ଖୋଜୁଛି କି? ତୃତୀୟ ପ୍ରଶ୍ନ ନୂଆ ଚେହେରାକୁ ସଂଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି କି? ଚତୁର୍ଥ ପ୍ରଶ୍ନ ସଂଜୟ ନିଜର ବଳ ଦେଖାଇ ପୁଣି ଟିକେଟ ନେବା ପାଇଁ କ୍ଷମତା କେନ୍ଦ୍ର ଉପରେ ଚାପ ପକାଇବାକୁ ଚାହୁଁଛନ୍ତି କି?

ରାଜନୀତି ସମୀକ୍ଷକଙ୍କ ମତରେ ଯେଉଁ ମେଳଣ ପଡିଆରୁ ସେ ପ୍ରଥମ ଥର ନିର୍ବାଚନ ଲଢ଼ିବା ବେଳେ ଭୋଟ ମାଗିଥିଲେ । ସେହି ମେଳଣ ପଡିଆରେ ସେ ପୁଣି ଲୋକଙ୍କ ସମର୍ଥନ ମାଗିଛନ୍ତି ତାଙ୍କୁ ସମର୍ଥନ କରିବା ପାଇଁ ଏବଂ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଲଢ଼ିବା ପାଇଁ । ତାଙ୍କ ଭାଷଣରେ ସେ ନବୀନ ପଟ୍ଟନାୟକଙ୍କ ଜୟଗାନ କରିଥିବା ବେଳେ ଦଳର ନିଷ୍ପତ୍ତି ନେଉଥିବା କ୍ଷମତା କେନ୍ଦ୍ର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାର  ମାନେ ହେଉଛି ତାଙ୍କର ନବୀନ ପଟ୍ଟନାୟକଙ୍କଠାରେ ଭରସା ଅଛି କିନ୍ତୁ କ୍ଷମତା କେନ୍ଦ୍ର ପାଖରେ ଭରସା ନାହିଁ । ଏଥର ଯଦି ତାଙ୍କୁ  ଟିକେଟ ନଦିଆଯାଏ ତେବେ ସେ ହୁଏତ ସ୍ବାଧୀନ ଭାବେ ଲଢ଼ିବେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ଆଉ ଏଥିପାଇଁ ତାଙ୍କୁ ଏବେଠୁ ନିଜ ଲୋକଙ୍କ ସହ ଦଳର ସଂଗଠନକୁ ନିଜ ପାଖରେ ରଖିବାକୁ ପଡିବ ବୋଲି  ଆଲୋଚନା ଆରମ୍ଭ ହେଲାଣି ।

 ଏଭଳି କହିବାର କାରଣ ସଂଜୟ ନିଜେ କହିଛନ୍ତି ‘‘ପ୍ରଥମ ଥର ବିଧାୟକ ଥିବାବେଳେ ନବୀନ ବାବୁ ସରକାରୀ ଉପମୁଖ୍ୟ ସଚେତକ କଲେ । ଦଳର ଯୁବ ସଭାପତି କଲେ । ତାଙ୍କୁ ମନ୍ତ୍ରୀ ମଧ୍ୟ କଲେ । ଆଉ ସେ ହାରିଗଲା ପରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ କଲେ । କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି । ଆମକୁ ସତର୍କ ରହିବାକୁ ପଡିବ । ବ୍ରହ୍ମଗିରିର ବିକାଶ ପାଇଁ କିଛି ଲୋକ ଷଡ଼ଯନ୍ତ୍ର କରୁଛନ୍ତି’’ । ଯଦିଓ ସଂଜୟ କାହାର ନାମ ନେଇନାହାଁନ୍ତି ତେବେ ରାଜନୀତିରେ ରୁଚି ରଖିଥିବା ଅଧିକାଂଶ ଲୋକ ଏହାର ମାନେ ବୁଝି ସାରିଛନ୍ତି । ରାଜନୀତି ସମୀକ୍ଷକଙ୍କ ମତରେ  2024 ନିର୍ବାଚନ ପୂର୍ବରୁ ବିଜେଡି ବ୍ରହ୍ମଗିରିରେ ନୂଆ ଚେହେରା ଖୋଜିବାକୁ ଆରମ୍ଭ କରିଥାଇପାରେ । ଯାହାର ଆଭାସ ବୋଧହୁଏ ସଂଜୟ ପାଇଛନ୍ତି । ଯାହାକୁ ସେ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । କାରଣ ନିଜ ଗଡ଼ରେ ସେ ହାରିଯାଇଛନ୍ତି ସତ କିନ୍ତୁ ତାଙ୍କର ତାଙ୍କ ଉପରୁ ଭରସା ତୁଟିନି ଏବେ ବି ତାଙ୍କର ଜିତିବାର ଆଶା ରହିଛି  । ଯେଉଁଥିପାଇଁ ସେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି ।

ସଂଜୟ ପୁଣି କହିଛନ୍ତି ‘‘କିଛି ଲୋକ ଭାବୁଛନ୍ତି ଆମେ ଯାହା କରିବୁ ଯାହା ନିଷ୍ପତ୍ତି ନେବୁ , ସମସ୍ତେ ତାକୁ ଗ୍ରହଣ କରିନେବେ’’  । ସଂଜୟଙ୍କ ଏହି କଥାର ମର୍ମକୁ ନେଇ ରାଜନୀତି ସମୀକ୍ଷକମାନେ କହୁଛନ୍ତି ସଂଜୟ କ୍ଷମତା କେନ୍ଦ୍ରର ସମସ୍ତ ନିଷ୍ପତ୍ତିକୁ ମାନିବାକୁ ଏବେ ଆଉ ପ୍ରସ୍ତୁତ ନୁହଁନ୍ତି ।

ଦଳରେ  କିଛି ଲୋକ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି ଓ ତାକୁ ମାନିବାକୁ ସମସ୍ତଙ୍କୁ ବାଧ୍ୟ କରୁଛନ୍ତି । କିନ୍ତୁ ଆମେ ମରିଯିବୁ ପଛେ ସେମାନଙ୍କ ସହ ସାଲିସ୍ କରି ବ୍ରହ୍ମଗିରିର ସ୍ୱାଭିମାନକୁ ଭସାଇ ଦେବୁନାହିଁ ବୋଲି ସଞ୍ଜୟ ରୋକଠୋକ୍ କହିଛନ୍ତି ।

ବିଜେଡିର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମାଙ୍କ ଏଭଳି ବୟାନକୁ ନେଇ ଏବେ ଖାଲି ଦଳରେ କମ୍ପନ ସୃଷ୍ଟି ହୋଇନାହିଁ ରାଜ୍ୟ ରାଜନୀତିରେ କଂପନ ସୃଷ୍ଟି ହୋଇଛି । ପଦ୍ମପୁରରେ ରାଜୁ ଦାସ ବିଜେଡି ବିରୋଧରେ ପ୍ରଥମ ସ୍ବର ଉତ୍ତୋଳନ କରିବା ପରେ ଏବଂ ସଂଜୟଙ୍କ ବକ୍ତବ୍ୟ ବିଜେଡି ପାଇଁ ବୁମେରାଂ ହୋଇଛି ।

Some People Trying To Loot Odisha's Mines Says Senior BJD Leader Sanjay Dasburma

ସବୁଠୁ ବଡ଼ କଥା ହେଲା ସେ ନବୀନ ପଟ୍ଟନାକୟଙ୍କ ବିରୋଧରେ କିଛି କହିନଥିବା ବେଳେ ସରକାରଙ୍କୁ ପରୋକ୍ଷରେ କାଠଗଡ଼ାରେ ଛିଡା କରାଇଛନ୍ତି । ସଂଜୟ  କହିଛନ୍ତି କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜସମ୍ପଦ, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳାଇବାକୁ ବସିଛନ୍ତି।  ତେଣୁ ଏଭଳି ଷଡ଼ଯନ୍ତ୍ରକାରୀ ଓ ଲୁଟେରାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସଞ୍ଜୟ ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଆହ୍ୱାନ କରିଛନ୍ତି । ଏହାର ମାନେ ହେଉଛି ସଂଜୟ ପରୋକ୍ଷରେ କହିବାକୁ ଚାହୁଁଛନ୍ତି ଯେ ଏବେ ସରକାରରେ ଦୁର୍ନୀତି ଚାଲିଛି, ଲୁଣ୍ଠନ ଚାଲିଛି । ଆଉ ସରକାର ସବୁ ଜାଣିଶୁଣି ଏହାକୁ ରୋକିବାକୁ ଚାହୁଁନାହାଁନ୍ତି ।

ରାଜନୀତି ସମୀକ୍ଷକଙ୍କ ମତରେ ଦିନେ ଦଳର  କ୍ଷମତା କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ସଂଜୟ ଏବେ ଏକ ବର୍ଷ ହେଲା ଦଳରେ କୋଣଠେସା ହୋଇଯାଇଛନ୍ତି । ଦଳ ପାଇଁ ତନ,ମନ ଧନ ଦେଇ ସଂଗଠନକୁ ସୁଦୃଢ଼ କରିଥିବା ସଂଜୟ ଆଜି କ୍ଷମତାଠାରୁ ବହ ଦୂରରେ ଅଛନ୍ତି ।  ସରକାରୀ ପଦପଦବୀରୁ ତାଙ୍କୁ ବଂଚିତ କରାଯାଇଛି ଓ ସାଂଗଠନିକ କାର୍ଯ୍ୟରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି ।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଏହି ଆସନ ବିଜେଡି ବନାମ କଂଗ୍ରେସ ଥିଲା । ତେବେ ୨୦୧୯ ପରଠୁ ଏହା ବିଜେଡି ବନାମ ବିଜେପି ହୋଇଯାଇଛି ।  ୨୦୦୯ ମସିହାରେ ସଂଜୟ ଦାସବର୍ମା ବ୍ରହ୍ମଗିରି ଆସନରୁ ୭୦ ହଜାର ୫୩୩ ଖଣ୍ଡ ଭୋଟ ପାଇଥିଲେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ୬୫ ହଜାର ୬୪୭ ଭୋଟ ପାଇଥିଲେ । ୪ହଜାର ୮୮୬ ଭୋଟରେ ବିଜୟୀ ହୋଇଥିଲେ ସଂଜୟ । ୨୦୧୪ ମସିହାରେ ସଂଜୟ ପାଇଥିଲେ ୭୮ ହଜାର ୬୭୫ ଭୋଟ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ଲୁଲୁ ମହାପାତ୍ର ପାଇଥିଲେ ୭୭ ହଜାର ୩୩୪ ଖଣ୍ଡ ଭୋଟ । ଅତି କମ ଭୋଟରେ ବିଜୟୀ ହୋଇଥିଲେ ସଂଜୟ ।

୨୦୧୯ରେ ବିଜେପିର ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ସଂଜୟଙ୍କୁ ହରାଇଦେଇଥିଲେ । ସଂଜୟ ପାଇଥିଲେ ୮୬ ହଜାର ୧୨୬ ଭୋଟ ଆଉ ଲଲିଟେନ୍ଦୁ ପାଇଥିଲେ ୮୮ ହଜାର ୨୫୬ ଭୋଟ । ଭୋଟ ଅଙ୍କରେ ଏହି ଆସନରେ ବିଜେଡି ସହ ଆଗକୁ ବିଜେପିର ଟକ୍କର ଦେଖିବାକୁ ବାକି ଥିବା ବେଳେ ଏବେଠୁ ସଂଜୟଙ୍କ ବିଦ୍ରୋହ ବିଜେଡି ପାଇଁ ମୁଣ୍ଡ ବ୍ୟଥା ଆରମ୍ଭ କରିଛି । ତେବେ ସଂଜୟଙ୍କୁ ବିଜେଡି କିଭଳି ମ୍ୟାନେଜ କରୁଛି ଦେଖିବାକୁ ଅପେକ୍ଷା ।

Leave A Reply

Your email address will not be published.